’ହଁ, ମୁଁ କୁକୁର, ଏଥିପାଇଁ ମୁଁ ଗର୍ବିତ’: କମଳନାଥଙ୍କୁ ଜବାବ ଦେଲେ ଜ୍ୟୋତିରାଦିତ୍ୟ

ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆକ୍ଷେପ-ପ୍ରତ୍ୟାକ୍ଷେପ ଚରମ ସୀମାରେ ପହଞ୍ଚିଛି । ପୂର୍ବରୁ ’ଆଇଟମ୍’, ‘ଚୁନ୍ନୁ-ମୁନ୍ନୁ’ ପରି ଆକ୍ଷେପକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ଶନିବାର ଉଠିଛି ‘କୁକୁର’ ପ୍ରସଙ୍ଗ । ଶନିବାର ରାଜ୍ୟସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଶୋକନଗରର ଏକ ନିର୍ବାଚନ ସଭାରେ ବିଜେପି ପ୍ରାର୍ଥୀ ଜଜପାଲ ସିଂହଙ୍କ ଲାଗି ନିର୍ବାଚନ ପ୍ରଚାର ସମୟରେ ନିଜକୁ କୁକୁର ବୋଲି କହିଛନ୍ତି । ସେ କହିଛନ୍ତି ଯେ – ହଁ କମଳନାଥ ଜୀ, ମୁଁ ଗୋଟେ କୁକୁର । ମୋର ମାଲିକ ସର୍ବସାଧାରଣ । ସେମାନଙ୍କ ସେବା ପାଇଁ ମୁଁ କାମ କରୁଛି । କୁକୁକର ତାର ମାଲିକ ଓ ଅନ୍ନଦାତାଙ୍କୁ ସୁରକ୍ଷା ଦେଇଥାଏ । ମୁଁ ସେହି କୁକୁର ଯିଏ ମୋର ମାଲିକଙ୍କ ପ୍ରତି ଆଙ୍ଗୁଳି ଉଠାଇବ ମୁଁ ତାଙ୍କୁ କାମୁଡ଼ିବି । ଏଥିପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ତେବେ କୁକୁର ପ୍ରସଙ୍ଗ ଉଠିବାର କାର ହେଉଛି ଭିନ୍ନ । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦକୃଷ୍ଣ ଶୁକ୍ରବାର ଅଶୋକ ନଗରର ଏକ ସମାବେଶରେ ନିଜ କୁକୁର କଥା ଉଠାଇ ପରୋକ୍ଷରେ ଜ୍ୟୋତିରାଦିତ୍ୟଙ୍କୁ ଆକ୍ଷେପ କରିଥିଲେ । ଏହି ସମାବେଶରେ କମଳନାଥ ମଧ୍ୟ ଉପସ୍ଥିତ ଥିଲେ ।

ଦିନକ ପରେ କମଳନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ଜବାବ ଦେଇଛନ୍ତି ଜ୍ୟୋତିରାଦିତ୍ୟ । ସେ  କହିଛନ୍ତି, କମଲ ନାଥ ଜଣେ ବିଶ୍ୱସ୍ତରୀୟ ଶିଳ୍ପପତି, କିନ୍ତୁ ରାଜ୍ୟରେ ଏକ ଶିଳ୍ପ ପ୍ରତିଷ୍ଠା ହୋଇପାରି ନାହିଁ। ତେବେ ଗଣତନ୍ତ୍ରର ମନ୍ଦିର ବଲ୍ଲଭ ଭବନରେ କମଲନାଥ ଘୋଡ଼ା ବେପାର ଆରମ୍ଭ କରିଥିଲେ ।  କିଛି ନେତାଙ୍କୁ ଟଙ୍କା ବସ୍ତା ବାଣ୍ଟିବା ଆରମ୍ଭ କରିଥିଲେ । ଏହା ବିରୋଧରେ ମୁଁ ରାସ୍ତାକୁ ଓହ୍ଲାଇଥିଲି ଓ ସରକାରକୁ ଧୂଳି ଚଟାଇଥିଲି । ଏହା କ’ଣ ମୋର ଭୂଲ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ ଜ୍ୟୋତିରାଦିତ୍ୟ ।

Comments are closed.