ସ୍କୁଲ ଫି’କୁ ନେଇ ଦ୍ବନ୍ଦ୍ବ; ଆଇନ ସହାୟତା ଲୋଡ଼ିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: କରୋନା ଯୋଗୁଁ ୯ ମାସ ଧରି ସ୍କୁଲ ବନ୍ଦଥିବାରୁ ଫି’ଛାଡ଼ କରିବାକୁ ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍କୁଲ ଫି’ ହ୍ରାସ୍‌ ଓ ଫି’ଦାଖଲ ଅବଧି ବୃଦ୍ଧି କ୍ଷେତ୍ରରେ ସହାନଭୂତି ଦେଖାଇବାକୁ ବିଦ୍ୟାଳୟ ମାଲିକଙ୍କୁ ପରାମର୍ଶ ଦେଇଥିଲେ। କିଛି ବିଦ୍ୟାଳୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଫି’ ଛାଡ଼ କରିଥିବାବେଳେ ଅନ୍ୟ କିଛି ଶିକ୍ଷାନୁଷ୍ଠାନ ଏଥିରେ ସମ୍ମତି ପ୍ରକାଶ କରି ନଥିଲେ। ଏହି ପ୍ରସଙ୍ଗକୁ ନେଇ ସମାଧାନର ବାଟ ନ ବାହାରିବାରୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ଏହି ପ୍ରସଙ୍ଗରେ ତିନୋଟି ପୃଥକ ଲେଖା ଆବେଦନକୁ ଉପରେ ଗତ ୭ ତାରିଖ ଏନେଇ ଶୁଣାଣି ହୋଇଥିବାବେଳେ ୧୦ରେ ରାୟ ପ୍ରକାଶ ପାଇଥିଲା। ଇତିମଧ୍ୟରେ ୫ ଦିନ ବିତିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ପ୍ରଥମେ ଆପୋଷ ସମାଧାନ କରିବାକୁ ହାଇକୋର୍ଟରେ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ଘରୋଇ ସ୍କୁଲ ଉପରେ ନିୟନ୍ତ୍ରଣ ନଥିବା କଥା ମଧ୍ୟ ଜଣାଇଥିଲେ। ଘରୋଇ ସ୍କୁଲ, ସରକାର ଏବଂ ଓଡ଼ିଶା ଅଭିଭାବକ ମହାସଂଘକୁ ନେଇ ହୋଇଥିବା ଚୁକ୍ତିନାମା ମଧ୍ୟ ହାଇକୋର୍ଟରେ ଦାଖଲ କରିଥିଲେ। ରାୟ ପ୍ରକାଶ ପାଇବା ପରେ ସରକାର ଫି’ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ପରାମର୍ଶ ଦେଇଥିଲେ।

ଏହି ପ୍ରସଙ୍ଗକୁ ନେଇ ଅଭିଭାବକ, ଛାତ୍ରଛାତ୍ରୀଙ୍କ ମହଲରେ ଆଶାସଞ୍ଚାର ହେଉଥିବାବେଳେ କେବେ ସରକାର ବିଧିବଦ୍ଧ ନିଷ୍ପତ୍ତି ନେବେ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଥିବା ବିଭିନ୍ନ ଆଇନଗତ ଦିଗ ସମ୍ବନ୍ଧରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ଏହାବ୍ୟତୀତ ବିଗତଦିନରେ ହୋଇଥିବା ଚୁକ୍ତିପତ୍ର କାର୍ଯ୍ୟକାରୀ କରିବା, ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବିଭାଗ ପକ୍ଷରୁ ହାଇକୋର୍ଟଙ୍କ ରାୟକୁ ତର୍ଜମା କରାଯାଇଥିବାବେଳେ ଆଇନଗତ ବିଶାରଦଙ୍କଠାରୁ ମତ ଲୋଡ଼ାଯାଇଥିବା ଜଣାପଡ଼ିଛି। କୋର୍ଟଙ୍କ ରାୟରେ କ’ଣ ଉଲ୍ଲେଖ ରହିଛି ଓ କ’ଣ କରାଗଲେ ସମସ୍ୟାର ସମାଧାନ ହେବ ସେ ଦିଗରେ ଆଇନଗତ ସହାୟତା ଲୋଡ଼ାଯାଇଛି।

ଆଇନ ବିଶାରଦଙ୍କ ମତାମତ ମିଳିବା ପରେ ବିଭାଗ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ। ଏହି ରିପୋର୍ଟ ଓ ଆଇନଗତ ଦିଗକୁ ଦୃଷ୍ଟିରେ ରଖି ଠିକ୍‌ ସମୟରେ ଉଚିତ୍‌ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.