ଜନଜାତି ସଂଗ୍ରହାଳୟ: ଭର୍ଚୁଆଲ୍‌ ଟୁର୍‌ରେ କନ୍ଧ ଜନଜାତିଙ୍କ ନିଆରା ଘର

ଭୁବନେଶ୍ବର:ମହାମାରୀ କରୋନା ପାଇଁ ଦର୍ଶକମାନଙ୍କ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭର୍ଚୁଆଲ୍‌ ଟୁର୍‌ କାର୍ଯ୍ୟକ୍ରମ ଜାରି ରହିଛି। ଦର୍ଶକମାନେ ଟୁଇଟର ଓ ଫେସ୍‌ବୁକ୍‌ ପେଜ୍‌ ଖୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ରାଜ୍ୟ ଜନଜାତି ସଂଗ୍ରହାଳୟରେ କନ୍ଧ ଜନ ଜାତିଙ୍କ ର ଘର ଓ ସେମାନଙ୍କର ଜୀବନଶୈଳୀ ସଂପର୍କରେ ଧାରଣା ପାଇପାରିଛନ୍ତି ବୋଲି ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ପ୍ରଫେସର ଓତା କହିଛନ୍ତି ଯେ କନ୍ଧମାନଙ୍କର ଘର ଚର୍ତୁଭୂଜାକାର। ଝରକା ନଥିବା ଘରେ ଏକ ଚଉଡ଼ା ବାରଣ୍ଡା ଥାଏ। ଶସ୍ୟ ଓ ଗୃହ ଉପକରଣ ରଖିବା ନିମନ୍ତେ ଏକ କାଠର ଉଚ୍ଚା ପିଢ଼ା ଥାଏ। ରୋଷେଇ ଘର ମଧ୍ୟରେ ପୂଜାଘର ଓ ଗୃହ ପଛପଟେ ଗୁହାଳ କରାଯାଇଥାଏ। କନ୍ଧମାନେ ସାଧାରଣତଃ ଓଡ଼ିଶାର ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ବସବାସ କରିଥା’ନ୍ତି। କନ୍ଧମାନଙ୍କୁ ଆଞ୍ଚଳିକ ଭିତ୍ତିରେ କୁଟିଆ, ଡଙ୍ଗରିଆ, ଦେଶୀଆ, ସିଥା, ନାନ୍‌ଗୁଲି, ଝାମିଆ, ପେଙ୍ଗୋ, ଝରିଆ, ମାଲୁଆ ଆଦି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ପ୍ରତ୍ୟେକ ବଂଶ ୪ଟି କାର୍ଯ୍ୟକାରୀ ଗୋଷ୍ଠୀରେ ବିଭକ୍ତ। ତାହାକୁ ପୁଞ୍ଜ କୁହାଯାଏ। ସେଗୁଡ଼ିକ ହେଉଛି ମଣ୍ଡଳ, ବିସ୍‌ମାଝୀ, ଜାନି ଓ ପୂଜାରୀ। ଗ୍ରାମରେ ଯୁବକଯୁବତୀମାନଙ୍କ ପାଇଁ ଡର୍‌ମିଟରୀର ବ୍ୟବସ୍ଥା ରହିଛି। କନ୍ଧମାନେ ଝରଣା, ପାହାଡ଼ ଆଦିଙ୍କୁ ପୂଜା କରିଥାନ୍ତି। ସେଥିପାଇଁ ସେମାନଙ୍କର ସ୍ୱତନ୍ତ୍ର ଇଷ୍ଟଦେବତା ଅଛନ୍ତି। ସେମାନଙ୍କର ଗ୍ରାମଦେବତୀ, ଝରଣା ଦେବତା-ଗୁଙ୍ଗି ପେନୁ, ପାହାଡ଼ ଦେବତା-ବୀମା ପେନୁ, ଜଙ୍ଗଲ ଦେବତା-ଲାଇ ପେନୁ, ଧନ ଦେବତା-ସୀତା ପେନୁ, ବର୍ଷା ଦେବତା-ବିର୍‌ନା ପେନୁଙ୍କୁ ପୂଜା କରିଥାନ୍ତି। ସେମାନେ ମଧ୍ୟ ପୂର୍ବପୁରୁଷଙ୍କ ଆତ୍ମାକୁ ପୂଜା କରିଥାନ୍ତି। କନ୍ଧମାନେ ‘କୁଇ’ ଓ ‘କୁଭି’ ଭାଷା ବ୍ୟବହାର କରିଥା’ନ୍ତି। କୃଷି ସେମାନଙ୍କର ମୁଖ୍ୟ ଜୀବିକା। ସେମାନେ ପଶୁପାଳନ, ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା’ନ୍ତି । ସେମାନଙ୍କର ମୁଖ୍ୟ ପର୍ବ ଘଣ୍ଟ ପରବ, ଚଇତ ପରବ, ମେରିଆ, ଡାକିନା, ମାଣ୍ଡିଆ ରାଣୀ, କୋରୁବିହା, ଦଶହରା ଇତ୍ୟାଦି ପାଳନ କରିଥାନ୍ତି ବୋଲି ନିର୍ଦେଶକ ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Comments
Loading...