୨୬ ସୁଦ୍ଧା ବିଦ୍ୟାର୍ଥୀଙ୍କୁ ପୋଷାକ, ଜୋତା; ଥଣ୍ଡା ଅନୁଭୂତ ଜିଲାରେ ଦିଆଯିବ ସୁଇଟର

ଓସେପା ପକ୍ଷରୁ ସବୁ ଡିଇଓଙ୍କୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆସନ୍ତା ୨୬ ତାରିଖ ସୁଦ୍ଧା ପୋଷାକ, ଜୋତା ଓ ମୋଜା ବଣ୍ଟନ କରାଯିବ। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ସମସ୍ତ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ନିର୍ଦେଶ ଦିଆଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂହ ପୁନିଆ ଏନେଇ ଚିଠି ଲେଖି ଅବଗତ କରାଇଛନ୍ତି।
୨୦୨୧ ଜାନୁୟାରୀ ୨୬ ତାରିଖ ସୁଦ୍ଧା ବିଦ୍ୟାଳୟ କର୍ତ୍ତୃପକ୍ଷ ବିତରଣ କାର୍ଯ୍ୟ ଶେଷ କରିବେ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ,ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ସମସ୍ତ ଛାତ୍ରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବିତରଣ କରାଯିବ। ପ୍ରତିବର୍ଷ ଅଗଷ୍ଟ ସୁଦ୍ଧା ଏହି ବିତରଣ କାର୍ଯ୍ୟ ଶେଷ ହୋଇଥାଏ। ତେବେ ଚଳିତ ବର୍ଷ କୋଭିଡ୍‌-୧୯ ଯୋଗୁଁ ବିତରଣ କାର୍ଯ୍ୟ ବିଳମ୍ବିତ ହୋଇଛି। ଏଥର ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ବାବଦକୁ ୪ ଶହ ଟଙ୍କା ଓ ଜୋତା, ମୋଜା ବାବଦକୁ ୨ ଶହ ଟଙ୍କା ବଣ୍ଟନ କରାଯିବ। ପୂର୍ବବର୍ଷ ପରି ପୋଷାକର ରଙ୍ଗ ଓ ପରିପାଟ ସମାନ ରଖାଯାଇଛି। ଛାତ୍ରଙ୍କ ପାଇଁ ନୀଳ ପ୍ୟାଣ୍ଟ ଓ ଧଳାସାର୍ଟ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ ଫ୍ରକ୍‌, ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ ଓ ଧଳା ସାଲୱାର ବିତରଣ କରାଯିବ। ତେବେ ଯେଉଁ ଜିଲାରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବ ସେ ଜିଲାରେ ବିଦ୍ୟାଳୟରେ ପ୍ରାପ୍ତ ଅର୍ଥରୁ ଗୋଟିଏ ହଳ ପୋଷାକ ଦେବା ସହିତ ଅନ୍ୟ ପୋଷାକ ବଦଳରେ ଗୋଟିଏ ମାଟିଆ ରଙ୍ଗର ଶୀତ ପୋଷାକ (ସୁଇଟର) ଦେଇପାରିବେ। ପୋଷାକ ବିତରଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ମାନଗଣ୍ୟ ବ୍ୟକ୍ତି(ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି,ସମାଜସେବୀ, ସ୍ବାଧୀନତା ସଂଗ୍ରାମୀ)ଙ୍କୁ ଅତିଥି ଭାବେ ଡାକିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପ୍ରଧାନଶିକ୍ଷକ ପୋଷାକ ଓ ଜୋତାର ମାନ ଯାଞ୍ଚ କରିବେ।
ବିତରଣ ସରିବା ପରେ ପ୍ରତି ବଦ୍ୟାଳୟର ପ୍ରଧାନଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମ ସାମଗ୍ରୀ ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ଅନୂରୁପ ଭାବେ ବ୍ଲକ୍‌ ଶିକ୍ଷା ଅଧିକାରୀ ମଧ୍ୟ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଓ ଜିଲା ପ୍ରକଳ୍ପ ସଂଯୋଜକ ଡିଇଓଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବେ।
କୋଭିଡ୍‌-୧୯ ନିୟମାବଳୀ ପାଳନ କରାଯାଇ କମ୍‌ ସଂଖ୍ୟକ ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ଡାକି ପୋଷାକ ଓ ଜୋତା ଦିଆଯିବ। ପୋଷାକ ଓ ଜୋତା ବିତରଣ ସମ୍ବନ୍ଧରେ ଓସେପା ପକ୍ଷରୁ ଜାରି ମାର୍ଗଦର୍ଶିକାକୁ ପାଳନ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ପୁନିଆ କହିଛନ୍ତି କରୋନା ଯୋଗୁଁ ବିତରଣ ବିଳମ୍ବିତ ହୋଇଛି। ସବୁ ଡିଇଓଙ୍କୁ ସୂଚାରୂପେ ବିତରଣ କାର୍ଯ୍ୟ ସାରିବାକୁ କୁହାଯାଇଛି। ବିତରଣରେ କୌଣସି ପ୍ରକାରର ଅସାଧୁ ଉପାୟ ଅବଲମ୍ବନ କରୁଥିବା ନଜରକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.