ଏସ୍‍ସିବିରେ ୮ସନ୍ଦିଗ୍ଧ ‘ନିପା’ ଭାଇରସ ଆକ୍ରାନ୍ତ

0

କଟକ: କଟକ ବଡ଼ ଡାକ୍ତରଖାନାରେ ମଙ୍ଗଳବାର ୮ଜଣ ନିପା ଭାଇରସ ଆକ୍ରାନ୍ତ ମଙ୍ଗଳବାର ସକାଳେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କୁ ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।
ବାଲେଶ୍ୱର ଅଞ୍ଚଳର ୧୦ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୋଆକୁ କାର୍ଯ୍ୟ କରିବାକୁ ଯାଇଥିଲେ। ସମସ୍ତେ ଗୋଟିଏ ସ୍ଥାନରେ କାମ କରୁଥିବାବେଳେ ୨ଜଣଙ୍କର ଜ୍ୱରରେ ହଠାତ୍‍ ମୃତ୍ୟୁ ହୋଇଯାଇଥିଲା। ୨ଜଣଙ୍କର ମୃତ୍ୟୁ ହେବା ପରେ ଅନ୍ୟ ୮ଜଣ ବାଲେଶ୍ୱର ଫେରି ଆସିଥିଲେ। ସେମାନଙ୍କୁ ଜ୍ୱର ହୋଇଥିଲା। ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ପରିବାରଲୋକେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବାଲେଶ୍ୱର ଚିକିତ୍ସାଳୟରୁ ଆଜି ସକାଳେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ସେମାନେ ନିପା ଭାଇରସରେ ଆକ୍ରାନ୍ତ ହୋଇନଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଥିବା ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି। ନିପା ଭାଇରସ ଆକ୍ରାନ୍ତଙ୍କ ଲକ୍ଷଣ ସେମାନଙ୍କଠାରେ ନଥିବା ସେ କହିଛନ୍ତି।
ସମସ୍ତଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ଆସନ୍ତାକାଲି ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ହୋଇଯିବ ବୋଲି ଡାକ୍ତର ମହାରଣା ସୂଚନା ଦେଇଛନ୍ତି।

Leave A Reply