ଏମଓୟୁରେ ସାମିଲ ନ ଥିବା ସ୍କୁଲ ଉପରେ ଲାଗୁ ହେବ ନାହିଁ ଫି’ଛାଡ଼ ବିଜ୍ଞପ୍ତି – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେଉଁ ଘରୋଇ ବିଦ୍ୟାଳୟ ଗୁଡ଼ିକ ସେପ୍ଟେମ୍ବର ୧୦ ଏମଏୟୁରେ ସାମିଲ ହୋଇନଥିବେ ସେହି ସ୍କୁଲ ଉପରେ ଗତ ୧୯ ଜାନୁଆରୀ ୨୦୨୧ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରି ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ ବିଜ୍ଞପ୍ତି ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଗୁରୁବାର ଆସୋସିଏସନ ଅଫ ଓଡ଼ିଶା ଆଇସିଏସଇ ସ୍କୁଲ ବନାମ ଓଡ଼ିଶା ସରକାର ମାମଲାର ଶୁଣାଣି ବେଳେ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ନିର୍ଦେଶ ଜାରି କରିଛନ୍ତି ବୋଲି ଆସୋସିଏସନର ଓକିଲ ଶୁଭେନ୍ଦୁ ଶୁଭାଶିଷ ଦାଶ ସୂଚନା ଦେଇଛନ୍ତି।

ଯେଉଁ ବିଦ୍ୟାଳୟ ଗୁଡ଼ିକ ଏମଓୟୁରେ ସାମିଲ ନଥିଲେ ସେମାନଙ୍କ ଲାଗି ସରକାର ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିପାରିବେ। ଯଦି ସ୍ୱତନ୍ତ୍ର ବିଜ୍ଞପ୍ତିରେ ଆଇସିଏସଇ ଓ ସିବିଏସଇ ଘରୋଇ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୁଅନ୍ତି ସେଭଳି ସ୍ଥିତିରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ପ୍ରକାଶ ଯେ କୋଭିଡ଼-୧୯ କାଳରେ ଘରୋଇ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ବିରୋଧରେ ଆସୋସିଏସନ ଅଫ ଓଡ଼ିଶା ଆଇସିଏସଇ ସ୍କୁଲ ସୁପ୍ରିମକୋର୍ଟରେ ଏସଏଲପି ଆଗତ କରିଥିଲେ। ପିଟିସନରେ ଦର୍ଶାଇଥିଲେ ଯେ ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ କରିବା କ୍ଷମତା ଓଡ଼ିଶା ସରକାରଙ୍କ ନାହିଁ। ୨୦୧୪ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶମତେ ପୂର୍ବତନ ହାଇକୋର୍ଟ ବିଚାରପତି କେ ପି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି’ ଷ୍ଟ୍ରକ୍ଚର କମିଟି ରିପୋର୍ଟ ଆଧାରରେ ଅଣଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟର ଫି’ ନିର୍ଦ୍ଧାରଣ ହେଉଛି।

ଗତ ୧୯ ଜାନୁଆରୀ ୨୦୨୧ରେ ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ ବାବଦରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରି ବିଜ୍ଞପ୍ତି ଦ୍ୱାରା ରାଜ୍ୟର ୧୦୫ଟି ଘରୋଇ ଅଣଅନୁଦାନପ୍ରାପ୍ତ ଆଇସିଏସଇ ବିଦ୍ୟାଳୟ ବିଶେଷକରି ୫୦ଟି ସଂଖ୍ୟାଲଘୁ ଆଇସିଏସଇ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟ ରିଟ ସଂଖ୍ୟା ୨୯୧୮/୨୦୨୧ର ଚୂଡ଼ାନ୍ତ ବିଚାର ବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ୧୯ ଜାନୁଆରୀ ୨୦୨୧ ବିଜ୍ଞପ୍ତି ଏବଂ ୧୦ ସେପ୍ଟେମ୍ବର ୨୦୨୦ ଏମଓୟୁର ଆଇନଗତ ବୈଧତାକୁ ବିଚାରକୁ ନେଇ ନାହାନ୍ତି।

ଫି’ ହ୍ରାସ ସଂକ୍ରାନ୍ତରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୧୦ ସେେପ୍ଟମ୍ବର ୨୦୨୦ରେ ଆହୁତ ବୈଠକରେ ଆସୋସିଏସନକୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇ ନଥିଲା। ଓଡ଼ିଶା ଶିକ୍ଷା ଆଇନ ୧୯୬୯ରେ ଘରୋଇ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଫି’ ନିର୍ଦ୍ଧାରଣ ଲାଗି କୌଣସି ବ୍ୟବସ୍ଥା ନଥିବା ବେଳେ ଫି’ ନିର୍ଦ୍ଧାରଣ ଲାଗି ୧୦ ସେପ୍ଟେମ୍ବର ୨୦୨୦ର ଏମଓୟୁ ଆଦୌ ଆଇନ ସମ୍ମତ ନୁହେଁ। ଓଡ଼ିଶା ଶିକ୍ଷା ଆଇନ ୧୯୬୯ ଅନୁଯାୟୀ ରାଜ୍ୟ ସରକାରଙ୍କ ଫି’ ନିର୍ଦ୍ଧାରଣ ବାବଦରେ କୌଣସି ଅଧିକାର ନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ ଜରିଆରେ ଖୋଦ୍ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନିଛି ବୋଲି ଏସଏଲପିରେ ଉଲ୍ଲେଖ ରହିଥିଲା।

Comments are closed.