MEllora 950×100

ଚାଞ୍ଚଡ଼ା ଘେରା ବିଦ୍ୟାଳୟରେ ବାଟ ହୁଡ଼ିଛି ପାଠପଢ଼ା

ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର

ଚିତ୍ରକୋଣ୍ଡା : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ଧୂଳିପୁଟ ପଞ୍ଚାୟତ ଡଣ୍ଡାଲଗନ୍ଧି ବିଦ୍ୟାଳୟର ଅବସ୍ଥା ଦେଖିଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବୁଝି ହେଉଛି। ଶିକ୍ଷକ ଅଛନ୍ତି, ବିଦ୍ୟାଳୟ ଅଭାବରୁ ଖରା,ବର୍ଷା ଦାଉରୁ ରକ୍ଷା ପାଇଁ ଗାଈ ଗୁହାଳ ଭଳି ଚାଞ୍ଚଡ଼ା ଘେରା ଏକ ସ୍ଥାନରେ ଉପରେ ପଲିଥିନ ଟଙ୍ଗାଯାଇଥିବା ଦେଖିବାକୁ ମିଳୁଛି। ଭଙ୍ଗାଘରେ ଚକା ଜହ୍ନଙ୍କୁ ଦେଖି କଅଁଳ ଭବିଷ୍ୟତ ଯେ ବିପଦ ମୁହଁକୁ ଠେଲି ଦିଆଯାଉଛି ତାହା ବୁଝି ହେଉଛି ା ସରକାର ୫-ଟିରେ ସ୍ମାର୍ଟ ସ୍କୁଲର ପରିକଳ୍ପନା କରିଥିବା, ରାଜ୍ୟରେ ବହୁ ବିଦ୍ୟାଳୟର ରୂପାନ୍ତରଣ ହୋଇଥିବାବେଳେ ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖିଲେ ସରକାରୀ ବିଧିବ୍ୟବସ୍ଥା ଭିତରେ ଲୁଚି ରହିଥିବା ଦୁର୍ବଳତା ​ବେଶ ବୁଝି ହେଉଛି ା ୫-ଟି ବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ଏଠାରେ ଶିକ୍ଷକ ଦୟନୀୟ ଅବସ୍ଥାରେ ଭବିଷ୍ୟ ଗଢ଼ୁଛନ୍ତି।
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତର ୬ଟି ସ୍ଥାନ ଯଥା ଡବଲପାହାଡ଼, ସିଂଘାବାରାମ, ଡ଼ଣ୍ଡାଲଗନ୍ଧି, ଗୋଟେଦୂରବନ୍ଧ, ଦାଗୁଡୁପାଲି ଓ ଶୁଆପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ବିଦ୍ୟାଳୟ ଗୃହ ନାହିଁ। ସେହିଭଳି ଅଭିଭକ୍ତ ଅଣ୍ଡିରାପାଲି -ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡ଼ା ଓ ଡାବୁଗୁଡ଼ା ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ବିଦ୍ୟାଳୟ ଗୃହ ନାହିଁ ା ସେହିଭଳି ଉପାନ୍ତ କୁରୁମାନୁର ଓ ପାପୁଲୁର ପଞ୍ଚାୟତର ବହୁ ସ୍ଥାନରେ ବିଦ୍ୟାଳୟ ନାହିଁ। କେଉଁ ସ୍ଥାନରେ ବିଦ୍ୟାଳୟ ଥିଲେ ଭଲ ଶିକ୍ଷକ ନାହାନ୍ତି ତ କେଉଁଠି ଶିକ୍ଷକ ଥିଲେ ବିଦ୍ୟାଳୟ ଗୃହ ନାହିଁ। ସେହିଭଳି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବହୁ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ମାତ୍ର ବିଦ୍ୟାଳୟ ଗୃହ ନାହିଁ। ଚିତ୍ରକୋଣ୍ଡାକୁ ଆଜିସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆସିପାରିଲା ନାହିଁ, ଚିତ୍ରକୋଣ୍ଡାରେ ନାମକୁ ମାତ୍ର ଚାଲିଛି ବିଇଓ କାର୍ଯ୍ୟାଳୟ। ସମସ୍ୟା ସମ୍ପର୍କରେ ବାରମ୍ବାର ଚିତ୍ରକୋଣ୍ଡା ବିଇଓ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ପଚାରିବାରେ ଚିତ୍ରକୋଣ୍ଡା ଅଞ୍ଚଳ ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ନ ଥିବା ସମ୍ପର୍କରେ ଚିତ୍ରକୋଣ୍ଡା ବ୍ଲକ ତଥା ପଞ୍ଚାୟତକୁ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଜଣାଇଥିବା ପ୍ରକାଶ କରିଥିଲେ ା ଅବିଳମ୍ବେ ଜିଲା ପ୍ରଶାସନ ବିଦ୍ୟାଳୟ ଗୃହ ନ ଥିବା ସ୍ଥାନରେ ବିଦ୍ୟାଳୟ ଗୃହ ନିର୍ମାଣ ଏବଂ ବିଦ୍ୟାଳୟ ଥିବା ସ୍ଥାନରେ ଭଲ ଶିକ୍ଷକ ଯୋଗାଇ ଦେବା ନିମନ୍ତେ ଦାବି ହେଉଛି।

Comments are closed.