କାଜୁ ଯୋଗାଉଛି ଆହାର, ଯିବାକୁ ପଡୁନି ଦାଦନ

ସ୍ୱାବଲମ୍ବୀ ହେଲେଣି ଆଦିମ ବଣ୍ଡା ଯୁବତୀ

ମାଲକାନଗିରି : ମାଲକାନଗିରି ଜିଲାର ଆଦିମ ବଣ୍ଡା ସମ୍ପ୍ରଦାୟର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ନ ଯାଇ ନିଜ ମାଟିରେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। କାଜୁ ବଦଳାଇଛି ଆଦିମ ଜନଜାତିଙ୍କ ଜୀବନ ଧାରା। ଜଙ୍ଗଲର ଅଦରକାରୀ କାଜୁ ସଂଗ୍ରହ କରି ରୋଜଗାରର ବାଟ ବାହାର କରିଛନ୍ତି ବଣ୍ଡା ଯୁବତୀ। କାଜୁ ପ୍ରକ୍ରିୟାକରଣ କରି ଦୁଇ ପଇସା ରୋଜଗାର କରୁଛନ୍ତି। ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉ ନାହାନ୍ତି। ଦୀର୍ଘ ଦିନ ଧରି କ୍ଷତି ସହୁଥିବା ସରାକାରୀ କାଜୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ବଣ୍ଡା ସମବାୟ ସମିତିର ଯୁବତୀମାନେ ନିଜ ହାତକୁ ନେଇ ବଣ୍ଡାଘାଟିର କାଜୁର ଏକ ସ୍ୱାତନ୍ତ୍ର ପରିଚୟ ଦେଇପାରିଛନ୍ତି। ସେମାନଙ୍କ ମୁହଁରେ କାଜୁ ଯୋଗାଉଛି ଆହାର। ମାଲକାନଗିରି ମୁଣ୍ଡିଗୁଡାସ୍ଥିତ ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ କେନ୍ଦ୍ରରେ ଲାଗି ପଡିଛନ୍ତି ଆଦିମ ବଣ୍ଡା ସମ୍ପ୍ରଦାୟର ଯୁବତୀମାନେ।

