ସ୍କୁଲ ଘରକୁ ବେଆଇନ ଭାବେ ଦଖଲ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ବିନାଖଣ୍ଡି ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଘରକୁ ଜବରଦଖଲ କରାଯାଇଥିବାର ଅଭିଯୋଗ ହୋଇଛି। ସାଓଲିନ କୁମ୍ଫୁ ଆସୋସିଏସନ ତରଫରୁ ସ୍କୁଲର ଦୁଇ ବଖରା ଘରକୁ ବହୁ ବର୍ଷ ହେଲା ଜବରଦଖଲ କରାଯାଇଛି। ଏ ନେଇ ସ୍ଥାନୀୟ ବାସିନ୍ଦା ପୁର୍ବତନ ଜିଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗ କରିଥିଲେ। ମାତ୍ର ଅନୁଷ୍ଠାନ ପକ୍ଷରୁ ଅତି ଚତୁରତାର ସହିତ ଜିଲାପାଳଙ୍କୁ ସଭାପତି ଭାବରେ ରଖାଯାଇ ଏହି ଘରକୁ ସ୍ଥାୟୀ ଭାବରେ ଅକ୍ତିଆର କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବସିବା ପାଇଁ ପ୍ରକୋଷ୍ଠର ଅଭାବ ରହିଛି। ସେହିପରି ମଧ୍ୟାହ୍ନ ଭୋଜନ ପାଇଁ ବାରଣ୍ଡାର ଅଭାବ ଥିବାରୁ ସେମାନେ ବାଧ୍ୟ ହୋଇ ସେମାନେ ଅସ୍ୱାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ କରିଥାନ୍ତି। ବର୍ଷା ଋତୁ ଆସିଯାଇଥିବାରୁ ଏହା ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ତେଣୁ ଏହି ଘରକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଅଭିଭାବକ ମାନେ ନିବେଦନ କରୁଛନ୍ତି। ସ୍କୁଲର ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଏକ ସ୍ୱତନ୍ତ୍ର ଗୃହ ରହିଛି। ମାତ୍ର ସ୍ଥାନାଭାବ ଯୋଗୁଁ ନିକଟରେ ଥିବା ବନ୍ୟା ଆଶ୍ରୟସ୍ଥଳରେ ଛାତ୍ରଛାତ୍ରୀ ମାନେ ଅସ୍ୱାସ୍ଥ୍ୟକର ପରିବେଶରେ ଭୋଜନ କରୁଛନ୍ତି। ଏହି ଦୁଇ ବଖରାକୁ ସ୍କୁଲ କାର୍ଯ୍ୟରେ ଲଗାଗଲେ, ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ବନ୍ୟା ଆଶ୍ରୟସ୍ଥଳରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ

