ଏସଇସିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ

0

କଲକାତା : ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି)ଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି କଲକାତା ହାଇକୋର୍ଟ। ଶୁକ୍ରବାର ହାଇକୋର୍ଟର ବିଚାରପତି ବିଶ୍ୱନାଥ ସୋମଦେର ଓ ବିଚାରପତି ଅରିନ୍ଦମ ମୁଖାର୍ଜୀଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାର ଅଭାବ ରହିଛି। ତେଣୁ ଆଗାମୀ ଦିନରେ ଆୟୋଗଙ୍କ କାର୍ଯ୍ୟ କିପରି ସନ୍ତୋଷଜନକ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦେବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ହାଇକୋର୍ଟଙ୍କ ଏପରି ଟିପ୍ପଣୀ ଆୟୋଗଙ୍କ ଉପରେ ଚାପ ବୃଦ୍ଧି କରିଛି। ମଙ୍ଗଳବାର ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱ ପୀଠ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଉପରେ ପୁନର୍ବାର ଶୁଣାଣି କରିବାର ଅଛି। ମେ ୧୪ରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ହାଇକୋର୍ଟ ଶୁଣାଣି କରିବେ। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ତିନିଟି ପର୍ଯ୍ୟାୟରେ କରିବା ଲାଗି ନିର୍ବାଚନ ଆୟୋଗ ପ୍ରଥମେ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ଏହି ନିର୍ବାଚନକୁ ଗୋଟିଏ ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସୁରକ୍ଷାକର୍ମୀ ନଥିବା ସତ୍ତ୍ୱେ ଆୟୋଗ ଏପରି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରିତୁଜ ଘୋଷାଲ ଏକ ପିଟିସନ ଦାୟର କରିଥିଲେ। ରିଜୁତଙ୍କ ପିଟିସନର ଶୁଣାଣି କାଳରେ ହାଇକୋର୍ଟ ଆୟୋଗଙ୍କ କାର୍ଯ୍ୟକାଳପ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ନିର୍ବାଚନ ସମୟ ନିକଟତର ହୋଇଥିବାରୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଉପରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଅନ୍ୟପଟେ ରାଜ୍ୟର ୨୦ହଜାର ପଞ୍ଚାୟତ ପ୍ରତିନିଧି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯେଉଁ ସବୁ ପଞ୍ଚାୟତ ପ୍ରତିନିଧି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସେଠାରେ ବିରୋଧୀ ପ୍ରାର୍ଥୀ ନଥିଲେ ନା ଏହା ପଛରେ କୌଣସି ପ୍ରକାର ଅନିୟମିତତା ରହିଛି ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

Leave A Reply