ପ୍ରଥମେ ବଣ୍ଡାଘାଟି ଉପରୁ ବଣ୍ଡା ଜନଜାତିର ଲୋକେ କାଜୁ ସଂଗ୍ରହ କରନ୍ତି। ଆଉ କିଲୋ ପିଛା ୮୦ରୁ ୧୦୦ ଟଙ୍କା ମୂଲ୍ୟ ଦେଇ ବଣ୍ଡା ଯୁବତୀଙ୍କୁ ନେଇ ଗଠିତ ସମବାୟ ସମିତିର ଯୁବତୀମାନେ କାଜୁଗୁଡିକ କ୍ରୟ କରି ଆଣନ୍ତି। ଆଉ ସେହି ସମିତିର ଅନ୍ୟ ଯୁବତୀମାନେ ଏହି ପ୍ରକ୍ରିୟାକରଣ କେନ୍ଦ୍ରରେ କାଜୁଗୁଡିକ ପ୍ରଥମେ ବୟଲ କରିଥାନ୍ତି। ସେଗୁଡିକ ଶୁଖିଲା ପରେ ମେଶିନ ସାହାଯ୍ୟରେ କାଜୁ ଭାଙ୍ଗି ତାହାର ଚୋପା ଛଡାଇ ଗ୍ରେଡିଂ କରିଥାନ୍ତି। ଆଉ ଗ୍ରେଡ ଅନୁସାରେ କାଜୁକୁ ପ୍ୟାକିଙ୍ଗ କରାଯାଏ। ‘ଏ’ ଗ୍ରେଡ ଗୋଟା କାଜୁ ୧,୦୦୦ ଟଙ୍କା କିଲୋଗ୍ରାମ ବିକ୍ରି ହୋଉ ଥିବାବେଳେ ‘ବି’ ଗ୍ରେଡର ଫେଡା କାଜୁ କିଲୋ ପିଛା ଦର ରହିଛି ୮୦୦ରୁ ୮୫୦ ଟଙ୍କା। ଏହି କାଜୁ ପ୍ରୋସେସିଂ ପ୍ଲାଣ୍ଟ ଏବେ ୫୦ରୁ ଊର୍ଦ୍ଧ୍ବ ବଣ୍ଡା ଯୁବତୀଙ୍କୁ ସିଧାସଳଖ ରୋଜଗାର ଯୋଗାଉଛି। ଏହି ବଣ୍ଡା ଯୁବତୀଙ୍କ ଦାଦନ ଖଟିବା ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଟାଣି ହୋଇଛି। ଖୁବ କମ ଦିନରେ ବଣ୍ଡାଘାଟିରେ ମାଲ୍ୟବନ୍ତ କାଜୁ ବ୍ରାଣ୍ଡ ବଜାରରେ ଏକ ସ୍ୱାତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାଲ୍ୟବନ୍ତ କାଜୁ ମାଲକାନଗିରି ଅପେକ୍ଷା କୋରାପୁଟ ଓ ବିଶାଖାପାଟଣାରେ ଅନେକ ଚାହିଦା ରହିଛି। ଟିଡିସିସି ଜରିଆରେ ଏହି କାଜୁ ରାଜ୍ୟର ବିଭିନ୍ନ ବଜାରକୁ ବିକ୍ରୀ ହେଉଛି। ସେଠାରେ ଆଉ କିଛି ଆଧୁନିକ ମେଶିନାରୀ ଯୋଗାଇ ଦେଲେ ଏହାର କାର୍ଯ୍ୟକ୍ଷମତା ବହୁ ଗୁଣିତ ହବା ସହ ରୋଜଗରା କ୍ଷମତା ମଧ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି। ବଣ୍ଡାଘାଟିରେ ପ୍ରାୟ ୬୦୦ ହେକ୍ଟର ପାହାଡିଆ ଜମିରେ ବଣ୍ଡା ଉନ୍ନୟନ ସଂସ୍ଥା ଦ୍ୱାର ଏସସିଏ ଯୋଜନାରେ କାଜୁ ବଗିଚା କରାଯାଇଥିଲା। ଆଉ ସେଠାରୁ ଅମଳ କାଜୁର ସଦବିନିଯୋଗ ସହ ବଣ୍ଡା ସମ୍ପ୍ରଦାୟର ଉନ୍ନତି ଲାଗି ୨୦୧୬ ମସିହାରେ ମୁଣ୍ଡିଗୁଡାଠାରେ ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ପ୍ରଥମ ଦୁଇ ବର୍ଷ ପ୍ରକଳ୍ପରେ ବ୍ୟାପକ କ୍ଷତି ଯୋଗୁ ତୃତୀୟ ବର୍ଷ ପ୍ରକଳ୍ପକୁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ବନ୍ଦ କରିଥିଲା। ବଣ୍ଡାଘାଟିର ୫ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ନେଇ ଏକ ସମବାୟ ସମିତି ଗଠନ କରାଯାଇ ପ୍ରତିଟି ଏସଏଚଜିକୁ ୫ ଲକ୍ଷ ଟଙ୍କା ଲେଖାଏଁ ରିଭୋଲଭିଂ ପାଣ୍ଠି ପ୍ରଦାନ କରାଯାଇ ଏହି ପ୍ରକଳ୍ପକୁ ସେଇ ସମବାୟ ସମିତି ହାତରେ ଟେକି ଦେଇଛି ଜିଲା ପ୍ରଶାସନ। ଅର୍ଥାତ ଲାଭ ହେଲେ ସେମାନଙ୍କର, ଆଉ କ୍ଷତି ହେଲେ ମଧ୍ୟ ସେମାନଙ୍କର। ସମୁଦ୍ର ପତନଠାରୁ ପ୍ରାୟ ୫୦୦୦ ଫୁଟ ଉଚ୍ଚ, ମାଲକାନଗିରି ବଣ୍ଡା ଘାଟିରେ ବସବାସ କରନ୍ତି ପ୍ରାୟ ୭୦୦୦ରୁ ଊର୍ଦ୍ଧ୍ବ ବଣ୍ଡା ସମ୍ପ୍ରଦାୟର ଲୋକେ। ଜଙ୍ଗଲ ଜାତଦ୍ରବ୍ୟ ଉପରେ ସେମାନେ ନିର୍ଭର କରୁଛନ୍ତି। ପୁରୁଷମାନେ ଶିକାର କରି ଆମୋଦ ପ୍ରମୋଦ କରି ଦିନ ବିତାଉ ଥାନ୍ତି। ବଣ୍ଡା ମହିଳାମାନେ କାମଧନ୍ଦା କରି ଘର ସଂସାର ଚଳାଇ ଥାନ୍ତି।

Comments are closed.