ବିଦ୍ୟାଳୟରେ ଜଳସଙ୍କଟ

0

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ପାନୀୟଜଳର ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିକାର ନିମନ୍ତେ ବାରମ୍ବାର ବୈଠକ ବସୁଛି ହେଲେ ସମାଧାନର ସୂତ୍ର ବାହାରିପାରୁ ନାହିଁ। ଏ ପ୍ରକାର ଦୁରବସ୍ଥା ନେଇ ନିକଟରେ ଅନୁଷ୍ଠିତ ପଞ୍ଚଦଶ ରାଜ୍ୟସ୍ତରୀୟ ଯୋଜନା ମଞ୍ଜୁରି କମିଟି ବୈଠକରେ ଉଦ୍‍ବେଗ ପ୍ରକାଶ ପାଇଥିଲା। ପାନୀୟଜଳ ନଥିବା ସରକାରୀ ସ୍କୁଲରେ ତୁରନ୍ତ ନୂକଳପ ଖୋଳିବା କିମ୍ବା ପାିପ ଯୋଗେ ପାଣି ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି।
ଓପେପା ସୂତ୍ରରୁ ଜଣାପଡ଼ିଛି ଯେ ଏବେ ରାଜ୍ୟରେ ୫୦୫୨୬ଟି ପ୍ରାଥମିକ ଓ ୫୪୦୨ଟି ମାଧ୍ୟମିକ ଏପରି ମୋଟ ୫୫,୯୨୮ଟି ବିଦ୍ୟାଳୟ ରହିଛି। ମୋଟ ବିଦ୍ୟାଳୟ ମଧ୍ୟରୁ ୪୫୩୩ଟି ପ୍ରାଥମିକ ଓ ୩୪୭ଟି ମାଧ୍ୟମିକ ସମେତ ମୋଟ ୪୮୮୦ଟି ବିଦ୍ୟାଳୟ କ୍ୟାମ୍ପସ ବାହାରେ ଅଥବା ବିଦ୍ୟାଳୟ ନିକଟରେ ପାନୀୟ ଜଳ ସୁବିଧା ଥିବାବେଳେ ୧୨୭ଟି ପ୍ରାଥମିକ ଓ ୪ଟି ମାଧ୍ୟମିକ ଏଭଳି ମୋଟ ୧୩୧ଟି ବିଦ୍ୟାଳୟରେ ଆଦୌ ପାନୀୟଜଳର ସୁବିଧା ନାହିଁ। ନବରଙ୍ଗପୁରରେ ସର୍ବାଧିକ ୬୮ଟି ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳର ସବିଧା ନଥିବାବେଳେ ମାଲକାନଗିରିରେ ୪୦ ଓ ନୟାଗଡ଼ର ୧୦ଟି ପ୍ରାଥମିକ ବିଦ୍ୟାଳୟରେ ଏ ସୁବିଧା ନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏସବୁ ବିଦ୍ୟାଳୟରେ ସାମୟିକ ଭାବେ ପାଣି ଯୋଗାଣର ବ୍ୟବସ୍ଥା କରାଯାଉଛି।
ନିକଟରେ ପଞ୍ଚଦଶ ରାଜ୍ୟସ୍ତରୀୟ ଯୋଜନା ମଞ୍ଜୁରି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯେଉଁସବୁ ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣର ଉତ୍ସ ନ ଥାଇ କେବଳ କୂପ ଉପଲବ୍ଧ ସେସବୁ ବିଦ୍ୟାଳୟରେ ଟ୍ୟୁବ ୱେଲ/ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଯେଉଁସବୁ ସରକାରୀ ବିଦ୍ୟାଳୟରେ ପାନୀୟଜଳର ସୁବିଧା ନାହିଁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କ ସହିତ ସମନ୍ୱୟ ରକ୍ଷା କରି ତୁରନ୍ତ ସୁବିଧା କରିବା ନିମନ୍ତେ ଜିଲାର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେବା ପାଇଁ ଜଳଯୋଗାଣ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ବିଭାଗୀୟ ଯନ୍ତ୍ରୀ ମୁଖ୍ୟ ଏବଂ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ପାନୀୟ ଜଳ ସୁବିଧା ନଥିବା ବିଦ୍ୟାଳୟରେ ନଳକୂପ ଖୋଳିବା ଓ ପାଇପ ଯୋଗେ ପାନୀୟଜଳ ଯୋଗାଇବାକୁ କୁହାଯାଇଛି।
ଏହି ମର୍ମରେ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସମସ୍ତ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖିଛନ୍ତି। ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ ରଖି ନୂକଳପ ପ୍ରତିଷ୍ଠା ଓ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ନିମନ୍ତେ ବ୍ଳକ ଶିକ୍ଷା ଅଧିକାରୀ, ବରିଷ୍ଠ ଶିକ୍ଷକଙ୍କୁ ନିୟୋଜିତ କରିବା ସହିତ ନିଜେ ଏ ବିଷୟରେ ତଦାରଖ କରିବାକୁ ସେ ଜିଲା ଶିକ୍ଷା ଅଧିିକାରୀଙ୍କୁ ଚିଠି ଲେଖିଛନ୍ତି। ଏ ସଂକ୍ରାନ୍ତରେ ଜୁଲାଇ ୩୧ ସୁଦ୍ଧା କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।

Leave A Reply