ରାସ୍ତାରେ ମୋଦୀ ଅଟକ ; ରାଜନୀତି ତୀବ୍ର

ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଯୋଜନା ଥିଲା : ନଡ୍ଡା ,ରାଷ୍ଟ୍ରପତି ଶାସନ ଜାରି ହେଉ : ଅମରିନ୍ଦର ପଞ୍ଜାବିୟତ୍‌ ପ୍ରତି ଅପମାନ: ସୁନୀଲ ଝାଖଡ଼, ସଭା ବିଫଳ ହେବାରୁ ବିଜେପିର ନାଟକ: ପଞ୍ଜାବ ମନ୍ତ୍ରୀ

ଫିରୋଜପୁର/ନୂଆଦିଲ୍ଲୀ : ପ୍ରଥମେ ବର୍ଷା ଓ ପରେ ରାସ୍ତା ଅବରୋଧ ; ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଥାଉ ନା କାହିଁକି ଏଥିନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଏଥିରେ ବିଜେପି ଓ କଂଗ୍ରେସ ମଧ୍ୟ ସାମିଲ ହୋଇଛନ୍ତି । କଂଗ୍ରେସ ନେତାମାନେ ମଧ୍ୟ ଏଥିନେଇ ପ୍ରଞ୍ଜାବ ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିବାନୁସାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ନେଇ ପଞ୍ଜାବ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଥିଲା ଏବଂ ତାଙ୍କଠାରୁ ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ମୋଦୀ ସଡ଼କ ପଥରେ ବାହାରିଥିଲେ। କେବଳ ସେତିକି ନୁହେଁ; ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବହୁ ପୂର୍ବରୁ ରାଜ୍ୟ ପୁଲିସକୁ ଅବଗତ କରାଯାଇଥିଲା ଏବଂ ସେହି ଅନୁସାରେ ପୁଲିସ ସମସ୍ତ ବ୍ୟବସ୍ଥା ସୁସଂହତ କରିବା କଥା; କିନ୍ତୁ ଏଥିରେ ଅବହେଳା ଲକ୍ଷ୍ୟ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ପୁଲିସ ଆଇନାନୁସାରେ ଯେମିତି ପ୍ରସ୍ତୁତି କରିବା କଥା ତାହା କରି ନ ଥିଲା। ସଡ଼କ ପଥରେ ଅଧିକ ପୁଲିସ ମୁତୟନ କରାଯାଇ ନ ଥିଲା। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ପଞ୍ଜାବ ସରକାର ପ୍ରଧାନମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବାକୁ ଯୋଜନା କରିଥିଲେ। ସେଥିପାଇଁ ବିକ୍ଷୋଭକାରୀଙ୍କୁ ମୋଦୀଙ୍କ ଗନ୍ତବ୍ୟ ପଥରେ ବସାଯାଇଥିଲା; କିନ୍ତୁ ରାସ୍ତା ପରିଷ୍କାର ଓ ସୁରକ୍ଷିତ ଥିବା ଏସ୍‌ପିଜିକୁ କୁହାଯାଇଥିଲା। ଏମିତି କି ସମସ୍ୟା ଉପୁଜିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ ବୋଲି ନଡ୍ଡା କହିଛନ୍ତି। ବିଜେପି ପକ୍ଷରୁ ପଞ୍ଜାବ ସରକାରଙ୍କ ଇସ୍ତଫା ଦାବି କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନି ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ଅବହେଳା କରିଥିଲେ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନି ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବାନୁଯାୟୀ, ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି କରାଯାଇ ନ ଥିଲା। ସେ ନିଜେ ଏହାର ଯାଞ୍ଚ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ‌ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯିବା ଯୋଗୁଁ କିଛି ସମସ୍ୟା ଉପୁଜିଥିଲା ଏବଂ ସେ ଫେରିଯାଇଥିଲେ। ବାସ୍ତବ‌ରେ କୃଷକଙ୍କ ରାସ୍ତା ଅବରୋଧ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅବଗତ କରାଯିବା ସହ ଭିନ୍ନ ରାସ୍ତାରେ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା ; କିନ୍ତୁ ସେମାନେ ଏହାକୁ ଗ୍ରହଣ କରି ନ ଥିଲେ। ପ୍ରଧାନମନ୍ତ୍ରୀ ଫେରିଯିବା ପାଇଁ ନିଜେ ଦୁଃଖିତ ବୋଲି ଚାନ୍ନି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାର କାହାରି କୌଣସି ମସୁଧା ନ ଥିଲା କିମ୍ବା ସେଭଳି ପରିସ୍ଥିତି ମଧ୍ୟ ନ ଥିଲା। ଏ ନେଇ ବିଜେପି ପକ୍ଷରୁ ଅପପ୍ରଚାର କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଅନ୍ୟୂନ ୧୦ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ଏତଦ୍‌ ବ୍ୟତୀତ ମୁଖ୍ୟ ଶାସନ ସଚିବଙ୍କ ସମେତ ତାଙ୍କର କିଛି ନିକଟତମ ଅଧିକାରୀ କରୋନା ସଂକ୍ରମିତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଭଟିଣ୍ଡା ଯାଇପାରି ନ ଥିଲେ ବୋଲି ଚାନ୍ନି କହିଛନ୍ତି।
ବିଜେପିର ଅଭିଯୋଗକୁ ଖଣ୍ଡନ କରି ପଞ୍ଜାବ ମନ୍ତ୍ରୀ ରାଜକୁମାର ବର୍କା କହିଛନ୍ତି ଯେ ମୋଦୀଙ୍କ ସଭାକୁ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ହରିୟାଣା ଓ ରାଜସ୍ଥାନରୁ ବସ୍‌ଯୋଗେ‌େ‌​ ଲୋକ ବୁହାଯାଉଥିଲା। ଏହା ସତ୍ତ୍ବେ ସଭାସ୍ଥଳରେ ଯଥେଷ୍ଟ ଜନସମାଗମ ନ ହେବା ଜାଣିପାରି ମୋଦୀ ଫେରିବା ପାଇଁ ବାହାନା ଖୋଜୁଥିଲେ। ​ସଭା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୦ହଜାର ଚୌକି ବ୍ୟବସ୍ଥା କରାଯାଇଥିଲା; କିନ୍ତୁ ସେଠାରେ ମାତ୍ର ୭୦୦ ଲୋକ ଥିଲେ। ସଭା ବିଫଳ ​‌ହେବା କଥାକୁ ଲୁଚାଇବା ପାଇଁ ବିଜେପି ପକ୍ଷରୁ ସୁରକ୍ଷା ପ୍ରସଙ୍ଗ ନେଇ ନାଟକ ରଚନା କରାଯାଇଥିଲା।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏ ନେଇ ପଞ୍ଜାବ ସରକାରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁନୀଲ ଝାଖଡ଼ କହିଛନ୍ତି ଯେ ଏପରି ଘଟଣା ପଞ୍ଜାବବାସୀ ତଥା ପଞ୍ଜାବିୟତ୍‌ ପାଇଁ ଅପମାନ। ଏହା ଗଣତନ୍ତ୍ରିକ ଚିନ୍ତାଧାରାର ପରିପନ୍ଥୀ।

Comments are closed.