ଏସ୍‌ସିବିରେ ଖୁବ୍‌ଶୀଘ୍ର ରୋବଟିକ୍‌ ସର୍ଜରୀ

0

କଟକ:କଟକ ବଡ଼ ଡାକ୍ତରଖାନା ମୂତ୍ରଶଲ୍ୟ ବିଭାଗରେ କିଡନୀ ପ୍ରତିରୋପଣକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ବିଭାଗୀୟମୁଖ୍ୟଙ୍କ ବଦଳି ଉପରେ ସ୍ୟାଟ ରହିତାଦେଶ ଜାରି କରିବା ପରେ ମୂତ୍ରଶଲ୍ୟ ବିଭାଗରେ ପୁଣି କିଡନୀ ପ୍ରତିରୋପଣ ସ୍ୱାଭାବିକ ହେବା ସମ୍ଭାବନା ସୃଷ୍ଟି ହୋଇଛି। ୨୦୧୨ରୁ ମୂତ୍ରଶଲ୍ୟ ବିଭାଗରେ କିଡ୍‌ନୀ ପ୍ରତିରୋପଣ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ୧୪୦ଜଣଙ୍କର ସଫଳତାର ସହିତ କିଡ୍‌ନୀ ପ୍ରତିରୋପଣ ହୋଇସାରିଲାଣି। ବର୍ତ୍ତମାନ ୫ଜଣ ରୋଗୀ କିଡନୀ ପ୍ରତିରୋପଣ ପାଇଁ ରହିଛନ୍ତି। କିଡ୍‌ନୀ ପ୍ରତିରୋପଣ ସହିତ ମୂତ୍ରଶଲ୍ୟ ବିଭାଗରେ ଖୁବଶୀଘ୍ର ରୋବୋଟିକ ଅସ୍ତ୍ରୋପଚାର ଆରମ୍ଭ ହେବ ବୋଲି ଜଣାପଡିଛି।
ପ୍ରକାଶ, ଆଧୁନିକ ମୂତ୍ରରୋଗ ଚିକିତ୍ସା ଏବଂ କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ଏସ୍‌ସିବି ମୂତ୍ରଶଲ୍ୟ ବିଭାଗ ସୁନାମ ହାସଲ କରିଛି। ପୂର୍ବ ଭାରତର ଏକମାତ୍ର ସରକାରୀ ହସ୍ପିଟାଲଭାବେ ଏସ୍‌ସିବିରେ ୬ବର୍ଷ ଧରି ସଫଳତାର ସହିତ କିଡ୍‌ନୀ ପ୍ରତିରୋପଣ ହେଉଛି। ଦେଶରେ କିଡ୍‌ନୀ ପ୍ରତିରୋପଣ ସଫଳତା ୬୦ପ୍ରତିଶତରୁ କମ୍‌ ଥିବାବେଳେ ଏସ୍‌ସିବିରେ ତାହା ୮୫ପ୍ରତିଶତରୁ ଅଧିକ ଥିବା ପରିସଂଖ୍ୟାନ ରିପୋର୍ଟରୁ ଜଣାପଡିଛି। ରୋବୋଟିକ୍‌ ସର୍ଜରୀ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ଦେଶରେ ଏସ୍‌ସିବି ହିଁ ପ୍ରଥମ ସରକାରୀ ହସ୍ପିଟାଲ ହେବ ବୋଲି ସୂଚନା ମିଳିଛି। ରୋବୋଟିକ୍‌ ଅସ୍ତ୍ରୋପଚାର ଦ୍ୱାରା ରକ୍ତ କ୍ଷୟ ହୁଏ ନାହିଁ ବୋଲି ମୂତ୍ରଶଲ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ବିଭାଗରେ ୨୦୦୯ରେ ଏମ୍‌ସିଏଚ୍‌ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ମୂତ୍ରଶଲ୍ୟ ବିଭାଗରେ ଭିତ୍ତିଭୂମି ଏବଂ ଅଧ୍ୟାପନା ଶୈଳୀ ନେଇ ସନ୍ତୋଷ ପ୍ରକାଶ କରିବା ପରେ ବର୍ତ୍ତମାନ ବିଭାଗରେ ଏମ୍‌ସିଏଚ୍‌ ସିଟ୍‌ ସଂଖ୍ୟା ୫କୁ ଏମ୍‌ସିଆଇ ଅନୁମତି