ବଦଳିଲା ସ୍କୁଲ ଖୋଲିବା ନିର୍ଦେଶ, ନଭେମ୍ବର ୧୫ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ଲକ୍ ୬.୦ ଜାରି କରାଯିବାର କିଛି ସମୟରେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ଏସ୍ଓପି ବଦଳାଇଲେ। ଏଥିରେ ସ୍କୁଲ ଖୋଲିବା ନେଇ ପରିବର୍ତ୍ତିନ କରାଯାଇଥିବା ସୂଚନା ରହିଛି। ନଭେମ୍ବର ୧୫ ପରେ ସ୍କୁଲ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇ ପାରିବ ବୋଲି କୁହାଯାଇଛି। ଏହାଦ୍ବାରା ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିପାରିବ। ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବାକୁ ପରିବର୍ତ୍ତିତ ଏସ୍ଓପିରେ ଦର୍ଶାଯାଇଛି। ତେବେ ନଭେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି। ନୂଆ ଗାଇଡ୍ଲାଇନ୍ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶା ସରକାର କେତେକ କଟକଣା ସହ ଆସନ୍ତା ନଭେମ୍ବର ୧୬ ପରେ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଜର ଅନଲକ ୬.୦ ଗାଇଡଲାଇନରେ ସୂଚନା ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ହେଉଛି। ଏସ୍ଓପି ପ୍ରସ୍ତୁତ ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନେ ଏସ୍ଓପି ପ୍ରସ୍ତୁତ କରିବେ। କେଉଁ ତାରିଖରୁ ସ୍କୁଲ ଖୋଲିବ ଖୁବ୍ ଶୀଘ୍ର ଘୋଷଣା ହେବ। ଏ ନେଇ ଏସଆରସିଙ୍କୁ ପ୍ରସ୍ତାବ ପଠାଇଦିଆଯାଇଛି
ଆଜି ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ନଭେମ୍ବର ୧୬ ପରେ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଥିଲା । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବେ ବୋଲି ଏଥିରେ କୁହାଯାଇଥିଲା ।
ଅନ୍ୟ ପକ୍ଷରେ ରାଜଧାନୀ ଭୁବନେଶ୍ବରରେ ସ୍କୁଲ୍ ଖୋଲିବା ନେଇ ମତ ରଖିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କମିଶନର ପ୍ରେମଚାନ୍ଦ ଚୌଧୁରୀ। ସେ କହିଛନ୍ତି ଯେ ଏସ୍ଓପି ପରେ ଭୁବନେଶ୍ବରରେ ସ୍କୁଲ ଖୋଲିବା ବିଚାର ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କ’ଣ ଏସ୍ଓପି କରୁଛି, ତାହାକୁ ଅପେକ୍ଷା କରିଛୁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରାଯାଉଛି। ଏହି ଏସଓପି ଜାରି ହେବା ପରେ ଭୁବନେଶ୍ବରରେ ସ୍କୁଲ ଖୋଲିବ। ଆମେ ବର୍ତ୍ତମାନ ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କି ପ୍ରକାର କାର୍ୟ୍ୟପନ୍ଥା ଗ୍ରହଣ କରୁଛନ୍ତି ତା’ଉପରେ ନଜର ରଖିଛୁ।
ଅପରପକ୍ଷରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡ୍ଲାଇନ୍ରେ ଦର୍ଶାଯାଇଛି।