MEllora 950×100

ଛାତ୍ର ସମାଜକୁ ଏକତ୍ରିତ କରି ଦେଶର କଲ୍ୟାଣ ପାଇଁ ଉପଯୋଗ କରାଯିବା ଆବଶ୍ୟକ

ଭାରତ ସ୍କାଉଟ୍ ଓ ଗାଇଡର ୩୦ ତମ ଜିଲା ଶିବିର 

ଭୁବନେଶ୍ୱର : ଛାତ୍ର ସମାଜକୁ ଏକତ୍ରିତ କରି ଦେଶର କଲ୍ୟାଣ ପାଇଁ ଉପଯୋଗ କରାଯିବା ଆବଶ୍ୟକ। ଏ ଦିଗରେ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି। ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ବିଭିନ୍ନ ଉତ୍ସବ, ରଥ ଯାତ୍ରା, ଅଶୋକାଷ୍ଟମୀ ଭଳି ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ୟ୍ୟରେ ସାମିଲ ହୋଇଥାନ୍ତି।ଦେଶ ପାଇଁ ଯେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିରେ ସେବା ପ୍ରଦାନ ପାଇଁ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରହିବାକୁ ଆଜି ଡିଏଭି ପବ୍ଲିକ୍ ସ୍କୁଲ , ଚନ୍ଦ୍ରଶେଖରପୁରରେ ଆୟୋଜିତ ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ର ୩୦ତମ ଜିଲ୍ଲା ଶିବିର( କ୍ୟାମ୍ପୋରୀ)ରେ ଉଦବୋଧନ ଦେଇ ସ୍କାଉଟ୍ ଓ ଗାଇଡ୍ ମୁଖ୍ୟମାନେ ଯୋଗଦେଇ ପ୍ରକାଶ କରିଛନ୍ତି।
ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଓ ପ୍ରଶିକ୍ଷଣ ଦେବା ପରିପ୍ରେକ୍ଷୀରେ ଡିଏଭି ପବ୍ଲିକ୍ ସ୍କୁଲ , ଚନ୍ଦ୍ରଶେଖରପୁରରେ ଆୟୋଜିତ ହୋଇଛି ଭାରତ ସ୍କାଉଟ୍ ଓ ଗାଇଡ୍ ର ୩୦ ତମ ଜିଲ୍ଲା ଶିବିର। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇଥିବା ବେଳେ ଏହି ଶିବିର, ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ ଓ କାର୍ୟ୍ୟରେ ନିଷ୍ଠା ପ୍ରଦର୍ଶନରେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିବା ସହିତ ଶିବିରର ସଫଳତା କାମନା କରିଥିଲେ। ଓଡିଶା ରାଜ୍ୟ ଭାରତ ସ୍ଲାଉଟ୍ ଓ ଗାଇଡ୍ ର ଜାତୀୟ ଉପ-ସଭାପତି ଡଃ. କାଳୀ ପ୍ରସାଦ ମିଶ୍ର ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିର ଆଗାମୀ ଡିସେମ୍ବର ୧୧ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଜିଲାରେ ୪୪୪୮ ଜଣ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀ ରହିଥିବା ବେଳେ ଏହି ଶିବିରରେ ଚୟନ ହୋଇଥିବା ୧୬୪୮ ଜଣ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି।
ଏହି ଉଦ୍ ଘାଟନୀ ଉତ୍ସବରେ ଜିଲ୍ଲା କମିଶନର ସ୍କାଉଟ୍ ରବିନାରାୟଣ ଜେନା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲା ସ୍କାଉଟ୍ ଓ ଗାଇଡର ଜିଲା ସମ୍ପାଦକ ତଥା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଏଭି ବିଦ୍ୟାଳୟ ସମୂହର ଆଂଚଳିକ ନିର୍ଦ୍ଦେଶକ ଡଃ. କେଶବ ଚନ୍ଦ୍ର ଶତପଥୀ ଯୋଗଦେଇ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଉନ୍ନତି କରିବାକୁ ହେଲେ ନିଜର ଭାବନା ଧାରା ଠିକ୍ ରଖିବା, ଉତ୍ତମ ବ୍ୟବହାର, କାର୍ୟ୍ୟରେ ପ୍ରତିବଦ୍ଧତା, ସାମଗ୍ରିକ ବିକାଶ ପାଇଁ ଶିକ୍ଷାର ଆବଶ୍ୟକତା ଏବଂ ପାଠ ସହିତ ସହ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କମିଶନର ବିଶ୍ୱନାଥ ତରାଇ ସଭାପତି ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜିଲା ପ୍ରଶିକ୍ଷଣ କମାଣ୍ଡର ଅମ୍ବିକା ପ୍ରସାଦ ଦାସ (ସ୍କାଉଟ୍ସ) ମାର୍ଚ୍ଚ ପାଷ୍ଟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ୍ସ୍, ଭୁବନେଶ୍ୱରର ରାଜ୍ୟ ସଂଗଠନ ସମ୍ପାଦିକା(ଗାଇଡ୍ସ) ଅନାମିକା ଦାସ, ଡିଏଭି ପବ୍ସିକ୍ ସ୍କୁଲ, ଚନ୍ଦ୍ରଶେଖରପୁରର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ସ୍କୁଲରୁ ସ୍କାଉଟ୍ ଓ ଗାଇଡ୍ ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା।

Comments are closed.