ନାଗରିକତ୍ୱ ସଂଶୋଧନ ଆଇନ୍‍ ପ୍ରତିବାଦକୁ ବିରୋଧ କଲେ ବରିଷ୍ଠ ନାଗରିକ 

ସମାଜ ପୋର୍ଟାଲ ଡେସ୍କ: ୧୫୪ ଜଣ ବିଶିଷ୍ଟ ନାଗରିକ ବିଶେଷ କରି ପୂର୍ବତନ ବିଚାରପତି, ପ୍ରଶାସକ, ସେନା ଅଧିକାରୀ ଓ ଶିକ୍ଷାବିତ୍‍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖି ଦେଶରେ ଚାଲିଥିବା ନାଗରିକତ୍ୱ ସଂଶୋଧନ ଆଇନ୍‍ ବିରୋଧୀ ପ୍ରତିବାଦ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଯେ ଏଭଳି ପ୍ରତିବାଦ ଉଦ୍ଦେଶ୍ୟମୂଳକ ଓ ଅସତ୍ୟ ଉପରେ ଆଧାରିତ। ଏହି ଅଭିଯାନ ଆଇନ୍‍ ବିରୋଧୀ। ଜାତୀୟ ନାଗରିକ ପଞ୍ଜିକା ଏନ୍‍.ପି.ଆର୍‍. ଏବଂ ଏନ୍‍.ଆର୍‍.ସି. ରାଷ୍ଟ୍ର ଏବଂ ଏହାର ବୈଧ ନାଗରିକଙ୍କୁ କୌଣସି କ୍ଷତି ପହଞ୍ଚାଇବାକୁ ଉଦ୍ଦିଷ୍ଟ ନ ଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଏହା ବିରୋଧରେ ଅପପ୍ରଚାର ଓ ଅଭିଯାନ ଚାଲିଛି। ସେମାନେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଆହୁରି ଦର୍ଶାଇଛନ୍ତି ଯେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନର ସୁରକ୍ଷା ନିମନ୍ତେ ସରକାର ଏସବୁ ପ୍ରତିବାଦକୁ ଗୁରୁତର ସହ ନଜର ଦେଇ ସତର୍କ ରହିବା ଉଚିତ। ଯେଉଁମାନେ ଏଭଳି ବିଭ୍ରାନ୍ତିକର ଏବଂ ଉଦ୍ଦେଶ୍ୟ ମୂଳକ କାର୍ଯ୍ୟ ପଛରେ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ବିଶିଷ୍ଟ ନାଗରିକମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।

ଏହି  ଚିଠିରେ ବିଭିନ୍ନ ହାଇକୋର୍ଟର ୧୧ ଜଣ ପୂର୍ବତନ ବିଚାରପତି, ୨୪ ଜଣ ଅବସରପ୍ରାପ୍ତ ଆଇ.ଏ.ଏସ୍‍. ଅଧିକାରୀ, ୧୧ ଜଣ ପୂର୍ବତନ ଭାରତୀୟ ବିଦେଶସେବା ଅଧିକାରୀ, ୧୬ ଜଣ ପୂର୍ବତନ ଆଇ.ପି.ଏସ୍‍. ଅଧିକାରୀ ଓ ୧୮ ଜଣ ପୂର୍ବତନ ଲେପ୍ଟନାଣ୍ଟ ଜେନେରାଲ ଅଛନ୍ତି। ସେମାନେ  ଦର୍ଶାଇଛନ୍ତି ଯେ ସି.ଏ.ଏ. ବିରୋଧୀ ଏହି ଅଭିଯାନ ଏକ ସୁସଂଗଠିତ ଉପାୟରେ ଚାଲିଛି। ଯାହାଦ୍ୱାରା ହିଂସାକାଣ୍ଡ ଘଟି ସାଧାରଣ ଧନଜୀବନର କ୍ଷତିଘଟୁଛି। ସି.ଏ.ଏ., ଏନ୍‍.ପି.ଆର୍‍. ଓ ଏନ୍‍.ଆର୍‍.ସି.କୁ ନେଇ ଅସତ୍ୟ ଏବଂ ଉଦ୍ଦେଶ୍ୟ ମୂଳକ ଭାବେ ଅପପ୍ରଚାର ଚାଲିଛି। ଏହା ଦ୍ୱାରା ଲୋକଙ୍କ ଅଯଥା ଭୟଭୀତ କରିବା ସହ ଏକ ହିଂସାର ବାତାବରଣ ସୃଷ୍ଟି କରାଯାଉଛି ବୋଲି ସେମାନେ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

Comments are closed.