ଅଗଷ୍ଟରେ ଆସିବ ନୂଆ ପ୍ରଜାତିର ଭୂତାଣୁ

ବୈଜ୍ଞାନିକଙ୍କ ଆକଳନ : ଅକ୍ଟୋବର-ନଭେମ୍ବରରେ ଶିଖର ଛୁଇଁବ ତୃତୀୟ ଲହର

-ପ୍ରଭାବ ଦ୍ବିତୀୟ ଲହରର ଅଧା,-ଦୈନିକ ସଂକ୍ରମଣ ୧.୫ରୁ ୨ଲକ୍ଷ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବା ନେଇ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ତେବେ କରୋନାର ଏହି ତୃତୀୟ ଲହର ଆସନ୍ତା ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଶିଖର ଛୁଇଁବ ବୋଲି ସରକାରଙ୍କ କୋଭିଡ-୧୯ କମିଟିର ସଦସ୍ୟ ଥିବା ଜଣେ ବୈଜ୍ଞାନିକ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ବୃଦ୍ଧି ସମ୍ପର୍କରେ ଗାଣିତିକ ଆକଳନ ଭିତ୍ତିରେ ପୂର୍ବାନୁମାନ କରିବା ଲାଗି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ସଦସ୍ୟ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ଏହି ପୂର୍ବାନୁମାନ କରିଛନ୍ତି। ଆଇଆଇଟି କାନପୁରର ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ କରୋନା ସତର୍କତାକୁ ଯଦି ଠିକ୍ ରୂପେ ପାଳନ କରା ନଯାଏ ତେବେ ଅକ୍ଟୋବର-ନଭେମ୍ବର ମଧ୍ୟରେ ତୃତୀୟ ଲହର ଶିଖର ଛୁଇଁବ। ତୃତୀୟ ଲହରର ଶିଖର ସମୟରେ ଦୈନିକ ସଂକ୍ରମଣ ଦ୍ବିତୀୟ ଲହର ତୁଳନାରେ ଅଧା ରହିବ। ଅର୍ଥାତ୍‌ ତୃତୀୟ ଲହର ଶିଖର ସମୟରେ ଦୈନିକ ସଂକ୍ରମଣ ପ୍ରାୟ ୧.୫ ଲକ୍ଷରୁ ୨ ଲକ୍ଷ ରହିବ। ମେ ୭ରେ ଦେଶରେ ଦ୍ବିତୀୟ ଲହର ଶିଖର ଛୁଇଁଥିଲା। ଏହି ସମୟରେ ଦୈନିକ ସଂକ୍ରମଣ ୪ଲକ୍ଷ ୧୪ହଜାର ୧୮୮ ରହିଥିଲା। କରୋନା ସଂକ୍ରମଣ ସମ୍ପର୍କରେ ପୂର୍ବାନୁମାନ କରିବା ଲାଗି ଗଠିତ ବିଶେଷଜ୍ଞ କମିଟିରେ ପ୍ରଫେସର ଅଗ୍ରୱାଲଙ୍କ ସହିତ ଆଇଆଇଟି ହାଇଦରାବାଦର ବୈଜ୍ଞାନିକ ଏମ ବିଦ୍ୟାସାଗର ଓ ପ୍ରତିରକ୍ଷା ବିଭାଗର ଉପ ସ୍ବାସ୍ଥ୍ୟା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ ମାଧୁରୀ କାନିତକର ସଦସ୍ୟ ଅଛନ୍ତି। ଏହି କମିଟି ସୂତ୍ର ମଡେଲ ଆଧାରରେ ଦେଶରେ କରୋନା ସଂକ୍ରମଣର ପୂର୍ବାନୁମାନ କରିଆସୁଛି। ତୃତୀୟ ଲହର ସମ୍ପର୍କରେ କମିଟି ତାର ସବିଶେଷ ପୂର୍ବାନୁମାନ ଖୁବ୍‌ଶୀଘ୍ର କରିବାକୁ ଯାଉଥିବା ପ୍ରଫେସର ଅଗ୍ରୱାଲ କହିଛନ୍ତି। ଅଗ୍ରୱାଲ କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ହରାଇବା, ଟିକାକରଣର ପ୍ରଭାବ ଏବଂ ନୂଆ ପ୍ରଜାତିର ଭୂତାଣୁ ଆସିବାର ସମ୍ଭାବନାକୁ ନେଇ ଆମେ ତୃତୀୟ ଲହରର ପୂର୍ବାନୁମାନ କରାଯାଇଛି। ଦ୍ୱିତୀୟ ଲହରର ପୂର୍ବାନୁମାନ ସମୟରେ ଏସବୁ ପ୍ରସଙ୍ଗ ବିଚାର କରାଯାଇ ନଥିଲା।

