ସେଂଜେ ସେରିଂ ଧାରା ୩୭୦ ଉଚ୍ଛେଦକୁ କଲେ ସମର୍ଥନ, ଗିଲଗିଟ-ବାଲ୍ଟିସ୍ତାନକୁ କହିଲେ ଭାରତର ଅଂଶ

0

ଜେନେଭା : ଜେନେଭାରେ ଆୟୋଜିତ ମିଳିତ ଜାତିସଂଘ ମାବାଧିକାର ଆୟୋଗ (ୟୁଏନଏଚଆରସି)ର ୪୨ତମ ଅଧିବେଶନରେ ବୁଧବାର ଗିଲଗିଟ-ବାଲ୍ଟିସ୍ତାନର ସାମାଜିକ କାର୍ଯ୍ୟକର୍ତ୍ତା ସେଂଜେ ସେରିଂ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଗିଲଗିଟ-ବାଲ୍ଟିସ୍ତାନ ଭାରତର ଏକ ଅଂଶ ଅଟେ। ମିଳିତ ଜାତିସଂଘର ସଦସ୍ୟଙ୍କୁ ଏହା ବୁଝିବାକୁ ପଡିବ ଯେ ପାକିସ୍ତାନ ଗତ ୭୦ ବର୍ଷ ହେବ ଏହାକୁ ଅବରୋଧ କରି ରଖିଛି।

ସେଂଜେ ସେରିଂ କହିଥିଲେ ଯେ ଧାରା ୩୭୦ ଜାମ୍ମୁ କାଶ୍ମୀରରେ କିଛି ଲୋକଙ୍କ ହାତରେ ଏକ ଖେଳଣା ହୋଇଯାଇଥିଲା ଏବଂ ଏଭଳି ଲୋକଙ୍କୁ ଅନ୍ୟ ଜାତି ଓ ଧର୍ମ ଉପରେ ଭିଟୋ ପାୱାର ଦେଇଥିଲା। ଏହି ଲୋକମାନେ ପାକିସ୍ତାନ ସେନାର ସହଯୋଗୀ ହୋଇଯାଇଥିଲେ ଓ ଜାମ୍ମୁ କାଶ୍ମୀରରେ ପାକିସ୍ତାନ ପାଇଁ କାର୍ଯ୍ୟ କରୁଥିଲେ। ଏବେ ଧାରା ୩୭୦ ଉଚ୍ଛେଦ ଦ୍ୱାରା ଜାମ୍ମୁ କାଶ୍ମୀରର ହିତ ହେବ। ସେହିପରି ଗିଲଗିଟ ବାଲ୍ଟିସ୍ତାନର ଅବସରପ୍ରାପ୍ତ କର୍ଣ୍ଣେଲ ୱଜାହତ ହସନ ୟୁଏନଏଚଆରସି ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ପାକିସ୍ତାନ ଜାମ୍ମୁ କାଶ୍ମୀରକୁ ଏକ ବିବାଦୀୟ ଅଞ୍ଚଳ ବୋଲି କହୁଛି। ତେବେ କେଉଁ ଆଧାରରେ ଏହି ଦାବି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ଗିଲଗିଟ ବାଲ୍ଟିସ୍ତାନକୁ ଆଉ ଅଧିକ ଦିନ ଧରି ପକାଇ ନରଖିବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ଅବସରରେ ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ଜାମ୍ମୁ କାଶ୍ମୀରରେ ମଧ୍ୟସ୍ଥତା କରିବାକୁ ମନା କରିଦେଇଛନ୍ତି। ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ବିବାଦକୁ ସମାଧାନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ଓ ଭାରତ କହିଲେ ହିଁ ଏହା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ ଗତ ମାସରେ ଜି-୭ ସମ୍ମିଳନୀରେ ଆଣ୍ଟୋନିଓ ଗୁଟେରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହାପରେ ସେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀଙ୍କୁ ବି ଭିଟିଥିଲେ।

Leave A Reply