ଇତିହାସ ରଚିଲେ ଶରତ; ଅର୍ଚ୍ଚନା ମହିଳା ଚମ୍ପିଆନ୍‌, ଖେଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ପୁରସ୍କାର ଘୋଷଣା

0

କଟକ : ଆନ୍ତର୍ଜାତିକ ସ୍ତରରେ ଭାରତର ସଫଳତମ ଖେଳାଳି ଅଚନ୍ତ ଶରତ କମଲ ଭାରତୀୟ ଟେବୁଲ ଟେନିସରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଓଡ଼ିଶାମାଟିରେ ସର୍ବାଧିକ ୯ମ ଥର ଜାତୀୟ ପୁରୁଷ ସିଙ୍ଗଲ୍‍ସ ଟାଇଟଲ ଜିତିବାର କୃତିତ୍ୱ ହାସଲ କରିଛନ୍ତି ଶରତ କମଲ। କଟକରେ ଚାଲିଥିବା ୮୦ତମ ସିନିୟର ଜାତୀୟ ଓ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‍ସିପ୍‍ରେ ଶରତ କମଲ ପୁରୁଷ ସିଙ୍ଗଲ୍‍ସ ଟାଇଟଲ ଜିତିଛନ୍ତି। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ ଦ୍ୱାରା ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ଏହି ସମ୍ମାନଜନକ ପ୍ରତିଯୋଗିତାର ଫାଇନାଲରେ ପେଟ୍ରୋଲିୟମ୍‍ ସ୍ପୋର୍ଟସ ପ୍ରମୋସନ୍‍ ବୋର୍ଡ (ପିଏସ୍‍ପିବି)ର ଶରତ କମଲ ନିଜ ଦଳର ଜି. ସତ୍ୟନ୍‍ଙ୍କୁ ୪-୩ ଗେମ୍‍ରେ ପରାସ୍ତ କରିଛନ୍ତି। ବ୍ୟକ୍ତିଗତ ୯ମ ଟାଇଟଲ ଜିତି ଶରତ କମଲ କିମ୍ବଦନ୍ତୀ ଖେଳାଳି କମଳେଶ ମେହେଟ୍ଟାଙ୍କ ୮ଟି ଜାତୀୟ ପୁରୁଷ ସିଙ୍ଗଲ୍‍ସ ଟାଇଟଲ କୀର୍ତ୍ତିମାନକୁ ଅତିକ୍ରମ କରି ପାରିଛନ୍ତି। ଏହାସହ ଗତ ୬ ଦିନ ଧରି କଟକରେ ଚାଲିଥିବା ଏହି କ୍ରୀଡ଼ା ସମାରୋହରେ ଯବନିକା ପଡ଼ିଛି। ସାରାଦେଶରୁ ୬ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଫଳରେ ଭାରତୀୟ ଟେବୁଲ ଟେନିସ ଇତିହାସରେ ଏହା ସର୍ବବୃହତ୍‍ ଟୁର୍ଣ୍ଣାମେଣ୍ଟର ମାନ୍ୟତା ଲାଭ କରିପାରିଛି।
ବୁଧବାର ସନ୍ଧ୍ୟାରେ ଶରତ କମଲ ଓ ଜି. ସତ୍ୟନଙ୍କ ମଧ୍ୟରେ ଖେଳା ଯାଇଥିବା ପୁରୁଷ ସିଙ୍ଗଲ୍‍ସ ଫାଇନାଲ ମ୍ୟାଚ୍‍ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୧ ଘଣ୍ଟାରୁ ଅଧିକ ସମୟର ଲଢ଼େଇରେ ଶରତ କମଲ ୪-୩ (୧୧-୧୩, ୧୧-୫, ୧୧-୬, ୫-୧୧, ୧୦-୧୨, ୧୧-୬, ୧୪-୧୨) ଗେମ୍‍ରେ ଜିତି ନେଇଥିଲେ। ସତ୍ୟନ୍‍ ଏକଦା ୩-୨ ଗେମ୍‍ରେ ଆଗୁଆ ରହିଥିଲେ ହେଁ ଶରତ କମଲ ଶେଷ ୨ଟି ଗେମ୍‍ ଜିତି ଟାଇଟଲ ହାତେଇ ପାରିଥିଲେ। ଏହାସହ ଗତବର୍ଷ ଶରତ କମଲ ଜିତିଥିବା ଟାଇଟଲ ବଜାୟ ରଖିଛନ୍ତି। ଚମ୍ପିଆନ ଶରତ କମଲ ଅଢ଼େଇ ଲକ୍ଷ ଓ ରନର୍ସଅପ୍‍ ସତ୍ୟନ୍‍ ୧ ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ପାଇଛନ୍ତି। ପିଏସ୍‍ପିବିର