ଜୁଲାଇରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ କେନ୍ଦ୍ର ସରକାର ସୋମବାର ସୂଚନା ​ଦେଇଛନ୍ତି । ଜୁଲାଇରୁ ୩୦ ପ୍ରତିଶତ ଉପସ୍ଥିତି ସହିତ ଗ୍ରୀନ୍‌ ବା ଅରେଞ୍ଜ ଜୋନ୍‌ରେ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରଥମେ ଗ୍ରୀନ୍‌ ଜୋନ୍‌ ଓ ପରେ ଅରେଞ୍ଜ ଜୋନ୍‌ରେ ଅଷ୍ଟମରୁ ଉଚ୍ଚତର ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ ଓ ଶ୍ରେଣୀକକ୍ଷରେ ସାମାଜିକ ଦୂରତ୍ବ ରକ୍ଷା ସହିତ ସମସ୍ତ ସୁରକ୍ଷା ମାର୍ଗଦର୍ଶିକା ପାଳନ କରାଯିବ ଏବଂ ଦୁଇ ସିଫ୍ଟରେ ପାଠପଢ଼ା ହେବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ଅନୁକୂଳ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତଳ ଶ୍ରେଣୀର ପିଲାମାନେ ସେ ପର୍ଯ୍ୟନ୍ତ ଘରେ ରହି ପାଠ ପଢ଼ିବେ। ଏ ସମ୍ପର୍କିତ ବିସ୍ତୃତ ଖସଡ଼ା ଏବେ ପ୍ରସ୍ତୁତ କରାଯାଉଥିବା କୁହାଯାଇଛି। ସ୍କୁଲରେ ସମବେତ ପ୍ରାର୍ଥନା​‌ ସଭା ବା ଆସେମ୍ବ୍ଲି ଆୟୋଜନ ହେବ ନାହିଁ। ଖୁବ୍‌ ଶୀଘ୍ର ସ୍କୁଲ ଖୋଲିବା ସଂକ୍ରାନ୍ତ ମାର୍ଗଦର୍ଶିକା ଓ ନିର୍ଦ୍ଧିଷ୍ଟ ତାରିଖ ପ୍ରକାଶ ପାଇବ। ମହାବିଦ୍ୟାଳୟଗୁଡ଼ିକ ମଧ୍ୟ ସମାନ ନୀତି ଆଧାରରେ ଖୋଲିବ ବୋଲି ସୂଚନା ଦିଆଯାଇଛି। ୪୦ଜଣ ଛାତ୍ରଙ୍କୁ ଏକ ଶ୍ରେଣୀ କୋଠରୀରେ ବସାଇ ସାମାଜିକ ଦୂରତ୍ବ ରକ୍ଷା କରିବା ସମ୍ଭବ ନୁହେଁ। ତେଣୁ ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପର୍ଯ୍ୟାୟ ଭିତ୍ତିରେ ପାଠପଢା ହେବ। ଏ ସମ୍ପର୍କରେ ୟୁଜିସି, ଏନସିଇଆରଟି ଆବଶ୍ୟକ ଗାଇଡଲାଇନ ପ୍ରସ୍ତୁତ କରିବେ। ୟୁଜିସି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପାଇଁ ଗାଇଡଲାଇ ପ୍ରସ୍ତୁତ କରିବ ଓ ଏନସିଇଆରଟି ସ୍କୁଲଗୁଡିକ ଲାଗି ଗାଇଡଲାଇନ ପ୍ରସ୍ତୁତ କରିବ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ କହିଛନ୍ତି ଯେ ଶିକ୍ଷକ ଓ ପିଲାମାନଙ୍କ ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ।

Comments are closed.