ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା; ଅଭିଭାବକଙ୍କ ମତାମତ ଆଧାରରେ ନିଷ୍ପତ୍ତି

ନୂଆଦିଲ୍ଲୀ: ସ୍କୁଲ କେବେ ଖୋଲିବ ତାହାକୁ ନେଇ ଏବେ ଚର୍ଚା । କିଛି ଦିନ ତଳେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ସ୍କୁଲ ଖୋଲିବା ନେଇ ବିଚାର ଚାଲିଥିବା କୁହାଯାଉଥିଲା । ମାତ୍ର ଏହାକୁ ନେଇ ଆପତ୍ତି ଉଠାଇଛି ଭାରତୀୟ ଅଭିଭାବକ ମହାସଂଘ । ସ୍କୁଲ ଖୋଲିବା ନେଇ ଅଧିକାଂଶ ଅଭିଭାବକ ରାଜି ହେଉ ନାହାନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ କେବେ ସ୍କୁଲ ଖୋଲିବ ତାହା ନିଷ୍ପତ୍ତି ହୋଇପାରୁ ନାହିଁ ।

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ ଅନଲକ୍-୩ ମାର୍ଗଦର୍ଶିକା ଅନୁସାରେ ଗୃହ ମନ୍ତ୍ରଣାଳୟ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରିିବାକୁ ନିର୍ଦେଶ ଦେଇଛନ୍ତି । ଗୃହ ମନ୍ତ୍ରଣାଳୟର ଆଗାମୀ ମାର୍ଗଦର୍ଶିକା ଆଧାରରେ ସ୍କୁଲ କଲେଜ ଖୋଲିବା ନିଷ୍ପତ୍ତି ନିଆଯିବ ।

ତେବେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତମାନ କରୋନା ଭୂତାଣୁ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବାରୁ ସ୍କୁଲ କଲେଜ ଖୋଲିବା ବିଳମ୍ବିତ ହୋଇପାରେ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆପାତତଃ ସ୍କୁଲ ନ ଖୋଲିବା ପାଇଁ ନିର୍ଣ୍ଣୟ ନେଇ ସାରିଛି । ସ୍କୁଲ ଖୋଲିବା ପ୍ରକ୍ରିୟା ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟର ଅଭିଭାବକଙ୍କ ମତାମତ ଉପରେ ନିଆଯିବ ବୋଲି ସେ କହିଛନ୍ତି । କିଛି ଅଭିଭାବକ  ଚଳିତ ବର୍ଷ ସ୍କୁଲ ପୁରା ଶିକ୍ଷାବର୍ଷକୁ ବନ୍ଦ କରିବାକୁ ଚାହୁଁଛନ୍ତି । ଏହି ଦାବିକୁ ନେଇ ବିିଭିନ୍ନସ୍ତରରେ ସହମତି ଆସିଛି । ରାଜ୍ୟ ସରକାରମାନେ ଅଭିଭାବକଙ୍କଠାରୁ ସ୍କୁଲ ଖୋଲିବା ନେଇ ସେମାନଙ୍କର ମତାମତ ଜାଣିବାକୁ ଚେଷ୍ଟା କରନ୍ତୁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

ଅଲ୍ ଇଣ୍ଡିଆ ପ୍ୟାରେଣ୍ଟସ୍ ଆସୋସିଏସନ ଅଧ୍ୟକ୍ଷ ଅଶୋକ ଅଗ୍ରୱାଲ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ ନିକଟ​‌ରେ ଆମେ ପ୍ରମୁଖ ୩ଟି ପ୍ରସଙ୍ଗ ଉପସ୍ଥାପନ କରିଛୁ । ଯେ ପର୍ଯ୍ୟନ୍ତ କରୋନ ପୁରା ନିୟନ୍ତ୍ରଣ ନ ହୋଇଛି ସେ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ଆମେ ଅନୁରୋଧ କରିଛୁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ସାରା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଆମେ ଚିଠି ଲେଖିଛୁ । ଚଳିତ ଶିକ୍ଷାବର୍ଷକୁ ‘ଜିରୋ ଏକାଡ଼େମିକ୍ ଇୟର’ ଘୋଷଣା କରିବାକୁ ମଧ୍ୟ ଅନୁରୋଧ କରିଛୁ । ସବୁ ଛାତ୍ରଛାତ୍ରୀଙ୍କୁ ପରବର୍ତୀ ଶ୍ରେଣୀକୁ ଉନ୍ନୀତ କରାଯିବା ସହ ପାଠ୍ୟକ୍ରମରେ ସଂଶୋଧନ ନିମନ୍ତେ ମଧ୍ୟ କହିଛୁ ।

ଏହି ପୁରା ପ୍ରସଙ୍ଗ ଉପରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଥ​‌ମେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଏହା ପରେ ଶିକ୍ଷା । ଅର୍ଥାତ୍ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ କୌଣସି ବୁଝାମଣା କରାଯିବ ନାହିଁ । କୌଣସି ପଦକ୍ଷେପ ଗ୍ରହଣ ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ଓ ଏହା ନିଶ୍ଚିତ ହେବା ପରେ ପାଠପଢ଼ା ବା ପରୀକ୍ଷା ପାଇଁ ଯୋଜନା କରାଯିବ ।

Comments are closed.