ମହିଳା ଓ ଶିଶୁ ଡେସ୍କରେ କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ

ଦେବଗଡ: ଦେବଗଡ ଜିଲା ଥାନାମାନଙ୍କରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ଜିଲା ପୁଲିସ ବିଭାଗ ପକ୍ଷରୁ ଆଜି ସ୍କୁଟର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ ଯୋଗଦେଇ ନଡିଆ ଭାଙ୍ଗିବା ସହ ସବୁଜ ପତାକା ପ୍ରଦର୍ଶନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଦେବଗଡ ଆଦର୍ଶ ଥାନା ସମେତ ବାରକୋଟ ଥାନା, ରିଆମାଳ ଥାନା ଓ କୁଣ୍ଢେଇଗୋଳା ଆଦି ୪ଟି ଯାକ ଥାନାର ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ମହିଳା ପୁଲିସ କର୍ମଚାରୀଙ୍କୁ ଗୃହ ବିଭାଗ ଦ୍ୱାରା ପ୍ରଦତ୍ତ ସ୍କୁଟର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ଜେଂଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡିଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନିର୍ଭୟା ଯୋଜନା ଅର୍ଥରାଶିରୁ ରାଜ୍ୟ ଗୃହ ବିଭାଗ ଦ୍ୱାରା ଉପରୋକ୍ତ ସ୍କୁଟର ଗୁଡିକ କ୍ରୟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.