ଅର୍ଚ୍ଚନା ଗିରୀଶ କାମତ୍‍ ମହିଳା ସିଙ୍ଗଲ୍‍ସ ଚମ୍ପିଆନ୍‍ ହୋଇଛନ୍ତି। ପ୍ରଥମଥର ଜାତୀୟ ଚମ୍ପିଆନ୍‍ ହେବା ଲକ୍ଷ୍ୟ ରଖିଥିବା ଉଭୟ ଖେଳାଳି ଅର୍ଚ୍ଚନା କାମତ୍‍ ଓ କୃତିକା ସିହ୍ନା ରାୟ ଦର୍ଶନୀୟ ଖେଳ ଦେଖାଇଥିଲେ। ଏହି ମୁକାବିଲାରେ ୨ୟ ସିଡ୍‍ ଅର୍ଚ୍ଚନା କାମତ୍‍ ୪-୨ (୧୨-୧୦, ୮-୧୧, ୧୧-୯, ୧୨-୧୦, ୭-୧୧, ୧୧-୩)ରେ ବିଜୟୀହୋଇ ଜୀବନରେ ପ୍ରଥମଥର ପାଇଁ ଜାତୀୟ ସିନିୟର ସିଙ୍ଗଲ୍‍ସ ଚମ୍ପିଆନ୍‍ ହୋଇଛନ୍ତି। ଚମ୍ପିଆନ୍‍ ଅର୍ଚ୍ଚନା ୧ ଲକ୍ଷ ୬୫ ହଜାର ଏବଂ ରନର୍ସଅପ୍‍ କୃତିକା ୮୨୫୦୦ ଟଙ୍କା ପୁରସ୍କାର ପାଇଛନ୍ତି। ସମସ୍ତ କୃତୀ ଖେଳାଳିଙ୍କୁ ଟିଟିଏଫ୍‍ଆଇ ପକ୍ଷରୁ ଯେତିକି ପୁରସ୍କାର ରାଶି ପ୍ରଦାନ କରାଯାଉଛି; ଓଡ଼ିଶା ସରକାର ମଧ୍ୟ ଖେଳାଳିଙ୍କୁ ସମାନ ଅଙ୍କର ପୁରସ୍କାର ପ୍ରଦାନ କରିବେ ବୋଲି କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା କରିଥିଲେ। ପୁଣି ଭାରତୀୟ ଟେବୁଲ ଟେନିସ୍‍ ଇତିହାସରେ ଏହା ଅଦ୍ୟାବଧି ସର୍ବଶ୍ରେଷ୍ଠ ଆୟୋଜିତ ଜାତୀୟ ଚମ୍ପିଆନ୍‍ସିପ୍‍ ବୋଲି ଟିଟିଏଫ୍‍ଆଇ ସମ୍ପାଦକ ଏମ୍‍.ପି. ସିଂହ ଘୋଷଣା କରିଥିଲେ।
ପଶ୍ଚିମବଙ୍ଗର ଯୋଡ଼ି ରୋନିତ ଭଞ୍ଜ ଓ ଅର୍ଜୁନ ଘୋଷ ପୁରୁଷ ଡବଲ୍‍ସ ଚମ୍ପିଆନ ହୋଇଛନ୍ତି। ଫାଇନାଲରେ ବଙ୍ଗଳାର ଦୁଇ ଯୁବ ଖେଳାଳି ରୋନିତ-ଅର୍ଜୁନ ରେଳବାଇର ଅନିର୍ବାଣ ଘୋଷ ଓ ଅନିର୍ବାଣ ନନ୍ଦୀଙ୍କୁ ୩-୧ (୧୪-୧୨, ୮-୧୧, ୧୧-୯, ୧୨-୧୦) ଗେମ୍‍ରେ ପରାସ୍ତ କରିଛନ୍ତି। ଚମ୍ପିଆନ୍‍ ରୋନିତ-ଅର୍ଜୁନ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଭାଗ କରିଥିବା ବେଳେ ଘୋଷ-ନନ୍ଦୀ ୭୫୦୦ ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି। ତେଲଙ୍ଗାନାର ନିଖତ ବାନୁ ଓ ଆକୁଲା ଶ୍ରୀଜା ମହିଳା ଡବଲ୍‍ସ ଚମ୍ପିଆନ୍‍ ହୋଇଛନ୍ତି। ଫାଇନାଲରେ ନିଖତ-ଶ୍ରୀଜା ଯୋଡ଼ି ମହାରାଷ୍ଟ୍ରର ଯୋଡ଼ି ଅନନ୍ୟା ବସାକ୍‍ ଓ ଶ୍ରୁତି ହାଲେଙ୍ଗାଡ଼ିଙ୍କୁ ୩-୧ (୧୧-୨, ୧୧-୮, ୮-୧୧, ୧୧-୭) ଗେମ୍‍ରେ ପରାସ୍ତ କରିଛନ୍ତି। ଚମ୍ପିଆନ୍‍ ନିଖତ-ଶ୍ରୀଜା ଯୋଡ଼ି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଭାଗ କରିଥିବା ବେଳେ ଅନନ୍ୟା-ଶ୍ରୁତି ୧୫୦୦୦ ଟଙ୍କା ପୁରସ୍କାର ରାଶି ଭାଗ କରିଛନ୍ତି। ପୂର୍ବରୁ ପିଏସ୍‍ପିବିର ଅଚନ୍ତ ଶରତ କମଲ ଓ ମାନିକା ବାତ୍ରା ମିକ୍ସଡ ଡବଲ୍‍ସ ଚମ୍ପିଆନ୍‍ ହୋଇଥିଲେ। ଚମ୍ପିଆନ୍‍ ଶରତ କମଲ-ମାନିକାଙ୍କୁ ମୋଟ ୨୫ ହଜାର ଓ ରନର୍ସଅପ୍‍ ଯୋଡ଼ି ମୋଟ ୧୫ ହଜାର ଟଙ୍କା ପୁରସ୍କାର ପାଇଥିଲେ।
