ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଅନୁଧ୍ୟାନ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ବୈଠକ

ବାଙ୍କୀ : ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ହାଇସ୍କୁଲ ସ୍ତରରେ ଶିକ୍ଷା ଓ ଶିକ୍ଷା ପରିବେଶକୁ ଉଚ୍ଚତର ସୋପାନରେ ପହଞ୍ଚାଇ ବୌଦ୍ଧିକ ଶିକ୍ଷା ପ୍ରଦାନ ନିମନ୍ତେ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠକୁ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଚୁଡାନ୍ତ ପ୍ରକ୍ରୀୟା ପହଞ୍ଚିଛି । ସେହିପରି ବାଙ୍କୀ ଉପଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଗୋଟି ହଇାସ୍କୁଲକୁ ଯୋଜନାରେ ସାମିଲ କରାଯାଇ ବିଦ୍ୟାଳୟର ଭିତ୍ତିଭୂମି ବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତି ଆରମ୍ଭ ଦୃଷ୍ଟିରୁ ଶୁକ୍ରବାର ଦିନ ଏକ ପ୍ରସ୍ତୁତି ଏବଂ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ଅଧିନ ଘୋଳପୁର, ବନ୍ଦାଳ, ବୈଦେଶ୍ୱର, କଳାପଥର, ବ୍ରହ୍ମପୁରା ରଘୁନାଥ ଦେବତା, ପଥୁରୀପଡା, ମହାବେରେଣା, ପଣ୍ଡାଳମ ହାଇସ୍କୁଲ, ମଇଯୋରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର ଏବଂ ଜଣେ ଲେଖାଏଁ ଛାତ୍ର ଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିପରି ଡମପଡା ବ୍ଲକ ଅଧିନ ନିସ୍ତିପୁର ଅରାଚଣ୍ଡୀ ବିଦ୍ୟାପୀଠ, ଗୟଳବାଙ୍କ ହାଇସ୍କୁଲ, ତାଳବସ୍ତ ନୋଡାଲ ହାଇସ୍କୁଲ, ରଗଡି ହାଇସ୍କୁଲର ପ୍ରଧାନ ଶିକ୍ଷକ, ଜଣେ ପୁରାତନ ଛାତ୍ର ଏବଂ ବର୍ତ୍ତମାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଯୋଗଦେଇ ସୁଚିନ୍ତିତ ମତାମତ ରଖିଥିଲେ। ଏହି ଅବସରରେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ବିଦ୍ୟାଳୟ ରୂପାନ୍ତରିକରଣ ନିମନ୍ତେ କାର୍ଯ୍ୟକୁ ଶ୍ରେଣୀ ପ୍ରକୋଷ୍ଠ ଓ ପରିବେଶକୁ ସ୍ୱତନ୍ତ୍ର ପରିଦର୍ଶନ ଓ ଅନୁଧ୍ୟାନ କରି ସଦସ୍ୟ ମାନେ ବୌଦ୍ଧିକ ଜ୍ଞାନ କୌଶଳ ସମ୍ପର୍କରେ ଦୃଷ୍ଟିପାତ କରିଥିବା ଜଣାପଡିଛି। ସମ୍ମାନିତ ଅତିଥି ଭାବରେ ମଣ୍ଡଳ ସାଧନ ସଞ୍ଜୋଜକ ଗଦାଧର ପ୍ରଧାନ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ବେହେରା,ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦେବାଶିଷ ହାଜିରା ଏବଂ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଟି.ସି ନିଶାମଣି ପ୍ରଧାନ,ଲୋପାମୁଦ୍ରା ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଅଭିମୁଖ୍ୟ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ।

Comments are closed.