ଚିଦାମ୍ବରମଙ୍କୁ ଜେଲ୍ ନା ବେଲ୍ : ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଜାମିନ ଆବେଦନର ରାୟ ଆସନ୍ତାକାଲି ଶୁଣାଇବେ ସୁପ୍ରିମକୋର୍ଟ। ୨୮ ନଭେମ୍ବରରେ ଚିଦାମ୍ବରମଙ୍କ ଦ୍ବାରା ଦାୟର କରାଯାଇଥିବା ଜାମିନ ଆବେଦନ ଉପରେ ଣୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ।
ଏଠାରେ ସୂଚନାଯୋଗ୍ୟ ସିବିଆଇ ଦ୍ଵାରା ଚିଦାମ୍ବରମଙ୍କ ଉପରେ ରୁଜୁ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି। କିନ୍ତୁ ଇଡି ଦ୍ଵାରା ରୁଜୁ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଛି। ଯଦି ଚିଦାମ୍ବରମଙ୍କୁ ଇଡି କେସରେ ଜାମିନ ମିଳେ ତେବେ ସେ ଜେଲରୁ ମୁକୁଳି ପାରିବେ।

ଏହାପୂର୍ବରୁ ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ। ୧୫ ନଭେମ୍ବରରେ ରାୟ ପ୍ରକାଶ କରି ଦିଲ୍ଲୀ ହାଇକୋର୍ଟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିନଥିଲେ। ଏହି ସମୟରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଶିର୍ଷ ଅଦାଲତରେ ଆବେଦନ କରି କହିଥିଲେ କି ୭୪ ବର୍ଷୀୟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପୁଲିସ ହେପାଜତରେ ରଖି ମଧ୍ୟ ମାମଲାର ବହୁ ଗୁରୁତ୍ବପୂର୍ଣ୍ଣ ସାକ୍ଷୀଙ୍କ ଉପରେ ପ୍ରଭାବ ପକାଉଛନ୍ତି। ଇଡିର ଏହି ଅଭିଯୋଗରେ ଚିଦାମ୍ବରମ କହିଥିଲେ ଏପରି ଅର୍ଥହୀନ ଅଭିଯୋଗ କରି ତାଙ୍କ ଭବିଷ୍ୟତ ଏବଂ ପ୍ରତିଷ୍ଠା ନଷ୍ଟ କରିବାର ଯେଉଁ ପ୍ରୟାସ କରାଯାଉଛି ସେଥିରେ କେହି ସଫଳ ହେବେନାହିଁ।

Comments are closed.