କଟକ ବଡ଼ ଡାକ୍ତରଖାନା ହେବ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ

ଗୁରୁବାର କଟକରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର: କଟକ ବଡ଼ ଡାକ୍ତରଖାନାକୁ ‘ଏମ୍ସ ପ୍ଲସ’ ମାନ୍ୟତା ଦେବା ସହ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ନେଇ ବୁଧବାର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁଯାୟୀ ଆସନ୍ତା ଫେବୃଆରୀ ୨୮ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସରିବ। ଏହି ଅଧିଗ୍ରହଣରୁ ସରକାରଙ୍କ ପାଖକୁ ୨୫ ଏକର ଜମି ଆସିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ ପରେ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆବଶ୍ୟକ ହେଉଥିବା ଜମି ଲାଗି ବଡ଼ ଡାକ୍ତରଖାନା ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯାଇ ଦଖଲକୁ ନିଆଯିବ। ଏହି ପ୍ରକ୍ରିୟାରେ ୧୩ଜଣ ଡାକ୍ତରଙ୍କର ସରକାରୀ ବାସଭବନ ମଧ୍ୟ ଭଙ୍ଗାଯିବ। ବାସଭବନ ଉଚ୍ଛେଦ ହେଉଥିବା ସରକାରୀ କର୍ମଚାରୀଙ୍କୁ ସରକାର ଅନ୍ୟ ସ୍ଥାନରେ ଥଇଥାନ କରିବା ସହ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ଦିଆଯିବ। ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ବଡ଼ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ ବିଶିଷ୍ଟ କରାଯିବା ସହ ଯାତାୟାତର ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ମଧ୍ୟ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି।

ବୁଧବାର ୫-ଟି ସଚିବ ଭି.କେ,ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର, ଗୃହ ଏବଂ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ, ଆରଡିସି ଅନିଲ ସାମଲ ଓ ଜିଲାପାଳ ଭବାନୀଶଙ୍କର ଚଇନି ବଡ଼ ଡାକ୍ତରଖାନା ପରିଦର୍ଶନରେ ଯାଇ କାର୍ଯ୍ୟର ସମୀକ୍ଷା କରିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯିବା ଅବସରରେ ଏହି କାର୍ଯ୍ୟର ସମୀକ୍ଷା କରିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ପ୍ରଥମ ସପ୍ତାହରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କ ଆସ୍ଥାର ପ୍ରତୀକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଦୀର୍ଘ ଦୁଇଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ବାସ୍ଥ୍ୟସେବା ପ୍ରଦାନ କରି ଆସିଥିବା ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ଏବଂ ଉନ୍ନତମାନର ଚିକିତ୍ସାସେବା ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ଏକ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥର ପ୍ୟାକେଜ ଘୋଷଣା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ପୁରୀ ଶ୍ରୀମନ୍ଦିର ଓ କଟକ ବଡ଼ ଡାକ୍ତରଖାନା ସହ ରାଜ୍ୟବାସୀଙ୍କର ଭାବାବେଗର ସମ୍ପର୍କ ରହିଛି। ଏହାର ଉନ୍ନତି ଓ ବିକାଶ ମୋର ଲକ୍ଷ୍ୟ। ଏହା ସଫଳ ହେଲେ ରାଜ୍ୟବାସୀଙ୍କ ପାଇଁ ଥିବା ମୋ ସ୍ବପ୍ନ ସାକାର ହୋଇପାରିବ। ଏଣୁ ବଡ଼ ଡାକ୍ତରଖାନାକୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ) ଠାରୁ ଉନ୍ନତ ମାନର ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ତିନି ହଜାର ଶଯ୍ୟା ବିଶିଷ୍ଟ ସମନ୍ବିତ ହସ୍ପିଟାଲ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।

Comments are closed.