ତୃତୀୟ ଲହରକୁ ନେଇ ଆମେ ତିନିଟି ଦିଗ ଆକଳନ କରିଛୁ। ପ୍ରଥମରେ, ଆମେ ଅନୁମାନ କରୁଛୁ ଯେ ଅଗଷ୍ଟ ସୁଦ୍ଧା ଲୋକଙ୍କ ଜୀବନଯାପନ ସ୍ୱାଭାବିକ ହେବ ଏବଂ କୌଣସି ନୂତନ ପ୍ରଜାତି ଆସିବ ନାହିଁ। ଦ୍ବିତୀୟ ଦିଗ ହେଉଛି ଟିକାକରଣ ଆଶାତୀତ ଫଳଠାରୁ ୨୦ ପ୍ରତିଶତ କମ୍ ପ୍ରଭାବଶାଳୀ ହେବ ଏବଂ ତୃତୀୟ ଦିଗ ହେଉଛି ଅଗଷ୍ଟରେ ୨୫ ପ୍ରତିଶତ ଅଧିକ ସଂକ୍ରାମକ ଥିବା ଏକ ନୂତନ ପ୍ରଜାତିର ଭୂତାଣୁ ସଂକ୍ରମଣ ହେବ। ତେବେ ୨୫ ପ୍ରତିଶତ ଅଧିକ ସଂକ୍ରାମକ ହେବାକୁଥିବା ନୂତନ ପ୍ରଜାତିଟି ଡେଲଟା ପ୍ଲସ ନୁହେଁ ବୋଲି ସେ କହିଛନ୍ତି। କାରଣ ଡେଲଟା ପ୍ଲସ ପ୍ରଜାତି ଡେଲଟା ପ୍ରଜାତିଠାରୁ କମ୍‌ ସଂକ୍ରାମକ। ଯଦି ନୂଆ ପ୍ରଜାତିର ଅଧିକ ସଂକ୍ରମିତ ଭୂତାଣୁ ନ ଆସେ ତେବେ ତୃତୀୟ ଲହର ନିୟନ୍ତ୍ରଣରେ ରହିବ। ସେହିପରି ଟିକାକରଣ ପ୍ରକ୍ରିୟା ଯୋଗୁଁ ସମ୍ଭାବ୍ୟ ତୃତୀୟ ଓ ଚତୁର୍ଥ ଲହର ହ୍ରାସ ପାଇବ। ସକାରାତ୍ମକ ଦିଗରୁ ବିଚାର କଲେ ଦୈନିକ ସଂକ୍ରମଣ ୫୦ ହଜାରରୁ ୧ଲକ୍ଷ ମଧ୍ୟରେ ରହିବ। ବିଶେଷଜ୍ଞ କମିଟି ସଦସ୍ୟ ଏମ୍ ବିଦ୍ୟାସାଗର କହିଛନ୍ତି ଯେ ତୃତୀୟ ଲହର ସମୟରେ ଡାକ୍ତରଖାନାରେ ଭିଡ କମ୍ ରହିବ। ସେ ବ୍ରିଟେନର ଉଦାହରଣ ଦେଇ ସେ କହିଛନ୍ତି ଯେ ତୃତୀୟ ଲହରରେ ଦୈନିକ ୬୦ହଜାର ସଂକ୍ରମିତ ହେଉଥିବାବେଳେ ୧୨୦୦ ପ୍ରାଣ ହରାଉଥିଲେ; ମାତ୍ର ଚତୁର୍ଥ ଲହରରେ ୨୧ହଜାର ସଂକ୍ରମିତ ହେଉଥିବାବେଳେ ୧୪ଜଣଙ୍କର ମୃତ୍ୟୁ ହେଉଥିଲା। ଟିକାକରଣ ଯୋଗୁଁ ସଂକ୍ରମିତ ଗୁରୁତର ହେବେ ନାହିଁ; ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିବ ନାହିଁ। କରୋନାର ଏହି ତୃତୀୟ ଲହରକୁ ଏଡାଇବା ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। କରୋନା ସତର୍କତାକୁ କଡାକଡି ପାଳନ ଉପରେ ଗୁରୁତ୍ବ ଦେବା ସହିତ ଟିକାକରଣକୁ ସରକାର ତ୍ବରାନ୍ବିତ କରିଛନ୍ତି।

Comments are closed.