ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ: ପିଜିଟିଙ୍କୁ ପ୍ରଶିକ୍ଷଣ ପାଇଁ ଭର୍ଚୁଆଲ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ୪୭ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ପୋଷ୍ଟଗ୍ରାଜୁଏଟ୍‌ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ତ୍ରିଦିବସୀୟ ଯୁକ୍ତ ଦୁଇ ବିଜ୍ଞାନ/ବାଣିଜ୍ୟର ସମସ୍ତ ବିଷୟରେ ପର୍ଯ୍ୟାୟ କ୍ରମେ ଦଶଗୋଟି କାର୍ଯ୍ୟକ୍ରମ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଛି। ଏହା ଜାନୁଆରୀ ୨୯ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ୩୦ଗୋଟି କାର୍ଯ୍ୟ ଦିବସରେ ଭର୍ଚୁଆଲ୍‌ ମୋଡ୍‌ରେ ସମାହିତ ହେବ। ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପଦାର୍ଥ ବିଜ୍ଞାନର ପିଜିଟିମାନଙ୍କ ନିମନ୍ତେ ତ୍ରିଦିବସୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

 

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦେଶକ ଓ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର ଅଖିଳ ବିହାରୀ ଓତା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ୪୪ ଜଣ ପିଜିଟି ପ୍ରଶିକ୍ଷାର୍ଥୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଭର୍ଚୁଆଲ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପିଜିଟି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ପ୍ରଫେସର ଓତା ଆଶା ପ୍ରକାଶ କରିଥିଲେ । ଏସ୍‌ସିଏସ୍‌ଟିଆର୍‌ଟିଆଇର ଏକାଡେମିକ୍‌ ପରଫରମାନ୍ସ ମନିଟରିଂ ସେଲ୍‌ (ଏପିଏମ୍‌ସି) ଦ୍ୱାରା ପ୍ରସ୍ତୁତ ବିଭିନ୍ନ ୱାର୍କବୁକ୍‌ ଓ କୋଶ୍ଚିନ୍‌ ବ୍ୟାଙ୍କ ତଥା ବିଷୟଭିତ୍ତିକ ଉପାଦେୟ ଭିଡ଼ିଓ ରେକର୍ଡିଂଗୁଡ଼ିକ ପରବର୍ତ୍ତୀ ସମୟରେ ସମସ୍ତ ଶିକ୍ଷକଙ୍କର ରେଫରେନ୍ସ ନିମନ୍ତେ ଉପଲବ୍ଧ ହୋଇପାରିବ ବୋଲି ପ୍ରଫେସର ଓତା ସୂଚନା ଦେଇଥିଲେ।

Comments are closed.