ୟୁପିରେ ସୁରକ୍ଷା କଡ଼ାକଡ଼ି – ଲୋକଙ୍କୁ ସଚେତନ କରୁଛି ଶାନ୍ତି କମିଟି

- ୪ ସହରରେ ଇଣ୍ଟରନେଟ୍‍ ବନ୍ଦ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଶୁକ୍ରବାର ପ୍ରାର୍ଥନା ସଭାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍‍ ଶାନ୍ତି କମିଟି ସହ ସଭା ଆୟୋଜନ କରି ନାଗରିକତା ସଂଶୋଧନ ଆଇନ ସଂପର୍କରେସଚେତନତା ଅଭିଯାନ ଜାରି ରଖିଛି। ନିରାପତ୍ତା ଦୃଷ୍ଟିରୁ ଗତ ମଧ୍ୟ ରାତିରୁ ଆଲିଗଡ଼, ଆଗ୍ରା, ମଥୁରା ଏବଂ ବୁଲନ୍ଦସରରେ ଇଣ୍ଟରନେଟ୍‍ ସେବାକୁ ବନ୍ଦକରିଦିଆଯାଇଛି। ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧାବିକ୍ଷୋଭ ଓ ପ୍ରଦର୍ଶନ ଯୋଗୁଁ ୧୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ୱତନ୍ତ୍ରତଦନ୍ତକାରୀ ଦଳ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ବିକ୍ଷୋଭ ସମୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଅଭିଯୋଗରେ ପୁଲିସ୍‍ ୩୩୨ ଜଣ ପ୍ରଦର୍ଶନକାରୀଙ୍କ ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଦେଇଛି। ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ଓ ଘରୋଇ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ନୋଟିସ୍‍ ଜାରି କରାଯାଇଛି।

ମୁରାଦାବାଦରେ ସର୍ବାଧିକ ୨୦୦ଜଣଙ୍କୁ ନୋଟିସ୍‍ ଜାରି କରାଯାଇଥିବା ବେଳେ ଲକ୍ଷ୍ନୌରେ ୧୧୦, ଗୋରଖପୁରରେ ୩୪ ଏବଂ ଫିରୋଜାବାଦରେ ୨୯ଜଣଙ୍କୁ ନୋଟିସ୍‍ ଜାରି କରାଯାଇଛି। ସାମ୍ବଲାରେ ୧୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ପାଇଁ ୨୬ ଜଣଙ୍କୁ ନୋଟିସ୍‍ ଜାରି କରାଯାଇଥିବା ବେଳେ ରାମପୁରରେ୧୪ଲକ୍ଷ ଟଙ୍କାର ଭରଣା ପାଇଁ ୨୮ଜଣ ଲୋକଙ୍କୁ ନୋଟିସ୍‍ ଜାରି କରାଯାଇଛି। ଏବେ ରାଜ୍ୟରେ ପରିସ୍ଥିତି ଶାନ୍ତ ରହିଛି ଏବଂ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ପୁଲିସ୍‍ କହିଛି, ବର୍ତ୍ତମାନ ସୁଦ୍ଧା ୩୨୭ ଜଣ ଲୋକଙ୍କ ବିରୁଦ୍ଧରେ ଏତଲା ଦାୟର କରାଯିବା ସହ ୧ହଜାର ୧୧୩ଜଣ ଲୋକଙ୍କୁ ଗିରଫ କରାଯାଇଛି। ୫ହଜାର ୫୫୮ ଜଣ ଲୋକଙ୍କୁ ପୁଲିସ୍‍ ନିଜ ହେପାଜତକୁ ନେଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଛି।

ସେହିପରି ସାମାଜିକ ଗଣମାଧ୍ୟମ ଉପରେ ପୁଲିସ୍‍ ତୀକ୍ଷ୍‍ଣ ଦୃଷ୍ଟି ରଖିବା ସହ ୯୩ଟି ଏଫ୍‍ଆଇଆର୍‍ ଦାଖଲ କରିଛି ଏବଂ ଆପତ୍ତିଜନକ ଖବର ପ୍ରକାଶ ପାଇଁ ୧୨୪ ଜଣଙ୍କୁ ଗିରଫ କରିଛି। ପୁଲିସ୍‍ ଦଙ୍ଗା ସୃଷ୍ଟିକାରୀଙ୍କ ଫଟୋଚିତ୍ର ଜାରି କରିବା ସହ ସେମାନଙ୍କ ସଂପର୍କରେ ସୂଚନା ପ୍ରଦାନ ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛି।

Comments are closed.