କରୋନା କଟକଣାରେ କିଡନୀ ପ୍ରତିରୋପଣ

କଟକ : ସରକାରୀ ମେଡିକାଲଗୁଡିକରେ କରୋନା ମହାମାରୀ ଯୋଗୁଁ ରୋଗୀ ସେବାରେ କଟକଣା ଜାରି କରାଯାଇଛି। ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ସରକାରୀ କଟକଣା ସତ୍ତ୍ବେ ଶନିବାର କଟକ ବଡ଼ ଡାକ୍ତରଖାନା ମୂତ୍ରଶଲ୍ୟ ବିଭାଗରେ ଜଣେ ବ୍ୟକ୍ତିଙ୍କର କିଡନୀ ପ୍ରତିରୋପଣ କରାଯାଇଛି। ପ୍ରତିରୋପଣ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କର ଦୁଇଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କିଡନୀ ପ୍ରତିରୋପଣ ପାଇଁ ସେ ଏସସିବିରେ ନାମ ପଞ୍ଜୀକରଣ କରିଥିଲେ। କରୋନା କଟକଣା ଯୋଗୁଁ ତାଙ୍କୁ କିଡନୀ ପ୍ରତିରୋପଣ ସମ୍ଭବ ହୋଇନଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିବାରୁ ପରିବାରଲୋକ କିଡନୀ ପ୍ରତିରୋପଣ କରିବାକୁ ମୂତ୍ରଶଲ୍ୟ ବିଭାଗୀୟମୁଖ୍ୟ ତଥା ଏସ୍‍ସିବି ମେଡିକାଲ କଲେଜ ଡିନ ଓ ଅଧ୍ୟକ୍ଷ ପ୍ରଫେସର ଡା. ଦତ୍ତେଶ୍ୱର ହୋତାଙ୍କୁ କହିଥିଲେ। କରୋନା ଗାଇଡ ଲାଇନ ଅନୁଯାୟୀ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ କିଡନୀ ଦାତା ୧୪ଦିନ ପୂର୍ବରୁ ଆସି ଏସ୍‍ସିବିରେ ସଙ୍ଗରୋଧରେ ରହିଥିଲେ। ସଙ୍ଗରୋଧ ଅବଧି ଶେଷ ହେବା ପରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଗତକାଲି ଉଭୟଙ୍କ କୋଭିଡ ସ୍ୱାବ ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ପୂର୍ଣ୍ଣଚନ୍ଦ୍ରଙ୍କର କିଡନୀ ପ୍ରତିରୋପଣ ହୋଇଥିଲା। ଡାକ୍ତର ହୋତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ପୂର୍ଣ୍ଣଚନ୍ଦ୍ରଙ୍କ କିଡନୀ ପ୍ରତିରୋପଣ କରିଥିଲେ। ୩ଘଣ୍ଟାରୁ ଊର୍ଦ୍ଧ୍ବ ସମୟଧରି ଏହି ପ୍ରତିରୋପଣ କାର୍ଯ୍ୟ ଚାଲିଥିଲା। ପ୍ରତିରୋପଣ ପରେ ଉଭୟ କିଡନୀ ଦାତା ଏବଂ ଗ୍ରହୀତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ଏସସିବିରେ ଏ ପର୍ଯ୍ୟନ୍ତ ୧୯୦ରୁ ଊର୍ଦ୍ଧ୍ବ କିଡନୀ ପ୍ରତିରୋପଣ ସଫଳତାର ସହିତ ଶେଷ ହୋଇସାରିଲାଣି। ସେହିପରି ଫେବୃଆରୀ ୫ତାରିଖରେ ରାଜ୍ୟର ପ୍ରଥମ ସରକାରୀ ମେଡିକାଲଭାବେ ଏସସିବିରେ ସଫଳତାର ସହିତ କାଡାଭେରିକ ଅସ୍ତ୍ରୋପଚାର କରାଯାଇଥିଲା। ମାର୍ଚ୍ଚରେ ଆଉ ୨ଟି କାଡାଭେରିକ ଅସ୍ତ୍ରୋପଚାର ହୋଇଥିଲା। ବର୍ତ୍ତମାନ କାଡାଭେରିକ ପଦ୍ଧତିରେ କିଡନୀ ପ୍ରତିରୋପଣ ହୋଇଥିବା ୨ଜଣ ପୁରୁଷ ଏବଂ ଜଣେ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡିଛି। କରୋନା କଟକଣା ଯୋଗୁଁ କାଡାଭେରିକ ପଦ୍ଧତିରେ ବର୍ତ୍ତମାନ ଅସ୍ତ୍ରୋପଚାର ବନ୍ଦ ରହିଛି। ଏଥିମଧ୍ୟରେ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି କାଡାଭେରିକ ପଦ୍ଧତିରେ କିଡନୀ ପ୍ରତିରୋପଣ କରିବା ପାଇଁ ସୋଟୋରେ ନାମ ପଞ୍ଜୀକରଣ କରିଥିବା ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ କମିବା ପରେ କାଡାଭେରିକ ଅସ୍ତ୍ରୋପଚାର ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Comments are closed.