ବର୍ବରତା ସୀମା ଟପିଲା: ମହିଳାଙ୍କୁ ହସ୍ପିଟାଲରୁ ଘୋଷାଡ଼ି ନେଇ ବାହାରେ ଫିଙ୍ଗିଲେ ସୁରକ୍ଷାକର୍ମୀ

ଜଣେ ମହିଳାଙ୍କ ପ୍ରତି ବର୍ବରତାର ସୀମା ଟପିଛି। ହସ୍ପିଟାଲକୁ ଯାଇଥିବା ଏହି ମହିଳାଙ୍କୁ ସୁରକ୍ଷାକର୍ମୀ ୩୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଫିଙ୍ଗିଦେଇଛନ୍ତି। ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି।

ଘଟଣାଟି ଗୁରୁବାର ସନ୍ଧ୍ୟାର। ଜଣେ ମହିଳା କୌଣସି କାରଣ ପାଇଁ ହସ୍ପିଟାଲ ଭିତରକୁ ପଶିଯାଇଥିଲେ। ସେଠାରେ ମୁତୟନ ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ଯିବାକୁ କହିଥିଲେ। କିନ୍ତୁ ମହିଳା ଜଣକ ମନା କରିଦେଇଥିଲେ। ଏହା ପରେ ସୁରକ୍ଷାକର୍ମୀ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଟାଣି ନେବା ସହିତ ରାସ୍ତାରେ ଫିଙ୍ଗିଦେଇଥିଲେ। ସେଠାରେ ଉପସ୍ଥିତ ଅନେକ ଲୋକ ଏହି ଦୃଶ୍ୟ ଦେଖିଥିଲେ ମଧ୍ୟ ପାଟି ଖୋଲି ନ ଥିଲେ।

କେବଳ ଏତିକି ନୁହେଁ, ସୁରକ୍ଷାକର୍ମୀ ଜଣକ ସମ୍ପୃକ୍ତ ମହିଳାଙ୍କୁ ପୁନର୍ବାର ହସ୍ପିଟାଲକୁ ନ ଆସିବା ଲାଗି ଧମକ ମଧ୍ୟ ଦେଇଥିଲେ। ତେବେ ହସ୍ପିଟାଲ ନିୟମ ଅନୁସାରେ, ମହିଳାଙ୍କୁ ହସ୍ପିଟାଲରୁ ବାହାରକୁ ବାହାର କରିବା ପାଇଁ ମହିଳା ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ରହିଛି। ଯଦି କୌଣସି ମହିଳା ମାନସିକ ରୋଗ କିମ୍ବା କୌଣସି ରୋଗରେ ପୀଡ଼ିତ ଥାଇ ହସ୍ପିଟାଲ ଭିତରକୁ ଚାଲିଆସିଛନ୍ତି, ତେବେ ଏ ନେଇ ସୁରକ୍ଷା କର୍ମୀ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବା ଜରୁରୀ। କିନ୍ତୁ ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ବୋଲି ଜଣେ ଡାକ୍ତର କହିଛନ୍ତି।

ସିଭିଲ ସର୍ଜନ ଡାକ୍ତର ଦିବ୍ୟଶ ବର୍ମା କହିଛନ୍ତି ଯେ, ମହିଳାଙ୍କୁ ଏପରି ଘୋଷାଡ଼ିବା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.