ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ସାମ୍ବାଦିକ ଗିରଫ

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ପୋଷ୍ଟ କରିବା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ହୋଇଛି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ସାମ୍ବାଦିକ ଦିଲ୍ଲୀର ପ୍ରଶାନ୍ତ କନୋଜିଆଙ୍କୁ ଗିରଫ କରିଛି।

ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରଶାନ୍ତ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ପୋଷ୍ଟ କରିଥିଲେ। ଏହାଦ୍ବାରା ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଥିବା ନେଇ ହଜରତଗଞ୍ଜ ଥାନାରେ ଜଣେ ଏସଆଇଙ୍କ ଦ୍ବାରା ଗତ ଶୁକ୍ରବାର ରାତିରେ ଏତଲା ରୁଜୁ​‌ ହୋଇଥିଲା। ଲକ୍ଷ୍ମୌ ଏସପି କଳାନିଧି ନୈଥାନୀ କହିଛନ୍ତି ଯେ, ଆଇପିସି ଧାରା ୫୦୦(ଅପମାନଜନକ ମନ୍ତବ୍ୟ ଦେବା) ଏବଂ ଆଇଟି ଆକ୍ଟ ଧାରା ୬୬(ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିବା) ଅନୁସାରେ କନୋଜିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଚାଲିଛି। କେତେଜଣ ଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରାଯାଇଛି।

ସୂଚନାଯୋଗ୍ୟ, କନୋଜିଆ ଟ୍ବିଟର ଏବଂ ଫେସବୁକରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଛିଡ଼ାହୋଇ ସେ ଯୋଗୀ ଆଦିତ୍ୟନାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ନେଇ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥିବା ଦେଖିବାକୁ ମିଳିଥିଲା।

Comments are closed.