ଜୁନ୍‌​ରେ ହେବ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗହଣ

ସୌର ଚଷମାରେ ଦେଖିହେବ ସୂର୍ଯ୍ୟ ପରାଗ, ଖାଲି ଆଖିରେ ଦେଖି ହେବନି ଚନ୍ଦ୍ରଗ୍ରହଣ

ଭୁବନେଶ୍ବର : ଆସନ୍ତା ଜୁନ୍‌ ୨୧ରେ ସୂର୍ଯ୍ୟ ପରାଗ ଏବଂ ଜୁନ୍‌ ୫ରେ ଚନ୍ଦ୍ର ଗ୍ରହଣ ହେବ। ଜୁନ୍‌ ୨୧ରେ ଅନୁଷ୍ଠିତ ହେବାକୁ ଥିବା ସୂର୍ଯ୍ୟ ପରାଗକୁ ବଳୟ ସୂର୍ଯ୍ୟ ପରାଗ କୁହାଯାଉଛି। ଏହି ବଳୟ ସୂର୍ଯ୍ୟ ପରାଗ ଓଡ଼ିଶାରେ ଦେଖାଦେବ ଏବଂ ଭୁବନେଶ୍ବରରେ ୭୫ ପ୍ରତିଶତ ଦୃଶ୍ୟମାନ ହେବ। ଆକାଶ ମେଘୁଆ ନ ଥିଲେ ସୌର ଚଷମା ପିନ୍ଧି ଜଣେ ସୂର୍ଯ୍ୟ ପରାଗ ଦେଖିପାରିବ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ୨୦୧୯ ଡିସେମ୍ବର ୧୯ରେ ସୂର୍ଯ୍ୟ ପରାଗ ହୋଇଥିଲା। ଏହା କେରଳ, ତାମିଲନାଡୁ ଆଦି ଭାରତର ଦକ୍ଷିଣାଞ୍ଚଳରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହୋଇଥିଲା। ଜୁନ୍‌ ୨୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ରାଜସ୍ତାନ, ହିମାଚଳ ପ୍ରଦେଶ, କଶ୍ମିର ଆଦି ଉତ୍ତର ଭାରତରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ ବୋଲି ସେ କହିଛନ୍ତି।
ସେହିପରି ଜୁନ୍‌ ୫ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଉଛି। ଚନ୍ଦ୍ର ଗ୍ରହଣ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ଛାୟା ଚନ୍ଦ୍ର ଗ୍ରହଣ ହୋଇଥିବାବେଳେ ଅନ୍ୟଟି ଉପଛାୟା ଚନ୍ଦ୍ର ଗ୍ରହଣ। ଛାୟା ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦେଖିହୁଏ, କିନ୍ତୁ ଉପଛାୟା ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦେଖାଯାଏ ନାହିଁ। ତେବେ ଭଲ ଟେଲିସ୍କୋପ୍‌ରେ ଉପଛାୟା ଚନ୍ଦ୍ର ଗ୍ରହଣ ଦେଖାଯାଇ ପାରିବ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଗ୍ରହ୍ରାଣୁଙ୍କ ଗତିବିଧି ଜାଣିବା ପାଇଁ ଜୁନ ୩୦ରେ ଗ୍ରହାଣୁ ପୁଞ୍ଜ ଦିବସ ପାଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.