ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ହେବ ସାହିନବାଗ ମାମଲାର ଶୁଣାଣି – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାରୁ ଆଜି ସୁପ୍ରିମକୋର୍ଟ ସାହିନବାଗ ମାମଲାର ଶୁଣାଣି କରିବାକୁ ମନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ କାଳେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ସେଥିପାଇଁ ନିର୍ବାଚନ ଶେଷ ହେବା ପରେ ମାମଲାର ଶୁଣାଣି ହେବ। ତେଣୁ ଆସନ୍ତାକାଲି ଭୋଟ ଗ୍ରହଣ ଥିବାରୁ ଓ ପରଦିନ ରବିବାର ପଡୁଥିବାରୁ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ହେବ। ଜଷ୍ଟିସ ଏସ.କେ.କୌଲ ଏବଂ କେ.ଏମ. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ‘ଆମେ ଜାଣିଛୁ ସେଠାରେ ଅସୁବିଧା ରହିଛି ଏବଂ ଏହାର କିଭଳି ସମାଧାନ ହୋଇପାରିବ ତାହାର ଉପାୟ ବାହାର କରାଯିବା ଆବଶ୍ୟକ।’ ଫେବୃଆରୀ ୮ରେ ନିର୍ବାଚନ ହେଉଥିବା ଜଣେ ଆଇନଜୀବୀ ଅବଗତ କରାଇବା ପରେ କୋର୍ଟ କହିଛନ୍ତି ଯେ ସୋମବାର ଏହି ମାମଲାର ଶୁଣାଣି କରାଯିବ, ଆମେ କାହିଁକି ନିର୍ବାଚନକୁ ପ୍ରଭାବିତ କରିବା।

ଖଣ୍ଡପୀଠ ଏହି ମର୍ମରେ ଆବେଦନକାରୀଙ୍କୁ ସୋମବାର ପ୍ରସ୍ତୁତ ହୋଇ ଶୁଣାଣିକୁ ଆସିବା ପାଇଁ କହିଛନ୍ତି ଯେଉଁଥିରେ ଆବେଦନକାରୀଙ୍କୁ ଜବାବ ଦେବାକୁ ହେବ ଯେ କାହିଁକି ସାହିନବାଗ ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରା ନ ଯିବ। ଖଣ୍ଡପୀଠ କହିଛନ୍ତି, ସେହି ମାମଲାର ବିଚାର ଦିଲ୍ଲୀ ହାଇକୋର୍ଟରେ ହେବା ଠିକ ରହିବ। ଏଭଳି ମାମଲା ପାଇଁ ହାଇକୋର୍ଟ ସଠିକ ଫୋରମ ଏବଂ ସେଠାରେ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ସୁପ୍ରିମକୋର୍ଟରେ ଆଇନଜୀବୀ ଅମିତ ସାହାଣୀଙ୍କ ଦ୍ୱାରା ଦାୟର ଆବେଦନରେ ଦର୍ଶାଯାଇଛି ଯେ ଡିସେମ୍ବର ୧୫ରୁ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି କାଳିନ୍ଦୀ କୁଞ୍ଜ-ସାହିନବାଗ ରାସ୍ତା ବିକ୍ଷୋଭକାରୀମାନେ ବନ୍ଦ ରଖିଥିବାରୁ, ସେ ରାସ୍ତାକୁ ତୁରନ୍ତ ମୁକ୍ତ କରିବା ପାଇଁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ। ପୂର୍ବରୁ ହାଇକୋର୍ଟ ସ୍ଥାନୀୟ ପ୍ରଶାସକଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କହିଥିଲେ। ଏହି ଘଟଣାରେ ଦିଲ୍ଲୀର ପୂର୍ବତନ ବିଧାୟକ ନନ୍ଦ କିଶୋର ଗର୍ଗ ଅଲଗା ଆବେଦନ ଜରିଆରେ ସାହିନବାଗ ଅଂଚଳରୁ ପ୍ରତିବାଦକାରୀମାନଙ୍କୁ ହଟାଇବାକୁ ନିବେଦନ କରିଛନ୍ତି।

Comments are closed.