ଅନିଶ୍ଚିତା ଘେରରେ ବିଶ୍ୱପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା କରୋନା ଭୂତାଣୁର ସଂକ୍ରମଣ ଆଶଙ୍କାରେ ଅନିଶ୍ଚିତତା ଘେରକୁ ଚାଲିଯାଇଛି। ଏହି ବିଶ୍ୱବ୍ୟାପି ମହାମାରୀର କୌଣସି ଠୋସ ଚିକିତ୍ସା ଏ ପର୍ଯ୍ୟନ୍ତ ବିକଶିତ ହୋଇ ନ ଥିବା ବେଳେ ଦିନକୁ ଦିନ ଏହାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଶହ ଶହ ବର୍ଷ ପୁରାତନ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜନ ଉପରେ ଅନିଶ୍ଚିତତା ଦେଖା ଦେଇଛି। ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ଅକ୍ଷୟ ତୃତୀୟା ତିଥିରେ ସପ୍ତାହବ୍ୟାପି ଏହି ଭବ୍ୟ ଶିବ ପାର୍ବତୀ ବିବାହ ଉତ୍ସବ ପାଇଁ ଥାଳଉଠା କାର୍ଯ୍ୟକ୍ରମ ସହିତ ଏହି ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ହୋଇଥାଏ। ଏହା ପରେ ମାସାଧିକ କାଳ ପ୍ରାକ ପ୍ରସ୍ତୁତି ପରେ ସପ୍ତାହବ୍ୟାପି ଭବ୍ୟ ଦେବ ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଧାର୍ମିକ ଦେବ ବିବାହ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଭିଡ ସହିତ ବହୁ ଲୋକଙ୍କୁ ଅସ୍ଥାୟୀ ରୋଜଗାରର ସୁଯୋଗ ମଧ୍ୟ ମିଳିଥାଏ।

ଦେଶର ଅନ୍ୟତମ ବୃହତ୍ତମ ଏହି ଚଳନ୍ତି ଶୋଭାଯାତ୍ରାରେ ପ୍ରବଳ ଜନସାମାଗମ ହେଉଥିବାରୁ ସାଧାରଣତଃ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ପ୍ରଶାସନ ଓ ଶୀତଳ ଷଷ୍ଠୀ କମିଟୀ ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ସେହି ବର୍ଷ ପାଇଁ ଉତ୍ସବ ପାଇଁ ସମନ୍ୱୟ ରଖା ଯାଇ ରୂପରେଖ ଧାର୍ଯ୍ୟ କରାଯାଇଥାଏ। ଚଳିତ ମାସ ୨୬ ତାରିଖରେ ଅକ୍ଷୟ ତୃତୀୟା ତିଥି ପଡୁଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ବୈଠକ ଆୟୋଜନ କରାଯାଇ ନାହିଁ। ଚଳିତ ବର୍ଷର୍ କରୋନା ଭୂତାଣୁର ସଂକ୍ରମଣକୁ ଦେଖି ସାମୁହିକ ଜନ ସାମାଗମ ଓ ଧାର୍ମିକ କାର୍ଯ୍ୟ ଗୁଡିକ ଉପରେ ରୋକ ଲଗାଯାଇଥିବା ବେଳେ ଶହ ଶହ ବର୍ଷ ପୁରାତନ ଧାର୍ମିକ ଉତ୍ସବ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରଶାସନ କଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ କି କୌଣସି ପ୍ରକାରର ସୂଚନା ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା କମିଟୀ ମାନଙ୍କୁ ସୂଚନା ମଧ୍ୟ ଦେଇ ନାହାନ୍ତି। ଇତି ମଧ୍ୟରେ ଏହି ପୁରାତନ ଦେବ ଦମ୍ପତି ବିବାହ ଉତ୍ସବ ପାଇଁ ସମୟ ପାଖେଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ କିଛି ସୂଚନା ଦିଆ ନ ଯିବାରୁ ଯାତ୍ରା କମିଟୀ ମାନେ ଦ୍ୱନ୍ଦରେ ରହିଯାଇଛନ୍ତି।

ଏ ସର୍ମ୍ପକରେ ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଯାତ୍ରା କମିଟୀ କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟୀର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଆମକୁ କୌଣସି ପରାମର୍ଶ ଦିଆଯାଇ ନାହିଁ। ପ୍ରଶାସନର ପରାମର୍ଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବା ସହିତ ପରମ୍ପରା ଓ ରିତିନିତି ମଧ୍ୟ ପାଳନ କରାଯିବା ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଏ ପର୍ଯ୍ୟନ୍ତ ଆମକୁ ପ୍ରଶାସନର ପରାମର୍ଶ କୁ ଅପେକ୍ଷା କରିଛୁ। ଆମେ ଏହି ବିପତ୍ତି ସମୟରେ ନିଜର ସାମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛୁ। ଏଣୁ ଶହ ଶହ ବର୍ଷ ପୁରାତନ ଏହି ପରମ୍ପରା ଓ ଧାର୍ମକ କାର୍ଯ୍ୟ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ଜାରି ରହିଥିବା ଅନିଶ୍ଚିତତା ଦୂର ହୋଇପାରିବ ବୋଲି ସଭାପତି ଅମୂଲ୍ୟ ମିଶ୍ର କହିଛନ୍ତି।

ଅନ୍ୟ ପଟରେ ଯଦି ଜିଲା ପ୍ରଶାସନ କୌଣସି ପରାମର୍ଶ ନ ଦିଅନ୍ତି ତାହା ହେଲେ ସରକାରୀ ନିୟମାନୁଯାୟୀ ସାମାଜିକ ଦୂରତା ଓ ଅନ୍ୟାନ୍ୟ ସର୍ତକତା ଅବଲମ୍ବନ କରି ଅକ୍ଷୟ ତୃତୀୟା ଦିନ ମନ୍ଦିରରେ ଏହି ଦେବ ବିବାହ ପାଇଁ ଥାଳ ଉଠା ଓ କନ୍ୟା ମାତାପିତାର ଚୟନ କାର୍ଯ୍ୟ ସମ୍ପନ୍ନ କରାଯିବା ପାଇଁ ଯାତ୍ରା କମିଟୀ ମାନେ ମନ ବଳାଉ ଥିବାର ଜଣାପଡିଛି। ଏଣୁ ଜିଲା ପ୍ରଶାସନ ତୁରନ୍ତ ଶ୍ରଦ୍ଧାଳୁ ମାନଙ୍କର ଆସ୍ଥାକୁ ଧ୍ୟାନରେ ରଖି ତୁରନ୍ତ ବିହିତ ପଦକ୍ଷେପ ନେଇ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚାଲୁ ରହିଥିବା ଅନିଶ୍ଚିତତାକୁ ସମାପ୍ତ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Comments are closed.