ଏ ସର୍ମ୍ପକରେ ସମ୍ପାଦକ ସୁବାଷ ବେହେରାଙ୍କୁ ପଚରାଯିବାରୁ ସେ ସ୍ୱୀକାର କରି କହିଥିଲେ ଯେ, ଅନୁଷ୍ଠାନର କାର୍ଯ୍ୟାଳୟ ଚାଲୁଥିବା କୋଠାରେ ବହୁ ବର୍ଷ ପୁର୍ବରୁ ସ୍କୁଲ ଚାଲୁଥିଲା। ପରବର୍ତ୍ତିି ସମୟରେ ସ୍କୁଲ ପଛ ପଟକୁ ନୂତନ କୋଠାକୁ ସ୍ଥାନାନ୍ତର ହୋଇଯିବା ପରେ ଏହି କୋଠାଟି ପରିତ୍ୟକ୍ତ ହୋଇ ପଡି ରହିଥିଲା। ଏହି କୋଠା ପାଇଁ ଅନୁମତି ମଗାଯାଇଥିଲା। କିନ୍ତୁ ପରବର୍ତ୍ତିି ସମୟରେ ଏହି କୋଠାଟି କେଉଁ ବିଭାଗର ଜଣା ନ ପଡି ନ ଥିଲା। ଯେହେତୁ ଜିଲାପାଳ ଏହି ଅନୁଷ୍ଠାନର ସଭାପତି ଅଛନ୍ତି, ସେଥିପାଇଁ ସେହି ସମୟରେ ଏହାକୁ ବ୍ୟବହାର କରିବା ପାଇଁ ମୌଖିକ ଭାବରେ ଅନୁମତି ପ୍ରଦାନ କରିଥିଲେ। ଏହା ପରେ ଅନୁଷ୍ଠାନ ପକ୍ଷରୁ ଏହି କୋଠାକୁ ମରାମତି କରାଯାଇ ଗୋଟିଏ କୋଠରୀକୁ କାର୍ଯ୍ୟାଳୟ ଭାବରେ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ କୋଠରୀକୁ ଅନୁଷ୍ଠାନର ଗୋଦାମ ଘର ଭାବରେ ବ୍ୟବହାର କରାଯାଉଛି। ଏହି ଗୋଦାମ ଘରେ ବିଗତ ଦିନରେ ଜିଲା ପ୍ରଶାସନ ତରଫରୁ ଦିଆଯାଇଥିବା ୫୦ଟି ମେଟ ମଧ୍ୟ ରଖାଯାଇଛି। ସଭାପତିଙ୍କ ଦ୍ୱାରା ଅନୁଷ୍ଠାନ ନିକଟରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ବ୍ୟବହାର କରିବା ପାଇଁ ମୌଖିକ ଅନୁମତି ଦିଆଯାଇଥିଲେ ସୁଦ୍ଧା ଆମେ ତାହା ବ୍ୟବହାର କରୁ ନାହୁଁ। କେବଳ ସମ୍ମୁଖରେ ଥିବା ପଡିଆକୁ ଛାତ୍ରଛାତ୍ରୀ ମାନଙ୍କର ପ୍ରଶିକ୍ଷଣ ଅଭ୍ୟାସ ପାଇଁ ବ୍ୟବହାର କରାଯାଉଛି। ଅନୁଷ୍ଠାନ ପାଇଁ ଜମି ମିଳିସାରିଛି। ନୁତନ କୋଠା ନିର୍ମାଣ ପାଇଁ ଜିଲାପାଳଙ୍କ ଦ୍ୱାରା ପ୍ରାଥମିକ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ କରାଯାଇଛି। କୋଠା ନିର୍ମାଣ ପରେ ଆମେ ନୂତନ କୋଠାକୁ ଚାଲିଯିବୁ। ଏହା ପରେ ଅନୁଷ୍ଠାନ ଚାଲୁଥିବା କୋଠାକୁ ଛାଡି ଦେବା ସହିତ ସର୍ବସାଧାରଣଙ୍କ ପାଇଁ ସେଠାରେ ଏକ ପାଠାଗାର ନିର୍ମାଣ କରାଯିବାର ଯୋଜନା କରାଯାଇଛି।

ଗଛଲଟାରେ ପରିପୂର୍ଣ୍ଣ ଅସ୍ବାସ୍ଥ୍ୟକର ପରିବେଶ

ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, କୋର୍ଟ ପରିସରରେ ଥିବା ଏଭଳି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନକୁ କିଭଳି ଭାବରେ ବର୍ଷ ବର୍ଷ ଧରି ଏକ ଅଣସ୍ୱେଚ୍ଛାସେବୀ ସଙ୍ଗଠନ ଅକ୍ତିଆର କରି ରଖିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନକୁ ଦିନ ସରକାରୀ ସ୍କୁଲ ଗୁଡିକ ବନ୍ଦ ହେଉଥିବା ବେଳେ ଚାଲୁଥିବା ସ୍କୁଲ ପରିସରରେ ଏଭଳି ବେଆଇନ ଭାବରେ ଅଣସ୍ୱେଚ୍ଛାସେବୀ ସଙ୍ଗଠନକୁ ଅବାଧ ବ୍ୟବହାର ଅନୁମତି ଦେବାକୁ ନେଇ ବୁଦ୍ଧିଜୀବୀ ମହଲରେ ଆର୍ଶ୍ଚଯ୍ୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ସମ୍ବଲପୁରକୁ ଜବରଦଖଲକାରୀଙ୍କ ଭୂସ୍ୱର୍ଗ ବୋଲି ସାଧାରଣରେ କୁହାଯାଇଥାଏ। ଏଭଳି ଏକ ଘଟଣାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି କିଛି ବର୍ଷ ପୁର୍ବେ ସ୍ଥାନୀୟ କମିଶନର କଲୋନୀ ଠାରେ ଏକ ସରକାରୀ କ୍ୱାର୍ଟରକୁ ଜବର ଦଖଲ କରି ରଖିଥିଲେ। ପରେ କୌଣସି କାରଣରୁ ତାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେବା ପରେ ସେହି ଜବରଦଖଲକୁ ହଟାଯାଇଥିଲା। ତେବେ ସହରବାସୀଙ୍କ ମଧ୍ୟ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏଭଳି ଆହୁରି ବହୁ ଘର ଓ ସରକାରୀ ଜମି ପ୍ରଶାସନିକ ଅଧିକାରୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ କରାଯାଇ ରଖାଯାଇଛି। ତେବେ ଜାଣିଶୁଣି ପ୍ରଶାସନ ନିଦା ବିଷ୍ଣୁ ସାଜି କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛି ବୋଲି ସହରବାସୀ ଅଭିଯୋଗ କରୁଛନ୍ତି।

Comments are closed.