ହାତ ଶୁଖାଇବା ପାଇଁ ପେପର୍‌ ଟାୱେଲ୍‌ର ଅଧିକ ପ୍ରଭାବ ରହିଛି

ଲଣ୍ଡନ୍‌: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ବାରମ୍ବାର ହାତକୁ ସାନିଟାଇଜର୍‌ କିମ୍ବା ସାବୁନ୍‌ରେ ଧୋଇବାକୁ ପରାମର୍ଶ ଦିଆଯାଇଛି। ଅତି କମ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ହାତ ଧୋଇବା ଦରକାର ବୋଲି କୁହାଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଆକ୍ରାନ୍ତ ନ ହେବା ପାଇଁ ହାତ ଧୋଇବା ପରେ ଅନେକ ହାତ ଶୁଖାଇବାପାଇଁ ଜେଟ୍‌ ଡ୍ରାୟର ବ୍ୟବହାର କରିଥାନ୍ତି। ତେବେ ହାତଶୁଖାଇବା ପାଇଁ ଜେଟ୍‌ ଡ୍ରାୟର୍‌ ବଦଳରେ ପେପର୍‌ ଟାୱେଲ୍‌ର ଅଧିକ ପ୍ରଭାବ ରହିଛି ବୋଲି ଆମେରିକାର କେତେକ ପ୍ରମୁଖ ବିଶ୍ବବିଦ୍ୟାଳୟରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି।
କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଲୋକଙ୍କୁ ସେବା ଯୋଗାଇବା ଲାଗି ବିଭିନ୍ନ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବାବେଳେ ଅନେକ ହସ୍‌ପିଟାଲ୍‌ରେ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ଏଥିରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇଁ ସାନିଟାଇଜର କିମ୍ବା ସାବୁନ୍‌ରେ ବାରମ୍ବାର ହାତଧୋଇବା ଏକ ପ୍ରମୁଖ କାର୍ଯ୍ୟ ବୋଲି କୁହାଯାଇଛି।
ହସ୍‌ପିଟାଲ୍‌ କିମ୍ବା କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ସମୟରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀ ହାତଧୋଇବା ପରେ ତାହା ଶୁଖାଇବା ପାଇଁ ଜେଟ୍‌ ଡ୍ରାୟର୍‌ ବ୍ୟବହାର କରିଥାନ୍ତି। ହାତ ଧୋଇବା ଦ୍ବାରା ସମସ୍ତ ଜୀବାଣୁ ନଷ୍ଟ ହୋଇଥାଏ ଓ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ହୋଇଥାଏ। ଏପରିକି ହାତ ଧୋଇବା ପରେ ସେମାନେ ଗ୍ଲୋବ୍‌ସ ପରିଧାନ କରିଥାନ୍ତି, ଯାହା ଭୂତାଣୁ ସଂକ୍ରମଣ ଦ୍ବାରା ମଣିଷକୁ କ୍ଷତି ପହଞ୍ଚାଇନଥାଏ। ତେଣୁ ଗ୍ଲୋଭ୍‌ସ ପିନ୍ଧିବା ପାଇଁ ସେମାନେ ହାତଧୋଇବା ପରେ ଶୁଖାଇବା ଲାଗି ଜେଟ୍‌ ଏୟାର୍‌ ଡ୍ରାୟର(ଜେଏଡି) କିମ୍ବା ପେପର୍‌ ଟାୱେଲ୍‌ରେ ଶୁଖାଇଥାନ୍ତି।
ଆମେରିକାର ପ୍ରମୁଖ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାରିଜଣ ସ୍ବେଚ୍ଛାସେବୀଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ସେମାନେ ଆପ୍ରନ୍‌ ପିନ୍ଧିବା ସହ ହାତ ଧୋଇଥିଲେ। ଗ୍ଲୋଭ୍‌ସ ପିନ୍ଧିବା ପୂର୍ବରୁ ଜେଟ୍‌ ଏୟାର୍‌ ଡ୍ରାୟର ଓ ପେପର୍‌ ଟାୱେଲ୍‌ରେ ହାତ ଶୁଖାଇଥିଲେ। ଏହାପରେ ସେମାନେ ନିଜ ହାତ ଦ୍ବାରା ଛାତି ଓ ଆପ୍ରନ୍‌ ଛୁଇଁଥିଲେ। ଏପରିକି କେତେକ ପବ୍ଲିକ୍‌ ଟଏଲେଟ୍‌ରୁ ମଧ୍ୟ ଏଥିପାଇଁ ନମୁନା ସଂଗ୍ରହଣ କରାଯାଇଥିଲା। ହାତ ଶୁଖାଇବା ପାଇଁ ଜେଟ୍‌ ଏୟାର୍‌ ଡ୍ରାୟର୍‌ ତୁଳନାରେ ପେପର୍‌ ଟାୱେଲ୍‌ର ଅଧିକ ପ୍ରଭାବ ରହିଥିବା ସେମାନଙ୍କ ପରୀକ୍ଷଣରୁ ଜଣାପଡ଼ିଥିଲା।
ତେବେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତ ଧୋଇବା ପରେ ତାହା ଶୁଖାଇବା ଲାଗି ପେପର୍‌ ଟୱେଲ୍‌ ବ୍ୟବହାର ନିରାପଦ ଏବଂ ଏହାର ପ୍ରଭାବ ଅଧିକ ରହିଛି ବୋଲି ଗବେଷଣାତ୍ମକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Comments are closed.