ଏଣିକି ଅନ୍‌ଲାଇନ ଟିକଟ

0

କଟକ : କଟକ ବଡ଼ ଡାକ୍ତରଖାନାର ବହିର୍ବିଭାଗକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଘରେ ରହି ଅନଲାଇନରେ ଟିକଟ କରିପାରିବେ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରିବେ। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ଟିକଟ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ମେଡିକାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ କମ୍ପ୍ୟୁଟର ଟିକଟ ଦାୟିତ୍ୱରେ ଥିବା ସଂସ୍ଥାକୁ ହଟାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏହି ସଂସ୍ଥାର କାର୍ଯ୍ୟ ଅବଧି ବୃଦ୍ଧି ନ କରି କମ୍ପ୍ୟୁଟର ଟିକଟ ପାଇଁ ପୁନଃ ଟେଣ୍ଡର କରିବାକୁ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।
କଟକ ବଡ଼ ଡାକ୍ତରଖାନାରେ ଗୋଟିଏ ପରେ ଗୋଟିଏ ସେବାକୁ ସରକାର ଘରୋଇକରଣ କରିଚାଲିଛନ୍ତି। ଘରୋଇକରଣ ପରେ ସମ୍ପୃକ୍ତ ସଂସ୍ଥା କିପରି ସେବା ଯୋଗାଇ ଦେଉଛି, ତାହା ଯାଞ୍ଚ କରିବାକୁ ଅଧିକାରୀଙ୍କ ନିକଟରେ ସମୟ ନାହିଁ। ଏକାଧିକ ସେବା ଘରୋଇକରଣ ହେବା ପରେ ବହିର୍ବିଭାଗ ଟିକଟ ଓ ୟୁଜର୍ସ ଆଦାୟ ଦାୟିତ୍ୱ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ପ୍ରଥମେ ମେଡିକାଲରେ ୟୁନିସଫ୍ଟ କମ୍ପ୍ୟୁଟର ଟିକଟ ଓ ୟୁଜର୍ସ ଆଦାୟ ଦାୟିତ୍ୱ ନେଇଥିଲା। ଦୀର୍ଘଦିନ ଧରି ଏହି ସଂସ୍ଥା କାର୍ଯ୍ୟ କରିବା ପରେ ୨୦୧୬ରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି କାର୍ଯ୍ୟ ପାଇଁ ପୁନଃଟେଣ୍ଡର ଆହ୍ୱାନ କରିଥିଲେ। ରେଡଟେକକୁ କମ୍ପ୍ୟୁଟର ଟିକଟ ସହିତ ୟୁଜର୍ସ ଫି ଆଦାୟ ଦାୟିତ୍ୱ ନେଇଥିଲା। ଗୋଟିଏ ବର୍ଷ ପାଇଁ ସଂସ୍ଥା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷ ଚୁକ୍ତି କରିଥିଲେ। ପ୍ରତି ଟିକଟ ପାଇଁ କର୍ତ୍ତୃପକ୍ଷ ୧ଟଙ୍କା ୯୪ପଇସା ଧାର୍ଯ୍ୟ କରିଥିଲେ। ୟୁଜର୍ସ ଫିରୁ ଏହି ଅର୍ଥ ଭରଣା କରାଯାଉଛି। ୨୦୧୬ ଡିସେମ୍ବର ୩୧ତାରିଖରେ ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲା। କାର୍ଯ୍ୟ ଶେଷ ହେବା ପରେ କର୍ତ୍ତୃପକ୍ଷ ପୁନଃଟେଣ୍ଡର ନ କରି ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି କରିଚାଲିଥିଲେ। ୟୁଜର୍ସ ଅର୍ଥର ହିସାବକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଆଦାୟ ଅର୍ଥର ସଠିକ ହିସାବ କର୍ତ୍ତୃପକ୍ଷଙ୍କୁ ଦେଇନପାରିବାରୁ ସମ୍ପୃକ୍ତ ସଂସ୍ଥାର ୮ମାସର ଅର୍ଥ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟ ସନ୍ତୋଷଜନକ ହୋଇନଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ପୁନଃଟେଣ୍ଡର ପାଇଁ ପ୍ରକ୍ରିୟା ଆରମ୍ଭ କରିନଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ତୁରନ୍ତ ଟେଣ୍ଡର କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଟେଣ୍ଡରରେ ଅନଲାଇନ ଟିକଟ ସୁବିଧା ସହିତ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ଯୋଗାଇ ଦେବାକୁ ସର୍ତ୍ତ ରହିବ। ଏହିସବୁ ସର୍ତ୍ତ ପୂରଣ କରୁଥିବା ସଂସ୍ଥାକୁ କମ୍ପ୍ୟୁଟର ଟିକଟ ଆଦାୟ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପ୍ରକାଶ ଥାଉକି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର କେତେକ ସରକାରୀ ଡାକ୍ତରଖାନାକୁ ଇ-ଡାକ୍ତରଖାନା ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର କ୍ୟାପିଟାଲ ହସ୍ପିଟାଲ ଏହି ଯୋଜନାରେ ସାମିଲ ହୋଇଛି। ଏହି ଯୋଜନାରେ କଟକ ବଡ଼ ଡାକ୍ତରଖାନା ସାମିଲ ନେଇ ଏନଆଇସି କିମ୍ବା ଏନଏଚଏମ ପକ୍ଷରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇନାହାନ୍ତି। କର୍ତ୍ତୃପକ୍ଷ ଇ-ହସ୍ପିଟାଲ ଯୋଜନାରେ ସାମିଲ ହେବା ଆଳରେ ଗୋଟିଏ ବର୍ଷରେ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। କାହା ସ୍ୱାର୍ଥରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଅର୍ଥ ଖର୍ଚ୍ଚ କରିଛନ୍ତି, ତାହା ତଦନ୍ତ ସାପେକ୍ଷ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ବହୁ କର୍ମଚାରୀ ମତଦେଇଛନ୍ତି।

Leave A Reply