ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଜବତ

ମୁମ୍ବଇ: ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଘର ବାହାରୁ ଏକ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଜବତ ହୋଇଛି। ସେହି ଗାଡ଼ିରୁ ୨୦ଟି ଜିଲେଟିନ୍‌ ରଡ୍‌ ଜବତ କରିଛି ପୁଲିସ। ଏହି ଘଟଣା ପରେ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ତତ୍ପର ହୋଇପଡ଼ିଥିବାବେଳେ ବୋମା ନିରୋଧକ ସ୍କ୍ବାଡ୍‌ ସହିତ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ତଦନ୍ତ ଚଳାଇଛି। ଏହା ସହିତ ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରି ଯାଞ୍ଚ କଡ଼ାକଡ଼ି କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଉକ୍ତ ସ୍କର୍ପିଓ ଗାଡ଼ି ଅନେକ ସମୟ ଧରି ଅମ୍ବାନୀଙ୍କ ଘର ବାହାରେ ଛିଡ଼ା ହୋଇଥିଲା। ସନ୍ଦେହ ହେବାରୁ ସୁରକ୍ଷାକର୍ମୀମାନେ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ। ପୁଲିସ ବୋମା ନିରୋଧ ସ୍କ୍ବାଡ୍‌ ସହିତ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରୁ ୨୦ଟି ଜିଲେଟିନ୍‌ ରଡ୍‌ ଜବତ ହୋଇଥିଲା। ସ୍କ୍ବାଡ୍‌ ସେହି ବିସ୍ଫୋରକକୁ ନିଜ କବ୍‌ଜାକୁ ନେଇଛି।

ପୁଲିସ କହିବା ଅନୁସାରେ, ଗାଡ଼ିରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ମହାରାଷ୍ଟ୍ର ସରକାର ଘଟଣାକୁ ଗମ୍ଭୀରତାର ସହିତ ନେଇ ଅମ୍ବାନୀ ପରିବାରର ସୁରକ୍ଷା ବୃଦ୍ଧି ପାଇଁ ପୁଲିସ କମିଶନରଙ୍କୁ ଆଦେଶ ଦେଇଛନ୍ତି। ଆଣ୍ଟିଲିଆ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି।

Comments are closed.