ଦ୍ୱିତୀୟଥର ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ମନୋହର ଲାଲ ଖଟ୍ଟର ଆଜି (ରବିବାର) ଦ୍ୱିତୀୟଥର ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ନରେ ହରିଆଣା ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ହରିଆଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଗତକାଲି ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ରାଜ୍ୟପାଳ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କୁ ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ମନୋହର ଲାଲ
କହିଛନ୍ତି ରାଜ୍ୟପାଳ ସରକାର ଗଠନ ପାଇଁ ତାଙ୍କ ଦାବିକୁ ଗ୍ରହଣ କରି ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି।

ଗତକାଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବିଜେପି ସାଧାରଣ ସଂପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଖଟ୍ଟର ବିଜେପି ବିଧାୟକ ଦଳ ନେତା ଭାବେ ମନୋନୀତ ହେବା ପରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପ୍ରସାଦ କହିଛନ୍ତି ଦଳ ରାଜ୍ୟରେ ଏକ ସ୍ଥିର, ସ୍ୱଚ୍ଛ ଓ ସକ୍ଷମ ସରକାର ଗଠନ କରିବ। ଖଟ୍ଟର ଜନନାୟକ ଜନତା ପାର୍ଟି ଓ ଅନ୍ୟ ଛଅଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଗଠିତ ମେଣ୍ଟ ସରକାରର ନେତୃତ୍ୱ ନେବେ। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବିଜେପି ୪୦ଟି ଆସନ ପାଇଥିବାବେଳେ ଜେଜେପି ୧୦ଟି ଓ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Comments are closed.