ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦାବି

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ତଳଦଣ୍ଡିକିଆ ସ୍ଥିତ ଡ଼ାମିନାଜୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଦାବି କରି ଗ୍ରାମବାସୀ ଓ ସ୍କଲର ଛାତ୍ରଛାତ୍ରୀମାନେ ଫିରିଙ୍ଗିଆ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପ୍ରକାରେ, ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁୁଛନ୍ତି। ବହୁ କଷ୍ଟରେ ବର୍ଷ ବର୍ଷ ଧରି ଦାବି କରିବା ପରେ ଗ୍ରାମରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ପାରିଛି। ତେବେ ବର୍ତ୍ତମାନ ସରକାରଙ୍କ ନୂତନ ନିୟମ ପ୍ରକାରେ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିବାପାଇଁ ଆରମ୍ଭ ହୋଇଥିିବା ପଦକ୍ଷେପକୁ ଗ୍ରାମବାସୀମାନେ ବିରୋଧ କରି ବନ୍ଦ ନିଷ୍ପତିରୁ ଓହରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଡ଼ାମିନାଜୁ ବିଦ୍ୟାଳୟର ବନ୍ଦ କରି ନିକଟସ୍ଥ ଦଣ୍ଡିକିଆ ବିଦ୍ୟାଳୟକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଉକ୍ତ ବିଦ୍ୟାଳୟ ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ ଓ ଗ୍ରାମରୁ ବିଦ୍ୟାଳୟକୁ ଯିବାକୁ ହେଲେ ଏକ ନାଳ ପାର ହୋଇଯିବାକୁ ପଡ଼ିବ। ଯାହାକୁ କୁନି କୁନି ପିଲାଙ୍କ ପାଇଁ ସବୁବେଳେ ସମ୍ଭବ ନୁହେଁ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବିଦ୍ୟାଳୟ କମିଟିର ସଭାପତି ଅଶୋକ କହଁରଙ୍କ ନେତୃତ୍ୱରେ ରାମଚନ୍ଦ୍ର କହଁର , ଚନ୍ଦ୍ରଶେଖର କହଁର, ମମତା କହଁର , ରାନୁଜା କହଁର, ୱାର୍ଡ଼ ମେମ୍ବର ରତ୍ନାକର କହଁର, ଲଳିତା କହଁର, ଅନିତ କହଁର , ଲାଇଲି ମଳିକ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.