ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏସସିଏସଟି ହବ୍ ସମ୍ମିଳନୀ ଓ ପ୍ରଦର୍ଶନୀ ଉଦ୍‍ଘାଟିତ

0
-ଧର୍ମପଦ ଭବନ, ପରିଧାନ ପ୍ରଶିକ୍ଷଣ ତଥା ଅଙ୍କୁରଣ କେନ୍ଦ୍ରକୁ ଉଦଘାଟନ କଲେ ତିନି କେନ୍ଦ୍ର ମନ୍ତ୍ରୀ
-ମଞ୍ଚେଶ୍ୱରରେ ରାଜ୍ୟର ଉଦ୍ୟମୀମାନଙ୍କୁ ପ୍ରଶିକ୍ଷଣ, ସୂଚନା ଓ ମାର୍ଗଦର୍ଶନ ଦେବାଲାଗି ପ୍ରତିଷ୍ଠା ହେଲା ସାଧାରଣ ସେବା କେନ୍ଦ୍ର
-ମହାରାଷ୍ଟ୍ରର କୃଷି କ୍ଲଷ୍ଟର କ୍ଷେତ୍ର ପ୍ରଦର୍ଶନ ଲାଗି ଯିବେ ଓଡିଶା ଉଦ୍ୟୋମୀ – ଗିରିରାଜ ସିଂହ
-ରାଜ୍ୟର ୫୦ ହଜାର କୃଷି ଉଦ୍ୟମୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର:  ରାଷ୍ଟ୍ରୀୟ ତଫସିଲଭୁକ୍ତ ଜାତି, ଜନଜାତି ହବ୍‍ ଉଦ୍ୟୋଗ ପ୍ରଦର୍ଶନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଏଥିସହିତ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମର ସମନ୍ୱିତ ବିପଣନ ବିକାଶ କେନ୍ଦ୍ର ଧର୍ମପଦ ଭବନ ଉଦଘାଟିତ ହୋଇଛି। ଏହି ଭବନରେ ପରିଧାନ ପ୍ରଶିକ୍ଷଣ ତଥା ଅଙ୍କୁରଣ କେନ୍ଦ୍ରକୁ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ  ଜୁଏଲ ଓରାମ ଏବଂ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)  ଗିରିରାଜ ସିଂହଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ କ୍ଷୁଦ୍ରଶିଳ୍ପ ନିଗମ ଗୁରୁବାର ସିଡ୍‍ବି, ରାଉରକେଲା ଇସ୍ପାତ କାରଖାନା ଏବଂ ସଫ୍ଟେଓର ସଂସ୍ଥା ଏସଏପି ମଧ୍ୟରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷର କରିଛି।
ତିନି କେନ୍ଦ୍ର ମନ୍ତ୍ରୀ ଏହି ସମାରୋହରେ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ମିଳନୀ ତଥା ଧର୍ମପଦ ଭବନ ଏବଂ ପରିଧାନ ପ୍ରଶିକ୍ଷଣ ତଥା ଅଙ୍କୁରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ।

ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର। ଅନ୍ୟ ରାଜ୍ୟକୁ ଯିବା ଅପେକ୍ଷା ନିଜ ରାଜ୍ୟରେ ଆତ୍ମନିଯୁକ୍ତିର ସୁଯୋଗ ପାଇଁ ଅପେକ୍ଷା କରିଛନ୍ତି ଅନେକ ଶିକ୍ଷିତ ଯୁବକ ଯୁବତୀ । ତେବେ ଆଜି ଉଦଘାଟିତ ଧର୍ମପଦ ଭବନ, ଓଡ଼ିଶାର ଯୁବକଯୁବତୀ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତିର ଯୁବକଯୁବତୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମାର୍ଗଦର୍ଶନ କରିବ। ସେ କହିଥିଲେ ଯେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ପୂର୍ବ ଉତରପ୍ରଦେଶରେ ୩୫ ବର୍ଷରୁ କମ୍ ବୟସର ଯୁବକଙ୍କ ସଂଖ୍ୟା ଅଧିକ। ତେଣୁ, ଏହିସବୁ ରାଜ୍ୟରେ ଯୁବଗୋଷ୍ଠିର ହାତକୁ କର୍ମସଂସ୍ଥାନର ସୁଯୋଗ ଯୁଟାଇବାକୁ ପଡିବ। ଏବେ କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଆରମ୍ଭ କରିଥିବା “ଏକ ଜିଲ୍ଲା ଏକ ସାମଗ୍ରୀ ଉଦ୍ୟୋଗ” ସ୍କିମ ଅଧିନରେ ରାଜ୍ୟରେ ଅନେକ ଛୋଟ ବଡ ୟୁନିଟ ପ୍ରତିଷ୍ଠା କରାଯାଇପାରିବ। ଅବିଭକ୍ତ କୋରାପୁଟ ଜିଲାର ଜୈବିକ ପନିପରିବା, ଗଂଜାମ ଜିଲ୍ଲାର ସୁଗନ୍ଧିତ କିଆ ଫୁଲ, ଉପକୂଳ ଅଂଚଳର ମାଛ, କନ୍ଧମାଳର ହଳଦୀ, ପଶ୍ଚିମ ଓଡ଼ିଶାର ବୟନ ସାମଗ୍ରୀ ଆଦି କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପପୁଂଜମାନ ପ୍ରତିଷ୍ଠା କରାଯାଇପାରିବ। ଏହାଦ୍ୱାରା ଅନେକ ଯୁବକଯୁବତୀ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତିର ଉଦ୍ୟମୀମାନେ ନୂଆ ନୂଆ ଷ୍ଟାର୍ଟ ଅପ ପ୍ରତିଷ୍ଠା କରିପାରିବେ। ସେମାନେ ମୁଦ୍ରା ସ୍କିମରେ ଋଣ ସହାୟତା ମଧ୍ୟ ପାଇପାରିବେ। ଧର୍ମପଦ ଭବନରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନା ହେଲ୍ପଲାଇନ ପ୍ରତିଷ୍ଠା କରାଯାଉଛି। ଏହାଦ୍ୱାରା ଆଗ୍ରହୀ ଯୁବକଯୁବତୀମାନଙ୍କୁ ନୂଆ ନୂଆ କ୍ଷୁଦ୍ର ଉଦ୍ୟୋଗ ବିଷୟରେ ବ୍ୟାପକ ସୂଚନା, ପ୍ରଶିକ୍ଷଣର ସୁଯୋଗ ଆଦି ବିଷୟରେ ମାର୍ଗଦର୍ଶନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିିଥିଲେ। ସେ କହିଥିଲେ ଯେ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକରେ ଏକ ବୟନଶିଳ୍ପ ପାର୍କ ପ୍ରତିଷ୍ଠା ହେବ। ତଫସିଲଭୁକ୍ତ ଜାତି ଓ ଉପଜାତିର ଆଗ୍ରହୀ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ରାଷ୍ଟ୍ରୀୟ ତଫସିଲଭୁକ୍ତ ଜାତି ଓ ଉପଜାତି ହବ୍‍ ଏମଏସଏମଇ କ୍ଷେତ୍ରରେ ଜନ ଆନ୍ଦୋଳନର ରୂପ ନେଇଛି। ତଫସିଲଭୁକ୍ତ ଜାତି ଓ ଉପଜାତିର ଉଦ୍ୟମୀମାନଙ୍କୁ ହାତଧରି ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଦିଗରେ ବାଟ କଢାଉଛି। ଆଜିର ସମ୍ମିଳନୀ ଓ ପ୍ରଦର୍ଶନୀ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ସାରା ଦେଶରେ ଏଭଳି ୨୬ଟି ଜାତି ଜନଜାତି ହବ୍‍ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ରାଷ୍ଟ୍ରାୟତ ଉଦ୍ୟୋଗମାନେ ତଫସିଲଭୁକ୍ତ ଜାତି ଉପଜାତିର ଉଦ୍ୟୋଗୀମାନଙ୍କଠାରୁ ସାମଗ୍ରୀ କ୍ରୟ କଲେ ସେମାନଙ୍କ ଅବସ୍ଥାରେ ଅନେକ ଉନ୍ନତି ଘଟିବ ଓ ସେମାନେ ଛୋଟରୁ ବଡ ଉଦ୍ୟୋଗୀ ହୋଇପାରିବେ। ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ତଫସିଲ ଭୁକ୍ତ ଜାତି ଉପଜାତିର ଉଦ୍ୟୋଗୀମାନଙ୍କଠାରୁ ୯୫୨ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।
ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ୨୦୧୪ ରେ ଏନଡିଏ ସରକାର କ୍ଷମତାକୁ ଆସିବା ସମୟରେ ଓଡ଼ିଶାରେ ମାତ୍ର ୬୬ଜଣ ଏସଏସଟିର ଏଲପିଜି ବିତରକ ଥିଲେ। ତେବେ ତାଙ୍କ ସରକାର ୨୦୧୪ ରୁ ୨୦୧୮ ମଧ୍ୟରେ ଅଧିକ ୮୫ ଜଣ ଏଲପିଜି ବିତରକଙ୍କୁ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାରେ ୩୩ ଲକ୍ଷ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ମଧ୍ୟରୁ ଏସସି ଓ ଏସଟି ହିତାଧିକାରୀଙ୍କ ସଂଖ୍ୟା ୫୨ ପ୍ରତିଶତ ଅର୍ଥାତ ପାଖାପାଖି ୧୭ ଲକ୍ଷ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଏଣିକି ଏଲପିଜି ଟ୍ୟାଙ୍କରର ଆବଶ୍ୟକତା ପୂରଣ ପାଇଁ ସଂପୃକ୍ତ ରାଜ୍ୟର ଉଦ୍ୟମୀମାନଙ୍କୁ ସେହି କାର୍ଯ୍ୟ ପ୍ରଦାନ କରିବ। ଓଡ଼ିଶାରେ ଏବେ ୩୫୦ ଏଲପିଜି ଟ୍ୟାଙ୍କରର ଆବଶ୍ୟକତା ରହିଛି। ଇତିମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ୮୦ ଜଣ ତଫସିଲଭୁକ୍ତ ଜାତି ଉପଜାତିର ଉଦ୍ୟମୀଙ୍କୁ ଟ୍ୟାଙ୍କର ଲାଇସେନ୍ସ ପ୍ରଦାନ କରିଛନ୍ତି। ଆଜିର ଏହି ସମ୍ମିଳନୀ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବିଭିନ୍ନ ଜିଲାର ଏସସି,ଏସଟି ବର୍ଗର ଉଦ୍ୟମୀମାନଙ୍କୁ ଏଲପିଜି ଗ୍ୟାସ ଟ୍ୟାଙ୍କର ଲାଗି ଏଲଓଆଇ ପ୍ରଦାନ କରିଥିଲେ।

ଏହି ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଥିଲେ ଯେ ରାଷ୍ଟ୍ରୀୟ କ୍ଷୁଦ୍ରଶିଳ୍ପ ନିଗମ ଏବଂ ସାପ୍ ମଧ୍ୟରେ ବୁଝାମଣା ଦ୍ୱାରା ସୁନ୍ଦର ସୁନ୍ଦର ଡିଜାଇନ ପାଇଁ ଏହି ସଂସ୍ଥା ଏସସ, ଏସଟି ଉଦ୍ୟୋଗୀମାନଙ୍କୁ ଆଧୂନିକ ସଫ୍ଟେଓର ଯୋଗାଇଦେବ। ସେ କହିଥିଲେ ଓଡ଼ିଶାର ଗ୍ରାମାଂଚଳ ଓ ଆଦିବାସୀ ବହୁଳ ଅଂଚଳରେ ପ୍ରସ୍ତୁତ କୃଷି ଓ ଜଙ୍ଗଲଜାତ ସାମଗ୍ରୀର ପ୍ରକ୍ରୀୟାକରଣ ଓ ବିପଣନ ପାଇଁ ତଫସିଲଭୁକ୍ତ ଜାତି ଉପଜାତିର ଉଦ୍ୟମୀମାନେ ଆଗେଇ ଆସିବାକୁ ପଡିବ। ରାଜ୍ୟର ଟିଡିସିସି ସଂସ୍ଥାକୁ ଅଧିକ କାର୍ଯ୍ୟକ୍ଷମ ଓ ସକ୍ରୀୟ କରିବା ଦିଗରେ ତାଙ୍କ ମନ୍ତ୍ରଣାଳୟ ସହାୟତା ଦେବାକୁ ପ୍ରସ୍ତୁତ ଅଛନ୍ତି। ଓଡ଼ିଶାରେ ଅଧିକ ପନିପରିବା, କୃଷିଜାତ ସାମଗ୍ରୀ ଓ ଜଙ୍ଗଲଜାତ ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଏସବୁକୁ ସାଇତି ରଖିବା ପାଇଁ ବ୍ୟାପକ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କୁ ଏ ଦିଗରେ ପ୍ରୟାସ କରିବାକୁ ପଡିବ। କେନ୍ଦ୍ର ସରକାର ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୯୦ ପ୍ରତିଶତ ସବସିଡି ଦେଉଛନ୍ତି। ଏଣୁ ରାଜ୍ୟ ସରକାର ଏହାର ସୁଯୋଗ ନେବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ପରାମର୍ଶ ଦେଇଥିଲେ।

