ରାଷ୍ଟ୍ରପତି ନିର୍ବାଚନ : ସୋନିଆଙ୍କୁ ପ୍ରସ୍ତାବ ଦେବେ ସୁର

ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବା ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନେବାକୁ ସେ ସୋନିଆଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି । ତାଙ୍କ ଦଳ ଦ୍ରୌପଦୀଙ୍କୁ ସମର୍ଥନ ଦେବ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ପଷ୍ଟ କରିଥିବା ବେଳେ ଶନିବାର ସୁର ରାଉତରାୟ ଏଭଳି ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ, ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚନ ଜିତି ସାରିଛନ୍ତି । ହୃଦୟରୁ ମୁଁ ତାଙ୍କୁ ସମର୍ଥନ କରୁଛି । ମୋର ୫୦ ବର୍ଷର ଅଭିଜ୍ଞତା କହୁଛି ଦ୍ରୌପଦୀ ଜିତି ସାରିଛନ୍ତି। ସେ ଭାରତ ବର୍ଷର ଆଗାମୀ ରାଷ୍ଟ୍ରପତି। ଖାଲି ଘୋଷଣା ବାକି ରହିଛି । ସେ ଜଣେ ଓଡି଼ଆ, ତେଣୁ ମୁଁ ଖୁବ୍ ଗର୍ବିତ । ତାଙ୍କୁ ଓଡ଼ିଶା ଭବନରେ ସାକ୍ଷାତ କରି ଅଭିନନ୍ଦନ ଜଣାଇସାରିଛି । ଆମେ ଚାହୁଁଥିଲୁ ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତୁ। ଯେଉଁ ୩-୪ ଜଣଙ୍କ ନାଁ ଚର୍ଚ୍ଚା ହେଉଥିଲା ସେଥିରୁ ତାଙ୍କ ନାଁ ବଛା ଯାଉ ବୋଲି ଆମେ ଚାହୁଁଥିଲୁ । ଆମେ ଏକା ସଙ୍ଗେ ବିଧାୟକ ହୋଇଥିଲୁ ମନ୍ତ୍ରୀ ବି ହେଇଥିଲୁ । ତାପରେ ସେ ଗଭର୍ଣ୍ଣର ହେଲେ । ଏବେ ସେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏଥିପାଇଁ ମୁଁ ଭାରି ଗର୍ବିତ । ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନିଅନ୍ତୁ । ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ।
ତେବେ ମୁଁ ସିନା ଓଡ଼ିଆ ବୋଲି ଓଡ଼ିଆ ଝିଅ ଦ୍ରୌପଦୀଙ୍କ ପାଇଁ ଗର୍ବିତ, ହେଲେ ମୋ ସୁପ୍ରିମୋ ସୋନିଆ ଗାନ୍ଧି । ମୋ ସୁପ୍ରିମୋ ରାହୁଲ ଗାନ୍ଧି। ମୁଁ କଂଗ୍ରେସ କ୍ୟାଡର। ତେଣୁ ଦଳ ଯାହା କହିବ ସେଇ ଧାରାରେ ଯିବାକୁ ହେବ । ସେମାନେ ଯାହା ନାଁ ପ୍ରସ୍ତାବ ଦେବେ ଆମେ ତାଙ୍କୁ ହିଁ ଭୋଟ ଦେବୁ। କିନ୍ତୁ ଯଦି ସେ କହିବେ ଫ୍ରି ଫର ଅଲ୍ ତେବେ ଦ୍ରୌପଦୀଙ୍କୁ ମୋର ସମର୍ଥନ ରହିବ । ଯଦି ଉପରୁ ଅର୍ଡର ଆସିବ ଯଶୱନ୍ତ ସିହ୍ନା ଆମ କ୍ୟାଣ୍ଡିଡେଟ୍ ତେବେ ମୋ ଭୋଟ ତାଙ୍କୁ ଯିବ ବୋଲି କହିଛନ୍ତି ସୁର ରାଉତରାୟ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନ ନେଇ କିଛି ଦିନ ପୂର୍ବେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ଦ୍ରୌପଦୀ ବିଜେପି ଚିନ୍ତାଧାରାର ହୋଇଥିବାରୁ ତାଙ୍କୁ କଂଗ୍ରେସ କେବେ ବି ସମର୍ଥନ କରିପାରିବ ନାହିଁ । ଦଳ ପକ୍ଷରୁ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ ଅନ୍ୟ ଜଣଙ୍କୁ ସମର୍ଥନ କରିବା ଠିକ୍ ନୁହେଁ ।

Comments are closed.