ଦେଇଛି। ଏସ୍‌ସିବିରେ କିଡନୀ ପ୍ରତିରୋପଣ ଠିକଭାବେ ଚାଲିଥିବାବେଳେ ସରକାର ହଠାତ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବଦଳି କରିଥିଲେ। ଏହି ବଦଳି ଯୋଗୁଁ ବିଭାଗରେ ଶିକ୍ଷାଦାନ ସହିତ କିଡନୀ ପ୍ରତିରୋପଣ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଡାକ୍ତର ହୋତାଙ୍କ ବଦଳିକୁ ନେଇ ରୋଗୀ ଓ ସମ୍ପର୍କୀୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଡାକ୍ତର ହୋତାଙ୍କ ବଦଳି ସମ୍ପର୍କରେ ଦୁଇଟି କିଡ୍‌ନୀ ହରାଇ ମୂତ୍ରଶଲ୍ୟ ବିଭାଗରେ ଚିକିତ୍ସାଧିୀନ ଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଯତୀନ୍ଦ୍ର ମହାପାତ୍ରଙ୍କ ବାପା ନରହରି କହନ୍ତି ପୁଅ ଯତୀନ୍ଦ୍ରଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇଥିଲା। ଯତୀନ୍ଦ୍ରଙ୍କୁ ସେ ଚିକିତ୍ସା ପାଇଁ ଫେବୃଆରୀରେ ଏସ୍‌ସିବିରେ ଭର୍ତ୍ତି କରିଥିଲେ। ପୁଅର କିଡ୍‌ନୀ ପ୍ରତିରୋପଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ବିଭାଗୀୟ ମୁଖ୍ୟ ଡାକ୍ତର ହୋତାଙ୍କୁ ଏସ୍‌ସିବିରୁ ବଦଳି କରାଯାଇଥିବା ନେଇ ଶୁଣିବାକୁ ପାଇଥିଲୁ। ଫଳରେ ପୁଅର କିଡ୍‌ନୀ ପ୍ରତିରୋପଣ ନେଇ ସେମାନେ ଆଶଙ୍କାରେ ପଡିଯାଇଥିଲେ। ଯତୀନ୍ଦ୍ରଙ୍କ ପରି ବହୁ କିଡ୍‌ନୀ ରୋଗୀ ମଧ୍ୟ ଡାକ୍ତର ହୋତାଙ୍କ ବଦଳି ଯୋଗୁଁ ସେମାନଙ୍କ ଚିକିତ୍ସା ନେଇ ଅନିଶ୍ଚିତତାରେ ରହିଥିଲେ। ଡାକ୍ତରଙ୍କ ହୋତାଙ୍କ ବଦଳି ଆଦେଶ ଉପରେ କୋର୍ଟ ରହିତାଦେଶ ଜାରି କରିଥିବା ଶୁଣିବା ପରେ ଆମେ ଆଶ୍ୱସ୍ତ ଅନୁଭବ କରୁଛୁ ବୋଲି ଯତୀନ୍ଦ୍ରଙ୍କ ବାପା ନରହରି କହିଛନ୍ତି। ଯତୀନ୍ଦ୍ରଙ୍କ ପରି ମୟୂରଭଞ୍ଜ ଯଶିପୁର ଅଞ୍ଚଳର କରୀମ୍‌ ଖାନ୍‌ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପତ୍ନୀ ରେଜିଆ କହିଛନ୍ତି ଡାକ୍ତରଙ୍କ ହୋତାଙ୍କ ବଦଳି ଯୋଗୁଁ ମୋ ସ୍ୱାମୀଙ୍କ ଚିକିତ୍ସା ନେଇ ଆଶଙ୍କାରେ ପଡିଯାଇଥିଲି। ବଦଳି ଉପରେ କୋର୍ଟ ରହିତାଦେଶ ଜାରି କରିଥିବାରୁ ସ୍ୱାମୀ ଉପଯୁକ୍ତ ଚିକିତ୍ସା ପାଇବେ ବୋଲି ସେ କହିଛନ୍ତି।

Leave A Reply