ଟେଷ୍ଟ ମାନ୍ୟତା ଲକ୍ଷ୍ୟରେ ସ୍କଟ୍‌ଲାଣ୍ଡ

ଶାରଜା :  ‌ପ୍ରଥମଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ପ୍ରବେଶ କରିଛି ସ୍କଟ୍‌ଲାଣ୍ଡ । ଏହି ବିଶ୍ବକପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଟେଷ୍ଟ ମାନ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ସ୍କଟ୍‌ଲାଣ୍ଡ ଦଳ । ଏହି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ପର୍ଯ୍ୟାୟରେ ୩ଟିଯାକ ଲିଗ୍‌ ମ୍ୟାଚ୍‌ ଜିତି ଗ୍ରୁପ୍‌ ଶୀର୍ଷରେ ରହି ସ୍କଟ୍‌ଲାଣ୍ଡ ସୁପର-୧୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ସୋମବାର ଆଫ୍‌ଗାନିସ୍ତାନ ବିପକ୍ଷରେ ସ୍କଟ୍‌ଲାଣ୍ଡ ପ୍ରଥମ ସୁପର-୧୨ ମ୍ୟାଚ୍‌ ଖେଳିବାକୁ ଯାଉଛି। ସୁପର-୧୨ ପର୍ଯ୍ୟାୟ​ରେ‌ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଖେଳିବାକୁ ସ୍କଟ୍‌ଲାଣ୍ଡ ଆଶା ରଖିନାହିଁ ସତ; ଏଥିରେ ପ୍ରଦର୍ଶନ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରି ଟେଷ୍ଟ ମାନ୍ୟତା ପାଇବାକୁ ସ୍କଟ୍‌ଲାଣ୍ଡ ଲକ୍ଷ୍ୟ ରଖିଛି । ଆଇସିସିର ୧୨ଟି ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ରହିଛନ୍ତି; ଯେଉଁମାନେ କେବଳ ଟେଷ୍ଟ କ୍ରିକେଟ୍‌ ଖେଳିପାରିବେ। ୨୦୧୭ରେ ଆୟରଲାଣ୍ଡ ଓ ଆଫ୍‌ଗାନିସ୍ତାନ ଶେଷଥର ପାଇଁ ଟେଷ୍ଟ ମାନ୍ୟତା ପାଇଥିଲେ । ସୁପର -୧୨ ପର୍ଯ୍ୟାୟରେ ଖେଳିବା ଦ୍ବାରା ବିଶ୍ବ କ୍ରିକେଟ୍‌ର କିଛି ଶକ୍ତିଶାଳୀ ଦଳଙ୍କ ସହ ଖେଳିବାର ସୁଯୋଗ ସ୍କଟ୍‌ଲାଣ୍ଡ ପାଇବ । ଏଥିରେ କିଛି ବିପର୍ଯ୍ୟୟ ସୃଷ୍ଟି କରିବାକୁ ସ୍କଟ୍‌ଲାଣ୍ଡ ଲକ୍ଷ୍ୟ ରଖିଛି। ଟେଷ୍ଟ ଖେଳୁଥିବା ଦେଶଙ୍କ ମଧ୍ୟରୁ ସ୍କଟ୍‌ଲାଣ୍ଡ ଅଦ୍ୟାବଧି ୩ ବର୍ଷ ତଳେ‌ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଆୟରଲାଣ୍ଡ ଓ ଆଫ୍‌ଗାନିସ୍ତାନଠାରୁ ତାଙ୍କ ଦଳ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସ୍କଟ୍‌ଲାଣ୍ଡର ଖେଳାଳି ଭାବନ୍ତି । କାରଣ ଏହି ବିଶ୍ବକପ୍‌ରେ ପ୍ରଥମ ରାଉଣ୍ଡରେ ବାଂଲାଦେଶକୁ ପରାସ୍ତ କରିଥିଲା ସ୍କଟ୍‌ଲାଣ୍ଡ। ତେଣୁ ଆଫ୍‌ଗାନିସ୍ତାନ ପରି ଦଳକୁ ପରାସ୍ତ କରିବାରେ ଏହା ସମ୍ପୂର୍ଣ୍ଣ ସମର୍ଥ ବୋଲି ସ୍କଟ୍‌ଲାଣ୍ଡ ଦଳର ଖେଳାଳି ଭାବନ୍ତି।

Comments are closed.