ସିନିୟର ମହିଳା କ୍ରିକେଟ, ଛତିଶଗଡ଼କୁ ହରାଇଲା ଓଡ଼ିଶା

କଟକ: ଗୁଜରାଟର ସୁରତରେ ଚାଲିଥିବା ବିିସିସିଆଇ ସିନିୟର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ୩ୟ ବିଜୟ ହାସଲ କରିଛି। ଗୁରୁବାର ସି.କେ. ପିଥାୱାଲା ଗ୍ରାଉଣ୍ଡରେ ଖେଳା ଯାଇଥିବା ଗ୍ରୁପ୍ ‘ଏ’ ମ୍ୟାଚରେ ଅଧିନାୟିକା ମଧୁସ୍ମିତା ବେହେରା ଓ ଆନ୍ତର୍ଜାତିକ ଅଫ୍ସ୍ପିନର ରାସନ୍ନାରା ପରୱିନଙ୍କ ଚମତ୍କାର ବୋଲିଂ ବଳରେ ଓଡ଼ିଶା ୫ ୱିକେଟରେ ଛତିଶଗଡ଼କୁ ପରାସ୍ତ କରିଛି। ଛତିଶଗଡ଼ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୧୪୮ରନ କରି ଅଲ୍ଆଉଟ୍ ହୋଇ ଯାଇଥିଲା। ପରେ ୪୦.୧ ଓଭରରେ ୫ ୱିକେଟ ହରାଇ ଓଡ଼ିଶା ବିଜୟୀ ହୋଇଥିଲା। ଏହି ବିଜୟ ସହ ଓଡ଼ିଶା ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ୍ର ୨ୟ ସ୍ଥାନରେ ରହିଛି। ୨୦ରେ ଆୟୋଜକ ଗୁଜରାଟ ବିପକ୍ଷରେ ଓଡ଼ିଶା ଶେଷ ଲିଗ୍ ମ୍ୟାଚ ଖେଳିବ।

ଓଡ଼ିଶା ଟସ୍ ଜିତି ଫିଲ୍ଡିଂ ନେବା ପରେ ଛତିଶଗଡ଼ ପାଇଁ ମନପ୍ରୀତ୍ କୌର ୩ଟି ଚୌକା ସହ ସର୍ବାଧିକ ୩୨, ଐଶର୍ୟ୍ୟା ସିଂହ ୩ଟି ଚୌକା ସହ ୨୫, ପ୍ରାଂଶୁ ପ୍ରିୟା ୨୪, ସାୟଲା ଆଲମ୍ ୨୧ ରନ୍ କରିଥିବା ବେଳେ ଦୁଇ ଓପ୍ନର ଶିବି ପାଣ୍ଡେ ୧୭ ଓ ସୃଷ୍ଟି ଶର୍ମା ୧୫ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଅଧିନାୟିକା ମଧୁସ୍ମିତା ବେହେରା ୨୨ ରନ୍ ଦେଇ ୩ଟି, ରାସାନ୍ନାରା ପରୱିନ ୧୭ ରନ୍ ଦେଇ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଶ୍ରୀ ଦିବ୍ୟଦର୍ଶିନୀ ୨ଟି ଓ ସୁଜାତା ମଲ୍ଲିକ ଗୋଟିଏ ୱିକେଟ ନେଇଥିଲେ। ଓଡ଼ିଶା ୪୦.୧ ଓଭର ଖେଳି ୫ ୱିକେଟ ହରାଇ ବିଜୟୀ ହୋଇଥିଲା। ଓଡ଼ିଶା ପାଇଁ ଆନ୍ତର୍ଜାତିକ ଖେଳାଳି ମାଧୁରୀ ମେହେଟା ୭୫ ବଲ୍ରୁ ୮ଟି ଚୌକା ସହ ସର୍ବାଧିକ ୪୭ ରନ୍ କରିଥିଲେ। ସରିତା ମେହେର ୫୪ ବଲ୍ରୁ ୫ଟି ଚୌକା ସହ ୪୧ ରନ୍ କରିଥିଲେ। କାଜଲ ଜେନା ୫, ସୁଶ୍ରୀ ଦିବ୍ୟଦର୍ଶିନୀ ଓ ପ୍ରଜ୍ଞା ପାରମିତା ମହାନ୍ତି ୮ ରନ ଲେଖାଏଁ କରି ଆଉଟ୍ ହୋଇଥିବା ବେଳେ ମଧୁସ୍ମିତା ବେହେରା ୧୦ ଓ ଅଞ୍ଜଳି ସିଂହ ୨୦ ରନ୍ କରି ଅପରାଜିତ ରହିଥିଲେ। ଛତିଶଗଡ଼ ପକ୍ଷରୁ ଋତୁ ମେସ୍ରାମ୍ ଓ ମନପ୍ରୀତ୍ କୌର ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.