ଗୋଟିଏ ସଂକଳ୍ପ, ଗୋଟିଏ ଲକ୍ଷ୍ୟ – ଆତ୍ମନିର୍ଭରଶୀଳ ଭାରତ : ଅମିତ ଶାହ

ସମାଜ ପୋର୍ଟାଲ ଡେସ୍କ: ଦେଶକୁ ଆତ୍ମନିର୍ଭରଶୀଳ କରିବା ଏବଂ ଭାରତରେ ନିର୍ମିତ ଉତ୍ପାଦ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିବା ପରେ ଏହା ଭବିଷ୍ୟତରେ ବିଶ୍ଵର ନେତୃତ୍ଵ ନେବାରେ ଭାରତର ମାର୍ଗକୁ ପ୍ରଶସ୍ଥ କରିବ ବୋଲି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହି ମର୍ମରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କ୍ୟାଣ୍ଟିନ ଏବଂ ଷ୍ଟୋରଗୁଡ଼ିକ କେବଳ ସ୍ୱଦେଶୀ ଉତ୍ପାଦ ବିକ୍ରି କରିବେ। ଜୁନ ୧ରୁ ଏହି ବ୍ୟାବସ୍ଵଛ ସାରା ଦେଶରେ ସମସ୍ତ ସିଏପିଏଫ କ୍ୟାଣ୍ଟିନ ପାଇଁ ଲାଗୁ ହେବ, ଫଳରେ ମୋଟ କ୍ରୟ ପରିମାଣ ପ୍ରାୟ ୨୮୦୦ କୋଟି ଟଙ୍କା ହେବ। ଏହାଦ୍ଵାରା ପ୍ରାୟ ୧୦ ଲକ୍ଷ ସିଏପିଏଫ କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବେ।

ଏ ନେଇ ଶାହା ଦେଶରେ ଉତ୍ପାଦିତ ସାମଗ୍ରୀକୁ ଯଥାସମ୍ଭବ ବ୍ୟବହାର କରିବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାର ସମୟ ବୋଲି ସେ କହିଛନ୍ତି। ଯଦି ପ୍ରତ୍ୟେକ ଭାରତୀୟ ଭାରତରେ ନିର୍ମିତ ଉତ୍ପାଦ ଦ୍ରବ୍ୟ ବ୍ୟବହାର କରିବାକୁ ସଂକଳ୍ପ ନିଅନ୍ତି, ତେବେ ପାଞ୍ଚ ବର୍ଷ ମଧ୍ୟରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଦେଶର ଜନସାଧାରଣଙ୍କୁ ନିବେଦନ କରି ଗୃହମନ୍ତ୍ରୀ କହିଛନ୍ତି, ଆସନ୍ତୁ ଆମେ ସମସ୍ତେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରି ଆତ୍ମନିର୍ଭରଶୀଳ ଭାରତର ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ସଫଳ କରିବା।

Comments are closed.