ସମାରୋହରେ ଉଦବୋଧନ ଦେଇ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଗିରିରାଜ ସିଂହ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ୧୮ ଲକ୍ଷ ନୂଆ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ଲାଗି ପଦକ୍ଷେପ ନେଉଛନ୍ତି। ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀମାନଙ୍କୁ ଦେଖି ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପର ନାମ ହେଲା ‘ଏକ ଜିଲା, ଏକ ସାମଗ୍ରୀ ଉଦ୍ୟୋଗ’। ଏଥିଲାଗି ଜିଲାୱାରୀ ସର୍ଭେ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଜିଲା ହଳଦୀ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲାରେ ଲଙ୍କା ମରିଚ ଚାଷ କରାଯାଉଛି। ସେହିଭଳି ଗଂଜାମ ଜିଲାରେ ସୁଗନ୍ଧିତ କିଆଫୁଲ ଚାଷ ଓ ଅତର ପ୍ରସ୍ତୁତି ଲାଗି ବ୍ୟାପକ ସୁଯୋଗ ରହିଛି। ଏସବୁର ଉପଯୁକ୍ତ ପ୍ରକ୍ରୀୟାକରଣ ଓ ବିପଣନ ପାଇଁ ଏସସିଏସଟି ଉଦ୍ୟମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଥମେ କନ୍ଧମାଳର କୃଷି ଉଦ୍ୟୋଗୀମାନଙ୍କୁ ଖାଦ୍ୟ ପ୍ରକ୍ରୀୟାକରଣ, ସଂଗ୍ରହ ଏବଂ ଭଣ୍ଡାରଣ ସଂପର୍କରେ ଜ୍ଞାନ ଆହରଣ ଲାଗି ମହାରାଷ୍ଟ୍ରର ଆଗ୍ରୋ କ୍ଲଷ୍ଟରଗୁଡିକୁ କ୍ଷେତ୍ର ପ୍ରଦର୍ଶନ ଲାଗି ନିଆଯିବ। ଓଡ଼ିଶାରେ ୫୦ ହଜାର କୃଷି ଉଦ୍ୟମୀଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ। ତାମିଲନାଡୁର ବସ୍ତ୍ର ଶିଳ୍ପ ଉଦ୍ୟୋଗରେ ଅର୍ଦ୍ଧାଧିକ ଓଡ଼ିଆ ଯୁବକଯୁବତୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ନିଜେ ସ୍ୱାବଲମ୍ବୀ ହୋଇ ରାଜ୍ୟରେ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ। ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ଟୁଲ ଏବଂ ଟ୍ରେନିଂଗ ସେଂଟର, ତେଜାସ ଯୁଦ୍ଧ ବିମାନ, ଇସ୍ରୋ, ଡିଆରଡିଓ ଭଳି ସଂସ୍ଥାକୁ ନବନିର୍ମିତ ଯନ୍ତ୍ରାଂଶମାନ ପଠାଉଛନ୍ତି। ତେଣୁ ଓଡ଼ିଶାର ଏମଏସଏମଇ କ୍ଷେତ୍ରର ଉଦ୍ୟମୀମାନେ ଅନେକ ସାମଗ୍ରୀ ପ୍ରସ୍ତୁତ କରିପାରିବେ। ଏ ଦିଗରେ ଜନ ସଚେତନତା ସୃଷ୍ଟି କରିବା ଲାଗି ରାଷ୍ଟ୍ରୀୟ ଏସସିଏସଟି ହବ୍‍ ପ୍ରତିଷ୍ଠା କରାଯାଇଛି। ନିୟମିତ ବ୍ୟବଧାନରେ ସମ୍ମିଳନୀ ଓ ପ୍ରଦର୍ଶନୀମାନେ ଆୟୋଜିତ କରାଯାଉଛି। ଏମଏସଏମଇ ମନ୍ତ୍ରଣାଳୟ ଓଡ଼ିଶାର ଗ୍ରାମାଂଚଳରେ ମୌଳିକ ଦକ୍ଷତା ପ୍ରଶିକ୍ଷଣ ଦେବା ନିମନ୍ତେ ମୋବାଇଲ ଭ୍ୟାନର ବ୍ୟବସ୍ଥା କରିବେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗମାନେ ଏମଏସଏମଇ ଉଦ୍ୟୋଗମାନଙ୍କରୁ ବାର୍ଷିକ ୧ ଲକ୍ଷରୁ ଦେଢ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ସଂଗ୍ରହ କରୁଛନ୍ତି। କେନ୍ଦ୍ର ସରକାର ଏବେ ତଫସିଲଭୁକ୍ତ ଜାତି ଉପଜାତିର ଉଦ୍ୟମୀମାନଙ୍କଠାରୁ ଚାରି ପ୍ରତିଶତ ସାମଗ୍ରୀ ସଂଗ୍ରହ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଦେଶରେ ତଫସିଲଭୁକ୍ତ ଜାତି ଉପଜାତି ବର୍ଗ ମଧ୍ୟରେ ଅଧିକ ଉଦ୍ୟମୀ ମନୋଭାବ ସୃଷ୍ଟି କରିବ ବୋଲି ସେ କହିଥିଲେ।

ସମାବେଶର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ସଚିବ ଡ. ଅରୁଣ ପଣ୍ଡା କହିଥିଲେ ଯେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରୁ କେନ୍ଦ୍ର ସରକାର ଏବେ ପ୍ରାୟ ୨୬,୯୦୦ କୋଟି ଟଙ୍କାର ସାମଗ୍ରୀ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଏସସି, ଏସଟି ଉଦ୍ୟମୀମାନଙ୍କଠାରୁ ୫୪୫ କୋଟି ଟଙ୍କାର ସାମଗ୍ରୀ ଆହରଣ କରାଯାଇଛି। ତଫସିଲଭୁକ୍ତ ଜାତି ଉପଜାତିର ଉଦ୍ୟମୀମାନଙ୍କ ସୁବିଧା ସକାଶେ ଏକ ସୂଚନା ପୁସ୍ତିକା ପ୍ରସ୍ତୁତ ହୋଇଛି। ଜିଏସଟି ନେଟୱାର୍କରେ ଏକ କୋଟି ୧୫ ଲକ୍ଷ ପଂଜୀକୃତ ଉଦ୍ୟମୀମାନଙ୍କ ମଧ୍ୟରୁ ଏକ କୋଟି ୧୦ ଲକ୍ଷ ଉଦ୍ୟୋଗ କେବଳ ଏମଏସଏମଇ କ୍ଷେତ୍ରର। କେନ୍ଦ୍ର ସରକାର ଏହି କ୍ଷେତ୍ରର ଛୋଟ ଛୋଟ ଉଦ୍ୟୋଗ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ୟୁନିଟ ପିଛା ଋଣ ପରିମାଣ ଏକ କୋଟିରୁ ୨ କୋଟି ଟଙ୍କା ବୃଦ୍ଧି କରାଯାଇଛି। କ୍ରେଡିଟ ଗ୍ୟାରେଂଟୀ ସ୍କିମ ପାଇଁ ବାର୍ଷିକ ଋଣ ସହାୟତା ପାଣ୍ଠିର ପରିମାଣ ୨୫୦୦ କୋଟିରୁ ୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ସଚିବ ଶ୍ରୀ ପଣ୍ଡା କହିଥିଲେ।


ଏହି ଏସସିଏସଟି ହବ ସମ୍ମିଳନୀ ଓ ପ୍ରଦର୍ଶନୀରେ ପ୍ରାୟ ଏକ ହଜାର ଉଦ୍ୟମୀ ଓ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି। ପ୍ରଦର୍ଶନୀରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟାଙ୍କ, ନାଲକୋ, ଗେଲ, ଆଇଓସିଏଲ, ଏମସିଏଲ, ସେଲ, ଏନଟିପିସି, ଓଏନଜିସି, ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ, ସିଟିଟିସି ଏବଂ ତଫସିଲଭୁକ୍ତ ଜାତି ଓ ଉପଜାତିର ଉଦ୍ୟମୀମାନଙ୍କ ପକ୍ଷରୁ ୬୦ରୁ ଅଧିକ ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଛି।

Leave A Reply