ମେ ୨୯ରେ ଶୀତଳ ଷଷ୍ଠୀ ଯାତ୍ରା; ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା

ଶୀତଳ ଷଷ୍ଠୀ ଯାତ୍ରା ପ୍ରତି ସରକାରୀ ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ       

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ସପ୍ତାହବ୍ୟାପି ଶୀତଳଷଷ୍ଠୀ ଯାତ୍ରା ଉତ୍ସବ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ଏହି ଲୌକିକ ଦେବ ବିବାହ ଉତ୍ସବର ଆୟୋଜନ ଜିଲା ପ୍ରଶାସନର ସହଯୋଗରେ ଯାତ୍ରା କମିଟି ପକ୍ଷରୁ ଆୟୋଜନ କରାଯାଇଥାଏ। ଶହ ଶହ ବର୍ଷ ପୁରୁଣା ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥାଏ। ଉତ୍ସବ ପାଇଁ ଅକ୍ଷୟ ତୃତୀୟା ପୂର୍ବରୁ ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ସେହି ବର୍ଷର ରୂପରେଖ ନିର୍ଦ୍ଧାରିତ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଦେବ ବିବାହ ଉତ୍ସବ ପାଇଁ ପ୍ରଶାସନ ତରଫରୁ କୌଣସି ପ୍ରକାରର ସୂଚନା ଯାତ୍ରା କମିଟିକୁ ଦିଆଯାଇ ନାହିଁ କି ସର୍ମ୍ପକ ମଧ୍ୟ କରାଯାଇ ନାହିଁ। ଅନ୍ୟ ପଟରେ ଦେବ ବିବାହ ଉତ୍ସବ କାର୍ଯ୍ୟକ୍ରମର ତିଥି ପାଖେଇ ଆସୁଥିବା ବେଳେ ଯାତ୍ରା ଆୟୋଜନ କରୁଥିବା ସର୍ବ ପୁରାତନ ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଶୀତଳ ଷଷ୍ଠୀ ଯାତ୍ରା କମିଟିକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀକାଳୀନ ବୈଠକ ବୁଧବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଝାଡୁଆପଡାରେ ସ୍ଥିତ କମିଟୀର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଆଜୀବନ କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର ସଭାପତିତ୍ୱ କରିଥିଲେ। ବୈଠକରେ ଶହ ଶହ ବର୍ଷର ପୁରାତନ ଧାର୍ମିକ ଉତ୍ସବ ପ୍ରତି ଜିଲା ପ୍ରଶାସନର ଉଦାସୀନ ଆଭିମୁଖ୍ୟକୁ ସଦସ୍ୟ ମାନେ କଡା ନିନ୍ଦା କରିବା ସହିତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାର ପୁରୀର ରଥଯାତ୍ରା ପାଇଁ ଆଗତୁରା ପଦକ୍ଷେପ ନେଉଥିବା ବେଳେ ପଶ୍ଚିମ ଓଡିଶାର ବିଭିନ୍ନ ପରମ୍ପରାକୁ ଜାଣିଶୁଣି ଅଣଦେଖା କରୁଛନ୍ତି ବୋଲି ସଦସ୍ୟ ମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯାତ୍ରା କମିଟି ଗୁଡିକ ଉତ୍ସବ ପାଇଁ ପାଣ୍ଠି ସଂଗ୍ରହ କରୁ ନ ଥିବା ବେଳେ ଗତ ବର୍ଷର ସରକାରୀ ଅନୁଦାନ ଏ ପର୍ଯ୍ୟନ୍ତ ନ ମିଳିବା କ୍ଷୋଭର ବିଷୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏଣୁ ଚଳିତ ବର୍ଷର ଉତ୍ସବ ଆୟୋଜନ ପାଇଁ ବାକି ପଡି ରହିଥିବା ସରକାରୀ ଅନୁଦାନକୁ ତୁରନ୍ତ ଦେବାକୁ ଦାବି କରାଯାଇଛି।

ଏହା ସହିତ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଚାଲିଆସିଥିବା ରିତିନିତି ଓ ପରମ୍ପରା ଅନୁଯାୟୀ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୩ ତାରିଖରେ ନନ୍ଦପଡାର ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ସହିତ ଏହି ସପ୍ତାହବ୍ୟାପି ଦେବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ସେହିଭଳି ୨୪ରେ ନନ୍ଦପଡା କମିଟୀର ନୃସିଂହ ନିୟୁତା, ୨୫ରେ ଅନ୍ୟ କମିଟି ମାନଙ୍କର ପତରପେଣ୍ଡି ଓ ୨୬ରେ ହନୁମାନ ନିୟୁତା କାର୍ଯ୍ୟକ୍ରମ କରାଯିବ। ୨୭ ତାରିଖରେ ବିବାହ ଲଗ୍ନ ଥିବାରୁ ସେହି ଦିନ ସମସ୍ତ ଯାତ୍ରା କମିଟି ଦ୍ୱାରା ଲୌକିକ ଦେବ ବିବାହ ସମ୍ପୁର୍ଣ୍ଣ ଲୋକାଚାର ନିତିରେ ସମ୍ପନ୍ନ ହେବ। ଧାର୍ମିକ ଉତ୍ସବର ସମସ୍ତ କାର୍ଯ୍ୟ ଗୁଡିକରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ସରକାରୀ ନିୟମ ଗୁଡିକୁ ପାଳନ କରାଯାଇ ମନ୍ଦିର ପରିସର ମାନଙ୍କରେ ଆୟୋଜିତ କରାଯିବା ପାଇଁ ସ୍ଥିର କରାଯାଇଛି। ଦେବ ବିବାହ ପରଦିନ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ପାଇଁ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଯାତ୍ରା ୨୮ ତାରିଖ ରାତ୍ରିରେ ଆରମ୍ଭ କରା ନ ଯାଇ ୨୯ ତାରିଖ ସକାଳ ୭ଟାରୁ ଆରମ୍ଭ ହେବ। ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଯାତ୍ରା ପୂର୍ବ ନିର୍ଦ୍ଧାରିତ ପଥରେ ଯାଇ ଅପରାହ୍ନ ୪ଟାରେ ପୁନଃ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଫଣିଭୂଷଣ ମିଶ୍ର, ସମୀର ରଞ୍ଜନ ବାବୁ, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସୁନୀଲ ଦାଶ, ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା ସଙ୍କଟ ଚାଲିଥିବାରୁ ଦେଶ ଲକ ଡାଉନ ରହିଛି ଏବଂ ସମସ୍ତ ପ୍ରକାର ଧାର୍ମିକ, ଶୈକ୍ଷିକ, ସାମାଜିକ, ସରକାରୀ ଆଦି ଜନସମାବେଶ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିଛି। କିନ୍ତୁ ଧାର୍ମିକ ପୂଜାର୍ଚ୍ଚନା, ରିତିନିତି ପରମ୍ପରା ଅନୁଯାୟୀ ଚାଲୁ ରହିଥିବା ବେଳେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲା ପ୍ରଶାସନ ଅକଳ୍ପନୀୟ ନିରବତାକୁ ନେଇ ଯାତ୍ରା କମିଟୀ ମାନଙ୍କ ସମେତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ଚଳିତ ବର୍ଷର ଶୀତଳ ଷଷ୍ଠୀ ଉତ୍ସବ ପାଇଁ ସରକାର ଓ ପ୍ରଶାସନ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସବୁ ମହଲରୁ ଦାବି ହେଉଛି।

 

 

Comments are closed.