ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍ ଆୱାର୍ଡ

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇକୁ ମିଳିଛି ସ୍କଚ୍ ଆୱାର୍ଡ। କୋଭିଡ୍ ଇନୋଭେସନ ସେଣ୍ଟର ପାଇଁ ରାଜ୍ୟର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ବ୍ରହ୍ମପୁର ଆଇଟିଆଇକୁ ଶନିବାର ଆୟୋଜିତ ୭୨ତମ ସ୍କଚ୍ ସମ୍ମିତରେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। କରୋନା ମୁକାବିଲା ଦିଗରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ନୂତନଭାବେ ଏକାଧିକ ଉତ୍ପାଦ ପ୍ରସ୍ତୁତ କରାଯାଇଥିଲା। ସ୍ମାର୍ଟ ସ୍ବାବ ସଂଗ୍ରହ କିଓସ୍କ, ସ୍ମାର୍ଟ ୟୁଭିସି ସୋଲ ସାନିଟାଇଜର, ୟୁଭିସି ରୋବା ୱାରିୟର, ୟୁଭିସି ସାନିଟାଇଜର, ଏରୋସୋଲ ବକ୍ସ, ଅଟୋମେଟିକ ସାନିଟାଇଜର ଡିସପେନ୍ସର ଆଦି ନିର୍ମାଣ କରାଯାଇଥିଲା। ଯାହା କୋଭିଡ ହସପିଟାଲ, କରୋନା ଯୋଦ୍ଧାଙ୍କ ସହ ଜନସାଧାରଣଙ୍କ ବ୍ୟବହାରରେ ଆସିପାରିଥିଲା।

ଆଇଟିଆଇର ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀଙ୍କ ନେତୃତ୍ବରେ ବିଦ୍ୟାର୍ଥୀ ଓ ପ୍ରଶିକ୍ଷକଙ୍କ ଦ୍ବାରା ଉପରୋକ୍ତ ଉତ୍ପାଦଗୁଡ଼ିକ ନିର୍ମାଣ କରାଯାଇଥିଲା। ସେଥିରୁ ୪ଟି ଉତ୍ପାଦ ପେଟେଣ୍ଟ ଜର୍ଣ୍ଣାଲରେ ସ୍ଥାନ ପାଇବା ସହ କେନ୍ଦ୍ର ଦକ୍ଷତା ବିକାଶ ବିଭାଗ ପକ୍ଷରୁ ବ୍ରହ୍ମପୁର ଆଟିଆଇର ପ୍ରଚଷ୍ଟାକୁ ପ୍ରଶଂସା କରାଯାଇଥିଲା। ସେହିପରି ଏହି ଉତ୍ପାଦଗୁଡ଼ିକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଗୋଟିଏ ଉଦାହରଣ ବୋଲି ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଆଜି ସ୍କଚ୍ ଗୃପ ପକ୍ଷରୁ ଆୟୋଜିତ ଭର୍ଚୁଆଲ ବୈଠକରେ ଆଇଟିଆଇର ଅଧ୍ୟକ୍ଷ ଡ. ପାଣିଗ୍ରାହୀ ଯୋଗଦେଇ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗୋଲ୍ଡ ମେଡାଲ ଆୱାର୍ଡ ଗ୍ରହଣ କରିଥିଲେ। ଏହି ଆୱାର୍ଡ ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗିତ ବୋଲି ଡ. ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Comments are closed.