ଅଯୋଧ୍ୟାରେ ୧୪୪ ଧାରା ଜାରି, ଡିସେମ୍ବର ୧୦ ଯାଏ ବଳବତ୍ତର ରହିବ

ଅଯୋଧ୍ୟା: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ସୋମବାରଠାରୁ ବିଚାର ପ୍ରକ୍ରିୟା ଆରମ୍ଭ କରିବେ। ନଭେମ୍ବର ୧୭ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇବେ। ତେଣୁ ଏହି ସମୟ ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟିବାର ଆଶଙ୍କା ରହିଥିବାରୁ ଅଯୋଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କେବଳ ଅଯୋଧ୍ୟା ଜମି ବିବାଦ ମାମଲା ପାଇଁ ନୁହେଁ, ଆଗକୁ ଆସୁଥିବା ଦୀପାବଳି ଏବଂ ଗୋବର୍ଦ୍ଧନ ଉତ୍ସବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି।

ସୂଚନା ଅନୁସାରେ, ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ନେତାମାନେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଦୀପ ଜଳାଇବା ପାଇଁ ସୁପ୍ରିମକୋର୍ଟଙ୍କଠାରୁ ଅନୁମତି ଲୋଡ଼ିଥିଲେ। ଅନ୍ୟପଟେ ଏହାକୁ ଦେଖି ମୁସଲିମ ପକ୍ଷମାନେ ଯୁକ୍ତି ବାଢ଼ିଥିଲେ ଯେ, ଯଦି ହିନ୍ଦୁଙ୍କୁ ବିବାଦୀୟ ସ୍ଥାନରେ ଦୀପ ଜଳାଇବାକୁ ଅନୁମତି ଦିଆଯିବ, ତେବେ ସେମାନଙ୍କୁ ସେଠାରେ ନମାଜ ପାଠ କରିବାକୁ ଅନୁମତି ଲୋଡ଼ିବେ। ଏହାବ୍ୟତୀତ ସୋମବାରଠାରୁ ମାମଲାର ରାୟ ଶୁଣାଣି ଆରମ୍ଭ ହେବାକୁ ଥିବାରୁ, ଏସବୁକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସେହିପରି ଜିଲାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ କରିବା ସହିତ ସେହିଦିନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କାର୍ଯ୍ୟରୁ ଅବସର ନେବେ।

Comments are closed.