ବରିଷ୍ଠ ନାଗରିକ ଓ ବହୁ ରୋଗରେ ପୀଡ଼ିତଙ୍କ ଉପରେ ନଜର, ସହାୟତା ପାଇଁ ୧୦ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭୁବନେଶ୍ବର: କଟକ ଜିଲାରେ ବରିଷ୍ଠ ନାଗରିକ ଓ ବହୁ ରୋଗରେ ପୀଡ଼ିତଙ୍କ ସମେତ ଗର୍ଭବତୀ ଓ ଶିଶଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏମାନଙ୍କୁ ତ୍ବରିତ୍ବ ଚିକିତ୍ସା ସେବା ପ୍ରଦାନ ସାଙ୍ଗକୁ ଜିଲାରେ କରୋନା ମୁକାବିଲା ପାଇଁ ୧୦ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରାଯାଇଛି। କରୋନା ଟେଷ୍ଟିଂ ପରେ ଯଦି କାହାର ପଜିଟିଭ୍‌ ବାହାରେ ତାହେଲେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ସେଠାକୁ ସଙ୍ଗେ ସଙ୍ଗେ ଯାଉଛନ୍ତି। ଏହି ଟିମ୍‌ରେ ଜଣେ ଏମ୍‌ବିବିଏସ୍‌ କିମ୍ବା ଆୟୁଷ ଡାକ୍ତର ରହିଛନ୍ତି। ସେମାନେ ସେଠାକୁ ଯାଇ ପଜିଟିଭ୍‌ ଆକ୍ରାନ୍ତଙ୍କୁ କିଭଳି ଚିକିତ୍ସା ଦିଆଯାଇ ପାରିବ ତାହା ବୁଝାଉଛନ୍ତି। ପୁଲିସ ପକ୍ଷରୁ ୧୦୦୦୦ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ଗୋଟିଏ ଲେଖାଏଁ ବରିଷ୍ଠ ନାଗରିକ କାର୍ଡ ଦିଆଯାଇଛି। ଏହାସହିତ ପୁଲିସ ପକ୍ଷରୁ ସେମାନଙ୍କୁ ଗୋଟିଏ ବହି ଦିଆଯାଇଛି, ଯେଉଁଥିରେ ଔଷଧ, ହୋମ୍‌ ଡେଲିଭରି ସୁବିଧା ରହିଛି। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେମାନଙ୍କ ଟେଲିଫୋନ୍ ନମ୍ବର ପୁଲିସ ସଂଗ୍ରହ କରିଛି। ପ୍ରତି ବରିଷ୍ଠ ନାଗରିକଙ୍କ ପାଇଁ ଜଣେ ଲେଖାଏଁ ନୋଡାଲ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ନାଗରିକ ତାଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ। ବରିଷ୍ଠ ନାଗରିକ ଓ ବହୁରୋଗରେ ପୀଡ଼ିତ ଲୋକ କିଭଳି ଧ୍ୟାନ ରଖାଯାଇ ପାରିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ତଥା କଟକର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ୍ ଗର୍ଗ ପ୍ରକାଶ କରିଛନ୍ତି।

Comments are closed.