ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ବିକଶିତ ହୋଇଥାଏ

ସିଏମସି ଓ କଟକ ସଦର ମଣ୍ଡଳ ସ୍ତରୀୟ ୨ଦିନିଆ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୧୯ ଉଦଯାପିତ

କଟକ ସଦର :  ବିଜ୍ଞାନ ପ୍ରଦର୍ଶନୀ ଓ ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ନବସୃଜନ ଓ ଲୁକ୍କାୟିତ ପ୍ରତିଭା ତଥା ବୈଜ୍ଞାନିକ ମନୋଭାବ ପରିପ୍ରକାଶ ହୋଇଥାଏ। ସେହିପରି ବିଜ୍ଞାନର ପ୍ରଚାର ଓ ପ୍ରସାର ଦ୍ୱାରା ସମାଜର ବିଭିନ୍ନ ସମସ୍ୟାର ସହଜରେ ସମାଧାନ ହୋଇଥାଏ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ବୁଧବାର ସ୍ଥାନୀୟ ଖାନନଗର ନୋଡାଲ ହାଇସ୍କୁଲ ପରିସରରେ ଦୁଇ ଦିନିଆ କଟକ ମହାନଗର ନିଗମ ଓ କଟକ ସଦର ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୧୯ରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି । ସମଗ୍ରଶିକ୍ଷା ଓ କଟକ ମହାନଗର ନିଗମ ପକ୍ଷରୁ ସିଏମସି ଓ କଟକ ସଦର ମଣ୍ଡଳ ସ୍ତରୀୟ ୨ଦିନିଆ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୧୯ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା।

ବୁଧବାର ପୂର୍ବାହ୍ଣରେ ଆୟୋଜିତ କଟକ ସଦର ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୧୯ର​‌ ଉଦଘାଟନ ଉତ୍ସବରେ କଟକ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ବିବେକାନନ୍ଦ ସୁନ୍ଦରରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜ୍ଞାନ ମେଳା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆକର୍ଷିତ କରାଯାଇ ପାରିବ ଓ ପରିବେଶ ସୁରକ୍ଷା ଦିଗରେ ସେମାନେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ୟୁଆରସିସି ଅଜୟ କୁମାର ସାହୁ, ବିଆରସିସି ଅନନ୍ତ ଚରଣ ଦେହୁରୀ, ଏବିଇଓ ସରସ୍ୱତୀ କାନୁନଗୋ ଓ ପୁଷ୍ପାଞ୍ଜଳୀ କର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜି ରାୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।  କଟକ ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୦୦ରୁ ଅଧିକ ପ୍ରକଳ୍ପ ଏଥିରେ ସ୍ଥାନ ପାଇଥିଲା।

ଅପରାହ୍ଣରେ ଆୟୋଜିତ ଉଦ୍‍ଯାପନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ଉଚ୍ଚ ପ୍ରଶଂସା କରି ପରିବେଶ ସୁରକ୍ଷା ପଦିଗରେ ବାର୍ତାବହ ସାଜିବାକୁ ପରାମର୍ଶ ଦେଇଥିଲେ । ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଭୁବନେଶ୍ୱରର ବୈଜ୍ଞାନିକ ଡ଼କ୍ଟର ତୁଷାରକାନ୍ତ ବେଉରିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଯୁଗକୁ ବିଜ୍ଞାନର ଯୁଗ ବୋଲି କୁହାଯାଉଥିବା ବେଳେ, ବିଦ୍ୟାର୍ଥୀମାନେ ବିଜ୍ଞାନ ଶିକ୍ଷା ପ୍ରତି ଅଧିକ ମନୋନିବେଶ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅଡଶପୁର ୟୁଏନ ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼କ୍ଟର ସ୍ମୃତି ପଟ୍ଟନାୟକ, ପଞ୍ଚାୟତିରାଜ ବିଭାଗର ପରାମର୍ଶଦାତା ଶ୍ରୀଯୁକ୍ତ ଘୋଷ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ବିଆରସିସି ଅନନ୍ତ ଚରଣ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁଇ ଦିନ ଧରି ଆୟାଜିତ ଏହି  ସିଏମସି ଓ କଟକ ସଦର ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା -୨୦୧୯କୁ ମଙ୍ଗଳବାର କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଜ୍ୟୋତିଷ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ କଟକ ମହାନଗର ନିଗମର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୫୦ରୁ ଅଧିକ ପ୍ରକଳ୍ପ ସ୍ଥାନ ପାଇଥିଲା। ଅପରାହ୍ଣରେ ଆୟୋଜିତ ଉଦ୍‍ଯାପନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ ବିଜୟ କୁମାର ଖଣ୍ଡାୟତରାୟ ମୁଖ୍ୟ ଅତିଥି, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ବୈରାଗୀ ଚରଣ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହପରି ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ବିବେଚିତ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।

ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । କଟକ ମହାନଗର ନିଗମ ଓ କଟକ ସଦରର ବ୍ଲକର ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Comments are closed.