ମହିଳା ସିଙ୍ଗଲ୍‍ସ ସେମିଫାଇନାଲରେ ପିଏସ୍‍ସିବିର ମାନିକା ବାତ୍ରା ଫେଭରିଟ୍‍ ଥିଲେ ହେଁ ତାଙ୍କ ଦଳର ଯୁବା ଖେଳାଳି ଅର୍ଚ୍ଚନା କାମତ୍‍ ଚମତ୍କାର ପ୍ରଦର୍ଶନ କରି ୪-୧ (୧୧-୭, ୧୧-୭, ୧୧-୭, ୬-୧୧, ୧୧-୮) ଗେମ୍‍ରେ ପରାସ୍ତକରି ଫାଇନାଲରେ ପହଞ୍ଚିଥିଲେ। ଅନ୍ୟ ସେମିଫାଇନାଲରେ ପଶ୍ଚିମବଙ୍ଗର ଦୁଇ ଖେଳାଳି କୃତିକା ସିହ୍ନା ରାୟ କଡ଼ା ମୁକାବିଲା ପରେ ତାଙ୍କ ରାଜ୍ୟର ଆୟହିକା ମୁଖାର୍ଜୀଙ୍କୁ ୪-୩ (୧୧-୬, ୧୧-୧୩, ୧୫-୧୩, ୧୫-୧୭, ୧୧-୮, ୩-୧୧, ୧୧-୭) ଗେମ୍‍ରେ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲରେ ପିଏସ୍‍ପିବିର ଏ. ଶରତ କମଲ ନିଜ ଦଳର ମାନବ ଠକ୍କରଙ୍କୁ ୪-୧ (୮-୧୧, ୧୧-୮, ୧୧-୫, ୧୧-୬) ଗେମ୍‍ରେ ପରାସ୍ତକରି ଫାଇନାଲରେ ପହଞ୍ଚିଥିବା ବେଳେ ୨ୟ ସିଡ୍‍ ପିଏସ୍‍ପିବିର ଜି. ସତ୍ୟନ୍‍ ସହଜରେ ପଶ୍ଚିମବଙ୍ଗର ରୋନିତ ଭଞ୍ଜଙ୍କୁ ୪-୦ (୧୧-୨, ୧୧-୩, ୧୧-୯, ୧୧-୭) ଗେମ୍‍ରେ ପରାସ୍ତକରି ଟାଇଟଲ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟଅତିଥି ଥିଲେ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ର ସଭାପତି ତଥା ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା, ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ଶାସନ ସଚିବ ଦେବୀପ୍ରସାଦ ବାଗ୍‍ଚି, ବରିଷ୍ଠ ଉପସଭାପତି ତଥା ଇଡ୍‍କୋ ସିଏମ୍‍ଡି ସଞ୍ଜୟ କୁମାର ସିଂହ, ରାଜ୍ୟ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, କେନ୍ଦ୍ରାଞ୍ଚଳ ଆର୍‍ଡିସି ମହେନ୍ଦ୍ର କୁମାର ମଲ୍ଲିକ, କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଭାରତୀୟ ଟେବୁଲ ଟେନିସ ମହାସଂଘ (ଟିଟିଏଫ୍‍ଆଇ)ର ସମ୍ପାଦକ ଏମ୍‍ପି ସିଂହ, ଉପସଭାପତି ସଞ୍ଜୟ ସିଂହ, ପରାମର୍ଶଦାତା ଧନରାଜ ଚୌଧୁରୀ, କୋଷାଧ୍ୟକ୍ଷ ଅରୁଣ ବାନାର୍ଜୀ, ରାଜ୍ୟ ଟିଟି ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଉପସଭାପତି ଚିତ୍ତରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ନିହାର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

Leave A Reply