ମେଘାରେ ଦଳିତ ମହିଳା ସମାବେଶ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ମେଘା ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ପଞ୍ଚାୟତସ୍ତରୀୟ ଦଳିତ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦଳିତ କ୍ୟାଡର ଟିମ ଆଠଗଡ ଶାଖା ଉପସଭାପତି ଅରୁପାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ କଟକ ଜିଲ୍ଲା ଆମ୍ବେଦକର ମହିଳା ମହାସଂଘ ସଂପାଦିକା ନୟନା ନାଏକ ମୁଖ୍ୟଅତିଥି, ମାନବାଧିକାର ସଂଗଠିକା ସୁଜାତାରାଣୀ ଦାସ, ରାଜ୍ୟ ସଭାପତି ହିମାଂଶୁ କୁମାର ମହାନ୍ତି, ଆଠଗଡ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ସରପଞ୍ଚ ବନମାଳି ଦଳାଇ, ସମିତିସଭ୍ୟ ରାଜେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଦଳିତ ବର୍ଗର ଝିଅମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା, ଶିକ୍ଷିତ ଓ ସ୍ୱାବଲମ୍ବୀ କରାଇବା ସହ ଚାକିରି କ୍ଷେତ୍ରରେ ସେମାନଙ୍କୁ କିପରି ସୁଯୋଗ ମିଳିବ ସେ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଦଳିତ ବର୍ଗର ମହିଳା ଓ ଅନ୍ୟମାନଙ୍କୁ ଉପରକୁ ଉଠିବା ପାଇଁ ସହଯୋଗ କରିଥିବା ମେଘା ସରପଞ୍ଚ ବନମାଳି ଦଳାଇ, ସମିତିସଭ୍ୟ ରାଜେଶ ମଲ୍ଲିକ ଓ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାବେଶରେ ଆମ୍ବେଦକର ମହିଳା ମହାସଂଘ, ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ ସମେତ ଅନ୍ୟାନ୍ୟ ସଂଗଠନର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ମହିଳା ଯୋଗ ଦେଇଥିଲେ। ୱାର୍ଡସଭ୍ୟ ସଦାନନ୍ଦ ମଲ୍ଲିକ, ଯୁବ ସଂଗଠକ ଦିବ୍ୟରଞ୍ଜନ ପାଣି, ପବିତ୍ର ମୋହନ ମଲ୍ଲିକ, ପ୍ରକାଶ ମଲ୍ଲିକ, ଜ୍ଞାନରଞ୍ଜନ ମଲ୍ଲିକ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ରୁନିଆ ମଲ୍ଲିକ, କୌଶଲ୍ୟା ମଲ୍ଲିକ, ସ୍ୱପ୍ନାରାଣୀ ସେଠୀ ପ୍ରତିମା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନର କୋଷାଧ୍ୟକ୍ଷା ଅଞ୍ଜନା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.