କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରିବାରେ ଇତିହାସ ରଚିଲା ଏସ୍‍ସିବି ମେଡିକାଲ

କଟକ :କଟକ ବଡ଼ ଡାକ୍ତରଖାନା କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରିବାରେ ଇତିହାସ ରଚନା କରିଛି। ୪ମାସ ମଧ୍ୟରେ ଏସସିବିରେ ଏକ ଲକ୍ଷରୁ ଅଧିକ ସ୍ୱାବ ପରୀକ୍ଷା କରାଯାଇ ସାରିଲାଣି। ଯାହା ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି। କରୋନା ବିପକ୍ଷ ଲଢେଇରେ ଏସସିବି ମେଡିକାଲ ଡାକ୍ତର, କର୍ମଚାରୀଙ୍କ ସେବା ମନୋଭାବକୁ ସ୍ୱାସ୍ଥ୍ୟ ବିଭାଗ ସମେତ ଏକାଧିକ ଅଧିକାରୀ ଟୁଇଟ କରି ପ୍ରଶଂସା କରିଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ହଜାରରୁ ଊର୍ଦ୍ଧ୍ବ ସ୍ୱାବ ପରୀକ୍ଷା ହେଉଛି। ଏହି ପରୀକ୍ଷାର ସିଂହଭାଗ କଟକ ବଡ଼ ଡାକ୍ତରଖାନାରେ କରାଯାଉଛି। ପୂର୍ବରୁ ଏସସିବିରେ ଦୈନିକ ୫୦୦ରୁ ଊର୍ଦ୍ଧ୍ବ ସ୍ୱାବ ପରୀକ୍ଷା ହେଉଥିବାବେଳେ ବର୍ତ୍ତମାନ ତାହା ୨୦୦୦ରୁ ଅଧିକ ପରୀକ୍ଷା ହେଲାଣି। ଯାହା ରାଜ୍ୟର ସମସ୍ତ କୋଭିଡ ପରୀକ୍ଷା କେନ୍ଦ୍ରଗୁଡିକଠାରୁ ସର୍ବାଧିକ।

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟରେ ସ୍ୱାବ ପରୀକ୍ଷା ଭିତ୍ତିଭୂମି ଦୃଢ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏମସରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କଟକ ବଡ଼ ଡାକ୍ତରଖାନା ମାଇକ୍ରୋବାଇଓଲୋଜି ବିଭାଗରେ ସ୍ୱାବ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏସସିବିରେ ଦୈନିକ ୨୦ଟି ସ୍ୱାବ ପରୀକ୍ଷା କରାଯାଉଥିଲା। ଏଥିପାଇଁ ମାଇକ୍ରୋବାଇଓଲୋଜି ବିଭାଗରେ ମାତ୍ର ଗୋଟିଏ ମେସିନ ରହିଥିଲା। ପରବର୍ତ୍ତୀ ସମୟରେ ଏସସିବିରେ ସ୍ୱାବ ପରୀକ୍ଷା ପାଇଁ ୪ଟି ମେସିନ ସରକାର ଯୋଗାଇ ଦେଇଛନ୍ତି। ଜିଲାପାଳ ଭବାନୀଶଙ୍କର ଚୟନୀଙ୍କ ପ୍ରଚେଷ୍ଟାକ୍ରମେ ଏକ ସ୍ୱତନ୍ତ୍ର ଭିଡିଆରଏଲ ପରୀକ୍ଷାଗାରରେ ସ୍ୱାବ ପରୀକ୍ଷା କେନ୍ଦ୍ର ସ୍ଥାପନ ହୋଇଥିଲା। ଏଥିପାଇଁ ସାଂସଦ ଭର୍ତ୍ତୃହରି ମହତାବ ୨୦ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ।

ଜ୍ୟରେ ଦୈନିକ ଅଧିକ ସ୍ୱାବ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ଏସସିବିରେ ସ୍ୱାବ ପରୀକ୍ଷା ଭିତ୍ତିଭୂମି ବଢାଇବା ସକାଶେ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ରାଜ୍ୟରେ ଏମ୍‍ସ ସହିତ ଏସସିବି ମେଡିକାଲ, ବ୍ରହ୍ମପୁର, ସମ୍ବଲପୁର, ଆରଏମଆରସି, ଆଇଏଲଏସ, ଆଇଜିଏଚ ଏବଂ ଆପୋଲୋ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରାଯାଉଛି। ଏସସିବିରେ ଦୈନିକ ୨୦୦୦ରୁ ଊର୍ଦ୍ଧ୍ବ ସ୍ୱାବ ପରୀକ୍ଷା ହେଉଥିବାବେଳେ ଏମ୍‍ସରେ, ଆରଏମଆରସିି, ଏମକେସିଜିି, ଭିମ୍‍ସାର, ଆଇଏଲଏସ, ଆଇଜିଏଚ ଏବଂ ଆପୋଲୋ ହସ୍ପିଟାଲରେ ମଧ୍ୟ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରାଯାଉଛି। ଏଥିସହିତ ବର୍ତ୍ତମାନ ଏକାଧିକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଉଭୟ ଆଣ୍ଟିଜେନ ଓ ସ୍ୱାବ ପରୀକ୍ଷା ସୁବିଧା କରାଯାଇଛି।

Comments
Loading...